ଯାଜପୁରରୋଡ-ଧାମରା ରେଳପଥ ପାଇଁ ଆନ୍ଦୋଳନ ଆରମ୍ଭ: ରେଳରୋକ ବେଳେ ପୁଲିସ ସହ ଧସ୍ତାଧସ୍ତି

ବିଭିନ୍ନ ସ୍ଥାନରେ ଟ୍ରେନ୍‌ ଅଟକି ରହିଲା

ବ୍ୟାସନଗର : ଯାଜପୁରରୋଡ-ଧାମରା ନୂତନ ରେଳପଥ ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି। କେନ୍ଦ୍ର ବଜେଟ୍‌ରେ ଏହି ରେଳପଥ ପାଇଁ ବ୍ୟୟବରାଦ ନହେବାରୁ ଏହାର ପ୍ରତିବାଦରେ ଆଜି ରେଳରୋକ କରାଯାଇଛି। ଯାଜପୁରରୋଡ, ଭଦ୍ରକ ଏବଂ ଧାମରାରେ ରେଳରୋକ ଯୋଗୁଁ ବିଭିନ୍ନ ସ୍ଥାନରେ ଆଜି ଟ୍ରେନ୍‌ଗୁଡ଼ିକ ଅଟକି ରହିଥିଲା ବେଳେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ଏହି ରେଳରୋକ କରାଯାଇଥିଲା। ସଂଗ୍ରାମ ସମିତିର କର୍ମକର୍ତ୍ତାମାନେ ବ୍ୟାସନଗର ଗୋପବନ୍ଧୁ ଛକରୁ ଶୋଭାଯାତ୍ରାରେ ରେଳଷ୍ଟେସନକୁ ଯାଇଥିଲେ। ଷ୍ଟେସନ ଭିତରକୁ ପ୍ରବେଶ ପାଇଁ ଉଦ୍ୟମ କରିବାବେଳେ ପୁଲିସ ସେମାନଙ୍କ ପଥରୋଧ କରିଥିଲା। ପ୍ରାୟ ୧୫ ମିନିଟ୍‌ ଧସ୍ତାଧସ୍ତି ପରେ ୧୦ ମିନିଟ୍‌ ପାଇଁ ପ୍ଲାଟଫର୍ମକୁ ଯିବାକୁ ପୁଲିସ ଅନୁମତି ମିଳିଥିଲା। ଆନ୍ଦୋଳନକାରୀ ଷ୍ଟେସନ ମଧ୍ୟରେ ପ୍ରବେଶ କରି ୧ ନମ୍ବର ପ୍ଲାଟଫର୍ମରେ ଠିଆ ହୋଇଥିବା ମାଲଗାଡ଼ି ଆଗରେ ହରତାଳ କରିବା ସହ ରେଳରୋକ କରିଥିଲେ।

ପୂର୍ବତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଣ୍ଟିଆ, ଯାଜପୁରରୋଡ- ଧାମରା ରେଳପଥ ସଂଗ୍ରାମ ସମିତିର ଆବାହକ ସନ୍ତୋଷ ଦାସ, ଶ୍ରମିକନେତା ମାୟାଧର ନାୟକ, ପୂର୍ବତନ ସାଂସଦ ଅଞ୍ଚଳ ଦାସ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ସଂଗ୍ରାମ ସମିତିର ଯାଜପୁରରୋଡ ଶାଖା ଆବାହକ ପ୍ରଫୁଲ୍ଲ ନାୟକ, ରାଜ୍ୟ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ପ୍ରମୁଖ ରେଳରୋକ ଆନ୍ଦୋଳନର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର