ପ୍ରାଥମିକ ଶିକ୍ଷା ଉ‌ପରେ କୋଭିଡ୍‌ ପ୍ରହାର

ଯୋଗେନ୍ଦ୍ର ଯାଦବ

ଗୋଟେ କଥା କଳ୍ପନା କରାଯାଉ। ମନେ କରାଯାଉ, ସକାଳେ କୋଉଠି ଏକ ବିଦ୍ୟାଳୟରେ ପିଲାମାନେ ପହଞ୍ଚି ଜାଣିବାକୁ ପାଇବେ କି ଗତ କାଲି ସୁଦ୍ଧା ଯୋଉମାନେ ପଞ୍ଚମ ଶ୍ରେଣୀରେ ଥିଲେ, ଏବେ ସେମାନଙ୍କର ଚତୁର୍ଥ ଶ୍ରେଣୀ ହୋଇଯାଇଛି ଏବଂ ସେହିପରି ଚତୁର୍ଥ ଶ୍ରେଣୀ ପିଲାଙ୍କର ତୃତୀୟ ହୋଇ ଯାଇଛି। ଯେଉଁମାନେ ପ୍ରାଞ୍ଜଳ କରି ବହି ପଢ଼ି ପାରୁଥିଲେ, ସେମାନେ ଥତମତ ହେଉଛନ୍ତି ଏବଂ ଅଙ୍କ କଷୁଥିବା ପିଲାଏ ଗଣିତକୁ ପୂରା ଭୁଲି ଯାଇଛନ୍ତି। ଅର୍ଥାତ୍‌, ରାତିକ ଭିତରେ ସାରା ବିଦ୍ୟାଳୟର ମତିଗତି ବଦଳିଯାଇଛି। ତେବେ ଏଥର ସେହି ଛାତ୍ରଛାତ୍ରୀ କି ବିଦ୍ୟାଳୟ କି ସେଇ ଗାଁର ଅବସ୍ଥା କ’ଣ ହେବ, ସେ ବିଷୟରେ ଚିନ୍ତା କରାଯାଉ। ଏହା କୌଣସି କାଳ୍ପନିକ କାହାଣୀର ଅଂଶ ନୁହେଁ, ବରଂ ନିହାତି ନିଷ୍ଠୁର ସତ୍ୟ। କୌଣସି ବିଦ୍ୟାଳୟ ନୁହେଁ, ବରଂ ସମଗ୍ର ଦେଶର ଭାଗ୍ୟ ଏହିପରି। ଏଠାରେ କୌଣସି ଦୂର ଦେଶ ସମ୍ପର୍କରେ କୁହାଯାଇ ନାହିଁ, ବରଂ, ଖୋଦ୍‌ ଆମ ଭାରତ କଥା କୁହାଯାଉଛି। ସେହିପରି କୌଣସି ଦୂର ଅତୀତ କଥା ବି ନୁହେଁ, ଏହା ବିଗତ ଚାରି ବର୍ଷର ଦୁଃଖଦ କାହାଣୀ।

ଗତ ସପ୍ତାହରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରଥମ’ ଦ୍ବାରା ପ୍ରକାଶିତ ‘ଆନୁଆଲ୍‌ ଷ୍ଟାଟସ ଅଫ୍‌ ଏଜୁକେସନାଲ ରିପୋର୍ଟ’ ବା ‘ଅସର’ ନାମକ ସର୍ବେକ୍ଷଣର ତଥ୍ୟ ହିଁ ଏପରି ହତା‌ଶାଜନକ କାହାଣୀକୁ ବର୍ଣ୍ଣନା କରିଛି। ବିଗତ ୧୭ ବର୍ଷ ହେଲା ‘ଅସର’ ବିଶେଷ କରି ଗ୍ରାମାଞ୍ଚଳ ଶିଶୁମାନଙ୍କର ଶୈକ୍ଷିକ ଦକ୍ଷତା ମାପିବାର ଏକ ପ୍ରାମାଣିକ ଅସ୍ତ୍ର ପାଲଟିଛି। ଏହି ସର୍ବେକ୍ଷଣରେ ପିଲାଙ୍କୁ ନିଜ ବିଦ୍ୟାଳୟରେ ପରୀକ୍ଷା କରାଇବା ପରିବର୍ତ୍ତେ ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ଭାଷା ଓ ଗଣିତ ସମ୍ପର୍କିତ ଅତି ମାମୁଲି ପ୍ରଶ୍ନ କରାଯାଇଥାଏ। ସେମାନଙ୍କ ପାଠ୍ୟ ପୁସ୍ତକରୁ ଅତି ସାଧାରଣ ପାରାଗ୍ରାଫ୍‌ଟିଏ ପଢ଼ିବାକୁ ଦିଆଯାଏ ଏବଂ ଗଣିତରେ ଅତି ସାଧାରଣ ମିଶାଣ ଓ ଫେଡ଼ାଣ ପ୍ରଶ୍ନ ପଚରା ଯାଇଥାଏ।

ଚଳିତ ବର୍ଷର ‘ଅସର’ ରିପୋର୍ଟକୁ ମୁଁ ଉତ୍ସୁକତାର ସହ ଚାହିଁ ରହିଥିଲି। ଏମିତି ତ ଏହା ୨୦୦୫ରୁ ୨୦୧୪ ଯାଏ ପ୍ରତି ବର୍ଷ ବାହାରି ଆସୁଥିଲା। ୨୦୧୪ ପର ଠାରୁ ପ୍ରତି ଦୁଇ ବର୍ଷରେ ଏହା ଥରେ ପ୍ରକାଶିତ ହେବାକୁ ଲାଗିଲା। ତେବେ, ୨୦୧୮ ମସିହା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଗଲା। କୋଭିଡ୍‌ ମହାମାରୀ ଯୋଗୁଁ ମଧ୍ୟ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଲା ଏବଂ ‘ଅସର’ ସର୍ବେକ୍ଷଣ ବି ହୋଇପାରିଲା ନାହିଁ। ତେଣୁ ୨୦୨୨ରେ ଆସିଥିବା ରିପୋର୍ଟଟି ପିଛିଲା ୪ ବର୍ଷରେ ଗ୍ରାମୀଣ ପିଲାଙ୍କର ଶିକ୍ଷାରେ ଦେଖାଯାଇଥିବା ପ୍ରତିବନ୍ଧ ବା ବାଧକର ପ୍ରମାଣ ପତ୍ର ପାଲଟିଛି। କେବଳ ସେତିକି ନୁହେଁ, କୋଭିଡ୍‌ ମହାମାରୀ କାରଣରୁ ବିଦ୍ୟାଳୟଗୁଡ଼ିକ ବନ୍ଦ ହେବା ପରିପ୍ରେକ୍ଷୀ‌େର ଶିକ୍ଷା ଉପରେ କିଭଳି କୁପ୍ରଭାବ ପଡ଼ିଛି, ତାହାକୁ ଦେଶର ୬୧୬ ଜିଲ୍ଲା ଅନ୍ତର୍ଗତ ୧୯ ହଜାର ଗାଁର ୭ ଲକ୍ଷ ପିଲାଙ୍କ ଉପରେ ଆଧାରିତ ଏହି ସର୍ବେକ୍ଷଣ ରିପୋର୍ଟ ପ୍ରଥମ ଥର ଲାଗି ସମନାକୁ ଆଣିଛି। କିନ୍ତୁ ଖବରଟି ଆଦୌ ଶୁଭଙ୍କର ନୁହେଁ।

‘ଅସର-୨୦୧୮’ ରିପୋର୍ଟ କହିଥିଲା ଯେ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ଭିତରୁ କେବଳ ୫୧ ପ୍ରତିଶତ ହିଁ ଦ୍ବିତୀୟ ଶ୍ରେଣୀର ସାଧାରଣ ପୁସ୍ତକର ଅତି ସହଜ ପାରାଗ୍ରାଫ୍‌ଟିଏ ପଢ଼ିବାରେ ସମର୍ଥ ହେଉଛନ୍ତି। ଏହା ସେତେବେଳେ ରାଷ୍ଟ୍ରୀୟ ସମ୍ମାନର ପ୍ରଶ୍ନ ଭଳି ଲାଗିଥିଲା। ଏବେ ୨୦୨୨ ରିପୋର୍ଟରେ ସେହି ସଂଖ୍ୟା ଖସି ଆସି ୪୩ ପ୍ରତିଶତ ହୋଇଯାଇଛି। ଅର୍ଥାତ୍‌, ପ୍ରାଥମିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବାକୁ ଥିବା ୧୦ ପିଲାଙ୍କ ଭିତରୁ ୬ ଜଣ ନିଜର ତିନି ଶ୍ରେଣୀ ତଳ ବହିର ସାଧାରଣ ପାରାଗ୍ରାଫ୍‌ଟିଏ ପଢ଼ିବାକୁ ସକ୍ଷମ ନୁହନ୍ତି। ‘ଅସର’ର ପୁରୁଣା ସର୍ବେକ୍ଷଣ ରିପୋର୍ଟ ସହ ତୁଳନା କଲେ ଜଣା ପଡ଼େ ଯେ ଗୋଟିଏ ଝଟକାରେ ଆମେ ୨୦୧୨ ମସିହା ସ୍ତରକୁ ଫେରି ଆସିଛନ୍ତି। ଗୋଟିଏ ଶ୍ରେଣୀ ନୁହେଁ କି ଗୋଟେ ବିଦ୍ୟାଳୟ ନୁହେଁ କି ଗୋଟେ ଗାଁ ବି ନୁହେଁ: ସାରା ଦେଶର ଶିକ୍ଷାକ୍ଷେତ୍ର ଏଭଳି ନିମ୍ନକୁ ଖସି ଆସିଛି।

