ଥଇଥାନ ଦାବି‌ରେ ଆନ୍ଦୋଳନ: ବିଷ ପିଇଦେଲେ ଯୁବକ

କୁଆଡ଼େ ଗଲା ଭୂମିହୀନଙ୍କୁ ଜାଗା ଓ ଘର ପ୍ରତିଶ୍ରୁତି?

ବାଲେଶ୍ବର: ରେଳବାଇର ବିକାଶ ହେଉ, ଆମର କୌଣସି ଅଭିଯୋଗ ନାହିଁ। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ରହି ଆସିଥିବା ଶତାଧିକ ପରିବାରକୁ ଆଗ ଥଇଥାନ କରାଯାଉ। ସରକାର ଜାଗା ମିଶନରେ ବାସହରା ଓ ଭୂମିହୀନଙ୍କୁ ଜାଗା ଓ ଘର ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ବର୍ଷବର୍ଷ ଧରି ବାଲେଶ୍ବର ରେଳଷ୍ଟେସନ ପାର୍ଶ୍ବରେ ରହୁଥିବା ଗୋଧିବସାବାସୀଙ୍କୁ କାହିଁକି ପ୍ରତାରିତ କରୁଛନ୍ତି? କୁଆଡ଼େ ଗଲା ଭୂମିହୀନଙ୍କୁ ଜାଗା ଓ ଘର ପ୍ରତିଶ୍ରୁତି?

ବାଲେଶ୍ବର ରେଳ ଷ୍ଟେସନର ନବୀକରଣ ପାଇଁ ଏହି ଅଞ୍ଚଳବାସୀଙ୍କୁ ୧୫ ଦିନ ମଧ୍ୟରେ ଜାଗା ଛାଡ଼ିବାକୁ ଦକ୍ଷିଣ-ପୂର୍ବ ରେଳ ଡିଭିଜନ ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା। ଆଗ ଥଇଥାନ ପରେ ଉଚ୍ଛେଦ ଦାବି ନେଇ ବୁଧବାର ଅପରାହ୍ନରେ ଗୋଧିବସା ଅଞ୍ଚଳର ଶତାଧିକ ମହିଳାପୁରୁଷ ନିଜ ପିଲାଛୁଆଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାକ୍ରମରେ ପରିସ୍ଥିତି ଏମିତି ହୋଇଥିଲା ଯେ, ଆନ୍ଦୋଳନସ୍ଥଳରେ ଆଲୋଚନା ବେଳେ ଜଣେ ବ୍ୟକ୍ତି ବିଷ ପିଇଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ବାଲେଶ୍ବର ରେଳ ଷ୍ଟେସନର ପଶ୍ଚିମପଟେ  ଅବସ୍ଥିତ ଗୋଧିବସା ବସ୍ତିରେ ଆଜକୁ ୭୦ ବର୍ଷ ଧରି ଗରିବ ଭୂମିହୀନ ପରିବାର ରହି ଆସୁଛନ୍ତି। ଏହି ପରିବାରଗୁଡ଼ିକର ସଦସ୍ୟମାନଙ୍କ ନାଁ ଭୋଟର ତାଲିକାରେ ରହିଥିବା ଯୋଗୁଁ ସେମାନେ ଭୋଟ ଦେବା ସହ ବିଭିନ୍ନ ପ୍ରକାର ସରକାରୀ ସୁବିଧାସୁଯୋଗ ମଧ୍ୟ ପାଇ ଆସୁଛନ୍ତି। ଏଥିସହ ଏହି ବସ୍ତି ଭାସ୍କରଗଞ୍ଜ ମୌଜାର ୧୧ ଏକର ଜାଗା ଉପରେ ହୋଇଥିବା ବେଳେ ଏହାର ମାଲିକାନା ରାଜ୍ୟ ସରକାରଙ୍କ ହାତରେ ରହିଥିବା ଯୋଗୁଁ ଏଠାରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର, ଡାକ୍ତରଖାନା ଆଦି ସୁବିଧା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି।

ହେଲେ ଏହି ଜାଗା ରେଳବାଇର ବୋଲି ଦାବି କରି ବିଭାଗ ପକ୍ଷରୁ ରେଳଷ୍ଟେସନ ବିକାଶ କାର୍ଯ୍ୟ ଆରମ୍ଭ କରିବା ପାଇଁ ଗୋଧିବସାବାସୀଙ୍କୁ ତୁରନ୍ତ ଉକ୍ତ ଜାଗା ଖାଲି କରିବାକୁ ନୋଟିସ ଜାରି କରାଯାଇଛି। ଯେଉଁଥି ପାଇଁ ସେମାନେ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗକୁ ଆସିଥିବା କହିଛନ୍ତି। ଏହି ମର୍ମରେ ବିକ୍ଷୋଭକାରୀଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଉକ୍ତ ପତ୍ରରେ ସେମାନଙ୍କୁ ଆଗ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ନିବେଦନ କରାଯାଇଛି।

ତେବେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ସଦର ବିଧାୟକ ସ୍ୱରୂପ କୁମାର ଦାସ ବିକ୍ଷୋଭସ୍ଥଳକୁ ଆସି ଗୋଧିବସାବାସୀଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷରେ ଆଲୋଚନା ହେଉଥିବା ସମୟରେ ବିକ୍ଷୋଭକାରୀଙ୍କ ମଧ୍ୟରୁ ଶଙ୍କର୍ଷଣ ଓରଫ୍‌ ନଣ୍ଡା ରାଉତ ନାମକ ଜଣେ ବ୍ୟକ୍ତି ବିଷପିଇ ବାନ୍ତି କରୁଥିବା ଅଭିଯୋଗ ହୋଇଥିଲା। ବିକ୍ଷୋଭ ସ୍ଥଳରୁ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର