ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ: ତାତିଲେ, ପୌର କାର୍ଯ୍ୟାଳୟକୁ ଧସେଇ ପଶିଲେ

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ଓ ରାସ୍ତାରୋକ

ବଲାଙ୍ଗୀର: ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ବିଭିନ୍ନ ବସ୍ତି ଅଂଚଳକୁ ପ୍ରଶାସନ ଚିହ୍ନଟ କରି ଗୋଟିଏ ପରେ ଗୋଟିଏ ବସ୍ତିରୁ ଜବରଦଖଲ ଉଚ୍ଛେଦ କରୁଛି। ବଲାଙ୍ଗୀର ରୁଗୁଡ଼ିପଡ଼ା ଫଲସାପତ୍ରିବାସୀଙ୍କୁ ଉଚ୍ଛେଦ କରାଯାଇଛି। ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି ପ୍ରଶାସନ କହିଛି। ଏପଟେ ଏହାକୁ ନେଇ ତାତିଛନ୍ତି ସାଧାରଣ ଲୋକ। ଇନ୍ଦିରାନଗର, ଇଚ୍ଛାପଡ଼ା ଅଂଚଳରେ ଉଚ୍ଛେଦ କରାଯିବା ନେଇ ପ୍ରସ୍ତୁତି ଚାଲିଥିବାରୁ ପଡ଼ାବାସୀ ଆଜି ପୌର କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଏହାସହ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତାରୋକ କରି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାକୁ ଜିଦ୍‌ ଧରିଥିଲେ।

କିଛି ଦିନ ପୂର୍ବରୁ ପ୍ରଶାସନ ପକ୍ଷରୁ ଲୋକଙ୍କ ଭୂମିହୀନ ପ୍ରମାଣପତ୍ର ବାତିଲ କରିବା ନେଇ ନୋଟିସ ମରାଯାଇଥିଲା। ଇନ୍ଦିରାନଗର ଅଂଚଳରେ ବହୁ ଲୋକ ସରକାରୀ ଜମିରେ ବହୁ ବର୍ଷ ହେଲା ରହିଆସୁଛନ୍ତି। ଏଣୁ ସେହି ଅଂଚଳକୁ ଉଚ୍ଛେଦ କରିବାକୁ ପୌର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ପ୍ରଶାସନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପଡ଼ାରେ ଉଚ୍ଛେଦ କରାଯାଉଥିବାରୁ ଗୁରୁବାର ପଡ଼ାରେ ସମସ୍ତେ ବୈଠକ କରି ଆଲୋଚନା କରିଥିଲେ। ନିଷ୍ପତ୍ତି ଅନୁସାରେ ଶୁକ୍ରବାର ଶତାଧିକ ସଂଖ୍ୟାରେ ମହିଳା ପୁରୁଷ ଶୋଭାଯାତ୍ରାରେ ଆସି ପୌର କାର୍ଯ୍ୟାଳୟକୁ ଧସେଇ ପଶିଥିଲେ।

ପୌର ନିର୍ବାହୀ ଅଧିକାରୀ ବିପିନ ଦୀପଙ୍କୁ ଘେରି ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ। ଯଦି ଉଚ୍ଛେଦ କରିବାର ଥିଲା କାହିଁକି ପଡ଼ାରେ ରାସ୍ତାଘାଟ, ବିଜୁଳି, ଗମନାଗମନ, ପିଇବା ପାଣିର ସୁବିଧା କରାଯାଇଥିଲା? ହଠାତ୍‌ ଏତେ ବର୍ଷ ପରେ ଘର ଭାଙ୍ଗିଦେଲେ ରହିବେ କେଉଁଠି? ଧନୀ ଲୋକଙ୍କୁ ସରକାରୀ ଜମି ଚଞ୍ଚକତା କରି ପଟ୍ଟା ପ୍ରଦାନ କରାଯାଉଥିବା ବେଳେ ଗରିବଙ୍କୁ କାହିଁକି ଟାର୍ଗେଟ କରି ଘର ଭଙ୍ଗା ଯାଉଛି? ଏଭଳି ଅନେକ ପ୍ରଶ୍ନ ଉଠାଇଥିଲେ। ଉଚ୍ଛେଦ ଯଦି ହେବ ତାହେଲେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ପଡ଼ାବାସୀ ଚେତାବନୀ ଦେଇଥିଲେ।

ପୌର ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ ସହ ତାଙ୍କ ଦାବି ନେଇ ଆଲୋଚନା କରିବେ ବୋଲି କହିଥିଲେ। ଏସ୍‌ଡିପିଓ ଓ ପୌର ନିର୍ବାହୀ ଅଧିକାରୀ ବୁଝାସୁଝା ପରେ ବି କେହି ଶୁଣିନଥିଲେ। ପୌର କାର୍ଯ୍ୟାଳୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଘେରାଉ କରିଥିଲେ। କଚେରି ଛକରେ ରାସ୍ତାରୋକ କରି ପ୍ରଶାସନର ନୀତି ବିରୋଧରେ ଗର୍ଜିଥିଲେ। ପରେ ପ୍ରଶାସନ ଏଯାଏ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇନଥିବା କହିବା ପରେ ଲୋକେ ଶାନ୍ତ ପଡ଼ିଥିଲେ।

ସମ୍ବନ୍ଧିତ ଖବର