ବିଭିନ୍ନ ସ୍ତରରେ ମଧ୍ୟ ଏ କାହାଣୀର ପୁନରାବୃତ୍ତି ଘଟିଛି। ତୃତୀୟ ଶ୍ରେଣୀର ଯେଉଁ ପିଲାମାନେ ଦ୍ବିତୀୟ ଶ୍ରେଣୀର ପୁସ୍ତକ ପଢ଼ି ପାରୁଥିଲେ, ସେମାନଙ୍କ ସଂଖ୍ୟା ୨୦୧୮ରେ ୨୭ ପ୍ରତିଶତ ଥିଲା, ଯାହା ୨୦୨୨ରେ ହ୍ରାସ ପାଇ ୨୧ ପ୍ରତିଶତରେ ପହଞ୍ଚିଛି। ଫେଡ଼ାଣ କରି ପାରୁଥିବା ତୃତୀୟ ଶ୍ରେଣୀର ପିଲା ଓ ହରଣ କରି ପାରୁଥିବା ପଞ୍ଚମ ଶ୍ରେଣୀ ପିଲାଙ୍କ ସଂଖ୍ୟା ୨୮ ପ୍ରତିଶତରୁ ୨୬ ପ୍ରତିଶତକୁ ଖସି ଆସିଛି। ଶିକ୍ଷାରେ ଏପରି ଅବନତି କେବଳ ଗରିବ ରାଜ୍ୟରେ ହୋଇନାହିଁ; ଏଭଳି ଝଟକା କେରଳ, ହିମାଚଳ ଓ ହରିୟାଣା ପରି ରାଜ୍ୟକୁ ବି ଲାଗିଛି, ଯେଉଁଠି ଶିକ୍ଷା ବ୍ୟବସ୍ଥା ଅନ୍ତତଃ ଉନ୍ନତତର ରହିଥିଲା। ସରକାରୀ ବିଦ୍ୟାଳୟ ହେଉ ବା ବେସରକାରୀ; ସବୁ ସ୍ତରର ବିଦ୍ୟାଳୟରେ ଶିକ୍ଷାର ଏହି ଭଳି ମାନ ହ୍ରାସ ପାଇଛି। ଅର୍ଥାତ୍‌, କୋଭିଡ୍‌ ମହାମାରୀ ଅବସରରେ ଗ୍ରାମାଞ୍ଚଳ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ଯାଇଛି ବୋଲି କହିଲେ ଚଳିବ।

କଥା ଏହା ନୁହେଁ ଯେ ଶିକ୍ଷା ପ୍ରତି ମା’-ବାପ କି ପିଲାଙ୍କ ରୁଚି ହ୍ରାସ ପାଇଛି। ଏହି ସର୍ବେକ୍ଷଣରେ ସେ କଥାର ମଧ୍ୟ ଉଲ୍ଲେଖ ରହିଛି। ବିଗତ ଚାରି ବର୍ଷ ଭିତରେ ବିଦ୍ୟାଳୟରେ ନାମ ଲେଖାଇଥିବା ଗ୍ରାମୀଣ ପିଲାଙ୍କ ସଂଖ୍ୟା ୯୭.୨ ପ୍ରତିଶତରୁ ୯୮.୪ ପ୍ରତିଶତକୁ ବୃଦ୍ଧି ପାଇଛି। ଏପରି କି ବାଳିକାମାନଙ୍କର ବିଦ୍ୟାଳୟକୁ ପ୍ରବେଶ ସଂଖ୍ୟା ମଧ୍ୟ ବଢ଼ିଛି। କେବଳ ବିଦ୍ୟାଳୟ କାହିଁକି, ଅଙ୍ଗନବାଡ଼ିକୁ ଆସୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ ୫୭ ପ୍ରତିଶତରୁ ବଢ଼ି ୬୭ ପ୍ରତିଶତ ହୋଇଛି। ତିନି ବର୍ଷର ପିଲାଙ୍କ ଭିତରୁ ୭୮ ପ୍ରତିଶତ କୌଣସି ନା କୌଣସି ନର୍ସରି ବିଦ୍ୟାଳୟକୁ ଯାଉଛନ୍ତି। ଅର୍ଥାତ୍‌, ଶିକ୍ଷାର ଭୋକ କ୍ରମେ ବଢ଼ି ଚାଲିଛି।

