ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟ୍ବେଣ୍ଟି-୨୦ ଆଜି: କୋଲ୍‌କାତାରେ କ୍ଲିନ୍ ସୁଇପ୍ ଲକ୍ଷ୍ୟ

କୋଲକାତା: ପ୍ରଥମ ଦୁଇ ମ୍ୟାଚ୍‌କୁ ଜିତିବା ପରେ ଭାରତୀୟ କ୍ରିକେଟ୍ ଦଳର ଧ୍ୟାନ ଏବେ ଶୃଙ୍ଖଳା ମୂଳପୋଛ ଉପରେ କେନ୍ଦ୍ରୀଭୂତ ‌ହୋଇଛି। ସେଥିପା‌ଇଁ ଜୟପୁର ଓ ରାଞ୍ଚି ପରେ କୋଲ୍‌କାତାରେ ମଧ୍ୟ ରୋହିତ ବାହିନୀ ବିଜୟ ବାନା ଉଡ଼ାଇବା ଲକ୍ଷ୍ୟରେ ରହିଛି। ଆଉ ଏହି ଲକ୍ଷ୍ୟ ପୂରଣ ଲାଗି ରବିବାର ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ରେ ଟିମ୍ ଇଣ୍ଡିଆକୁ ବିଜୟୀ ହେବାକୁ ପଡ଼ିବ। ଏହା କରିପାରିଲେ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ସହ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରାଜୟର ପ୍ରତିଶୋଧ ସମୂଳେ ନେଇପାରିବ। ସେହିଭଳି ନୂଆ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ଯୋଡ଼ି ପ୍ରଥମ ଶୃଙ୍ଖଳାରେ ମୂଳପୋଛ ବିଜୟ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିବେ।

ପ୍ରଥମ ଦୁଇ ମୁକାବିଲା ଜିତିବା ପରେ ଭାରତ ଅବଶ୍ୟ ଶୃଙ୍ଖଳା ଜିତି ସାରିଛି। ସେଥିପାଇଁ କିଛି ସଂରକ୍ଷିତ ଖେଳାଳିଙ୍କୁ ଖେଳାଇବାର ବିକଳ୍ପ ଭାରତ ପାଖରେ ଖୋଲା ରହିବ। ତେବେ ରାହୁଲ-ରୋହିତ ଯୋଡ଼ି ଦଳର ସନ୍ତୁଳନକୁ ଭାଙ୍ଗି ଏଥିରେ ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା ପ୍ରାୟ ନାହିଁ। ତଥାପି ଦୀପକ ଚହର ଓ କିମ୍ବା ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଖେଳାଇବାର ସାହସ ଉଭୟ ଦେଖାଇପାରନ୍ତି। ସେହିଭଳି ରବିଚନ୍ଦ୍ରନ ଅଶ୍ବିନ କିମ୍ବା ଅକ୍ଷର ପଟେଲଙ୍କ ବଦଳରେ ୟୁଜବେନ୍ଦ୍ର ଚହଲ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ଋତୁରାଜ ଗାଏକ୍ବାଡଙ୍କୁ ବି ସୁଯୋଗ ମିଳିପାରେ। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଆରମ୍ଭ ହେବା ପରଠାରୁ ଲଗାତାର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଆସୁଥିବା ଋଷଭ ପନ୍ତଙ୍କ ସ୍ଥାନରେ ଈଶାନ କିଶନଙ୍କୁ ମଧ୍ୟ ଖେଳାଯାଇପାରେ। ତେବେ ଏହିସବୁ ନିଷ୍ପତ୍ତି ଇଡେନ୍ ଗାର୍ଡେନ୍ସର ପିଚ୍ ଓ ପରିବେଶ ଉପରେ ନିର୍ଭରଶୀଳ ରହିବ। ଜୟପୁରରେ ଯୁବ ବୋଲର ହର୍ଷଲ ପଟେଲ ପଦାର୍ପଣରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ଦଳୀୟ ପରିଚାଳକ ତାଙ୍କ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରିପା‌ରନ୍ତି। ନ୍ୟୁଜିଲାଣ୍ଡ ତାର ସଂଘର୍ଷରତ ମଧ୍ୟକ୍ରମରେ କିଛିଟା ଅଦଳ ବଦଳ କରିପାରେ।

ସମ୍ଭାବ୍ୟ ଭାରତ: କେଏଲ୍ ରାହୁଲ, ରୋହିତ ଶର୍ମା (ଅଧିନାୟକ), ଋତୁରାଜ ଗାଏକ୍ବାଡ୍/ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ/ୟୁଝ୍‌ବେନ୍ଦ୍ର ଚହଲ, ଆର ଅଶ୍ବିନ, ