କୃଷି ଆଇନ ପ୍ରତ୍ୟାହାର ହେଲା, ଲଢେଇ ଏମ୍ଏସ୍ପିର
ଭୁବନେଶ୍ୱର : କୃଷି ଆଇନ ପ୍ରତ୍ୟାହାର ହେଲା। ବର୍ତ୍ତମାନ ଲଢେଇ ଏମ୍ଏସ୍ପିର। ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ନମିଳିଲେ, ଯେଉଁ ଭାଗଚାଷୀ, କ୍ଷୁଦ୍ର, ନାମମାତ୍ର ଏବଂ ମହିଳା ଚାଷୀ ମଣ୍ଡିରେ ପହଞ୍ଚି ନପାରି ଆଜି ପର୍ଯ୍ୟନ୍ତ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ସେମାନଙ୍କୁ କିଭଳି ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା।
Sambad is now on WhatsApp
Join and get latest news updates delivered to you via WhatsApp
ମୋର୍ଚ୍ଚାର ସଦସ୍ୟ ସରୋଜ କହିଛନ୍ତି, କେବଳ ୬ ପ୍ରତିଶତ ଚାଷୀ ହିଁ ମଣ୍ଡିରେ ଧାନ ବିକ୍ରୟ କରି ଏମ୍ଏସ୍ପି ପାଉଥିବା ନେଇ ବିଭିନ୍ନ ସମୟରେ ସରକାରୀ ଦଳର ସଦସ୍ୟମାନେ ଯୁକ୍ତି କରିଥାଆନ୍ତି। ଆବଶ୍ୟକ ସଂଖ୍ୟକ ମଣ୍ଡିର ଅଭାବ, ନ୍ୟୁନତମ ସୁବିଧାର ଅଭାବ, କମ ସମୟ ପାଇଁ ମଣ୍ଡି ଖୋଲିବା, ଜଟିଳ ବିକ୍ରୟ ବ୍ୟବସ୍ଥା, ଗାଁ ଠାରୁ ମଣ୍ଡି ଦୂରରେ ଥିବାରୁ ଅଧିକାଂଶ କ୍ଷୁଦ୍ର ଏବଂ ନାମାମତ୍ର ଚାଷୀ ମଣ୍ଡି ଯାଇପାରନ୍ତି ନାହିଁ। ସେମାନଙ୍କ ପ୍ରାପ୍ୟ ଖର୍ଚ୍ଚ ଠାରୁ ପରିବହନ ଖର୍ଚ ବଳି ପଡ଼େ। ଗାଁରେ ଏମ୍ଏସ୍ପି ଠାରୁ କମ ମୂଲ୍ୟରେ ଧାନ ବିକ୍ରୟ ପାଇଁ ବାଧ୍ୟ ହୁଅନ୍ତି। ଭାଗଚାଷୀଙ୍କୁ ତ ତାଙ୍କ ଜମି ମାଲିକ ମଣ୍ଡିରେ ଧାନ ବିକ୍ରୟ ପାଇଁ ଅନୁମତି ପତ୍ର ଦେଉନଥିବାରୁ ସେ ମଣ୍ଡିରେ ଧାନ ବିକ୍ରି କରିପାରେ ନାହିଁ। ଅଧିକାଂଶ ଚାଷୀ କ୍ବିଣ୍ଟାଲ ହିସାବରେ ମାତ୍ର ୮୦୦ରୁ ୧୦୦୦ ଟଙ୍କାରେ ଧାନ ବିକ୍ରିୟ କରୁଥିବା ଦେଖାଯାଏ। ଆହୁରି ମଧ୍ୟ ସରକାରଙ୍କ ପକ୍ଷରୁ ୨୩ଟି କୃଷିଜାତ ଦ୍ରବ୍ୟରେ ଏମ୍ଏସ୍ପି ଘୋଷଣା କରାଯାଏ। ଧାନ, ଗହମ ବ୍ୟତୀତ ଅନ୍ୟ କୌଣସି କୃଷିଜାତ ଦ୍ରବ୍ୟରେ ଚାଷୀଙ୍କୁ ଏମ୍ଏସ୍ପି ମିଳେନାହିଁ। ଅର୍ଥାତ ମଣ୍ଡିରେ ଅନ୍ୟ କୃଷିଜାତ ଦ୍ରବ୍ୟ ବିକ୍ରୟର ବ୍ୟବସ୍ଥା ନାହିଁ। ଅଣଧାନ ଫସଲ ବିକ୍ରୟର ଏହି ସମସ୍ୟା ଯୋଗୁଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଣଧାନ ଫସଲ ପାଇଁ ଚାଷୀଙ୍କୁ ପରାମର୍ଶ ଦେଉଥିଲେ ମଧ୍ୟ ଏହା ସଫଳତା ହାସିଲ କରିପାରୁ ନାହିଁ। ଏମ୍ଏସ୍ପିକୁ ଆଇନଗତ ମାନ୍ୟତା ମିଳିଲେ, ଚାଷୀଙ୍କ ଏହି ସମସ୍ୟାର ସମାଧାନ ହେବ।
ବର୍ତ୍ତମାନର ଏପିଏମସି (କୃଷିଜାତ ଦ୍ରବ୍ୟ ଉତ୍ପାଦନ କମିଟି) ଆଇନ ଅନୁଯାୟୀ ପ୍ରଶାସନର ଆଦେଶରେ ଏମ୍ଏସ୍ପି ଲାଗୁ କରାଯାଉଛି। ଏଥିରେ ଚାଷୀ ଅଦାଲତ ଯାଇପାରିବ ନାହିଁ, ଅଦାଲତ ଗଲେ ମଧ୍ୟ ତା’ର ଜିତାପଟ ନେଇ ନିଶ୍ଚିତତା ନାହିଁ। କିଷାନ ମୋର୍ଚ୍ଚା ଅନୁଯାୟୀ, ଏମ୍ଏସ୍ପିର ଆଇନଗତ ମାନ୍ୟତା ମିଳିଲେ କେବଳ ମଣ୍ଡି ନୁହେଁ ବାହାରେ ମଧ୍ୟ ଚାଷୀଙ୍କ ଠାରୁ ଏମ୍ଏସ୍ପିରେ ଧାନ କ୍ରୟ କରାଯାଇପାରିବ। ଏହାର ଉଲ୍ଲଂଘନ ହେଲେ, ଚାଷୀ ଅଦାଲତର ଆଶ୍ରୟ ନେବ। ପ୍ରକୃତରେ ଏମ୍ଏସ୍ପିର ଆଇନଗତ ମାନ୍ୟତା ହେଲେ, ପ୍ରତି ପଞ୍ଚାୟତରେ ନ୍ୟୁନତମ ସୁବିଧା ସହିତ ମଣ୍ଡି ବ୍ୟବସ୍ଥା, ଦୀର୍ଘ ସମୟ ଧରି ମଣ୍ଡି ଖୋଲିବା ପାଇଁ ସରକାର ବାଧ୍ୟ ହେବେ। ଯାହା ସେମାନଙ୍କ ପାଇଁ ପ୍ରକୃତ ଜିତାପଟ ହେବ। କୃଷି ଆଇନ ଜରିଆରେ, ଏମ୍ଏସ୍ପିର ଦାୟିତ୍ବରୁ ସରକାର ଓହରିବାକୁ ଚାହୁଁଥିଲେ, ଯାହାକୁ ଚାଷୀମାନେ ବିରୋଧ କରି ସଫଳତା ପାଇଛନ୍ତି।
୭୦ ଦଶକରୁ ଉପଯୁକ୍ତ ଏମ୍ଏସ୍ପି ଦାବି ନେଇ ଆରମ୍ଭ ହୋଇଥିଲା ଚାଷୀ ଆନ୍ଦୋଳନ। ଯାହା ବିଭିନ୍ନ ସମୟରେ ଜାରି ରହିଥିଲା। ମନମୋହନ ସିଂଙ୍କ ସରକାର ଏହାକୁ ଗ୍ରହଣ କରି ଉପଯୁକ୍ତ ଏମ୍ଏସ୍ପିର ମାନ ନିର୍ଧାରଣ ପାଇଁ ସ୍ବାମୀନାଥନ କମିସନ ଗଠନ କରିଥିଲେ। ଉତ୍ପାଦନ ଖର୍ଚ୍ଚ, ଜମି ଭଡ଼ା, ଋଣର ସୁଧ ଆଦି ବିଭିନ୍ନ ମାନକକୁ ହିସାବକୁ ନିଆଯାଇ ଏମ୍ଏସ୍ପି ନିର୍ଧାରଣ କରାଯିବା ପାଇଁ ସୁପାରିସ କରିଥିଲେ। ଏହାକୁ ଲାଗୁ କରିବା ପାଇଁ ପ୍ରତିଶ୍ରୁତି ଦେଇ ବିଜେପି ୨୦୧୪ ମସିହାରେ ସରକାରକୁ ଆସିଥିଲା। ମାତ୍ର ଏହାକୁ ଆଜି ପର୍ଯ୍ୟନ୍ତ ଲାଗୁ କରି ନାହିଁ।