ମାତ୍ର ଶିକ୍ଷା ପାଇଁ ସୁବିଧା ସୁଯୋଗରେ ହ୍ରାସ ଘଟିଛି। ଏହି ସର୍ବେକ୍ଷଣରେ ପ୍ରଥମ ଥର ଲାଗି ଏକ ବିପରୀତ ଧାରା ଦେଖିବାକୁ ମିଳିଛି। ବିଗତ ଅନେକ ବର୍ଷ ଧରି ସରକାରୀ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥିତି କମି ଆସୁଥିଲା। ସେଥିରୁ ଅନୁମାନ କରାଯାଉଥିଲା କି ପିଲାମାନେ ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ବିଦ୍ୟାଳୟକୁ ଅଧିକ ସଂଖ୍ୟାରେ ଯାଉଥିବେ। ମାତ୍ର ପ୍ରଥମ କରି ୨୦୧୮ରୁ ୨୦୨୨ ମଧ୍ୟରେ ବେସରକାରୀ ବିଦ୍ୟାଳୟକୁ ଯାଉଥିବା ଗ୍ରାମୀଣ ଶିଶୁଙ୍କ ସଂଖ୍ୟା ୩୫ ପ୍ରତିଶତରୁ ୨୭ ପ୍ରତିଶତକୁ ଖସି ଆସିଛି। ତେବେ ସରକାରୀ ବିଦ୍ୟାଳୟର ଗୁଣବତ୍ତା ଉନ୍ନତ ହେବା କାରଣରୁ ଯେ ଏପରି ହୋଇଛି ତାହା ନୁହେଁ। ଅପରପକ୍ଷେ, ଏହାର ସିଧାସଳଖ କାରଣ ହେଉଛି, କୋଭିଡ୍‌ ମହାମାରୀ ଯୋଗୁଁ ବାପ-ମା’ଙ୍କ ଆର୍ଥିକ ଅବସ୍ଥାରେ ଅବନତି। ମହାମାରୀ ଅବସରରେ ଯେତେବେଳେ ବିଦ୍ୟାଳୟ ସବୁ ବନ୍ଦ ହୋଇଗଲା ଏବଂ ଅଧିକାଂଶ ଲୋକଙ୍କ ଆୟରେ ଧକ୍କା ଲାଗିଲା, ସେତେବେଳେ ବହୁ ସଂଖ୍ୟାରେ ଅଭିଭାବକ ନିଜ ପିଲାଙ୍କୁ ଘରୋଇ ବିଦ୍ୟାଳୟରୁ କାଢ଼ି ଆଣି ସରକାରୀ ବିଦ୍ୟାଳୟରେ ଭର୍ତ୍ତି କରାଇଥିଲେ।

ଗ୍ରାମୀଣ ଭାରତରେ ଶିକ୍ଷା ପ୍ରତି କ୍ରମବର୍ଦ୍ଧିଷ୍ଣୁ ଭୋକ, ଘରୋଇ ବିଦ୍ୟାଳୟରେ ବଢ଼ି ଚାଲିଥିବା ଫି’ ଏବଂ ସାଧାରଣ ଲୋକଙ୍କର ସାଧନରେ କ୍ଷୟ ଓ ସରକାରୀ ବିଦ୍ୟାଳୟଗୁଡ଼ିକରେ ଲଗାତାର ଅବନତି ଭିତରେ ଶିକ୍ଷାର ଗୁଣବତ୍ତାରେ ଆସିଥିବା ଏହି ହ୍ରାସ ଏକ ବଡ଼ ଧରଣର ରାଷ୍ଟ୍ରୀୟ ସଂକଟକୁ ଜନ୍ମ ଦେବାର ଇସାରା କରୁଛି। ଏପରି ଧକ୍କାର ଭରଣା ଆଗାମୀ ୫ ବର୍ଷ ଯାଏ କରିବା ସହ ଗ୍ରାମୀଣ ଓ ସହରୀ ଗରିବମାନଙ୍କର ଏକ ପୂରା ପିଢ଼ିକୁ ଏହି କ୍ଷତିରୁ ସଂପୂର୍ଣ୍ଣ ଉଦ୍ଧାର କରିବା ହିଁ ଦେଶର ବିଦ୍ୟାଳୟ ଶିକ୍ଷାର ଏକ ମାତ୍ର ଲକ୍ଷ୍ୟ ହେବା ଉଚିତ। ନଚେତ୍‌ ଏହି ଧକ୍କା ଏକ ସ୍ଥାୟୀ ବିପତ୍ତିର ରୂପ ନେବ।

ସମ୍ବନ୍ଧିତ ଖବର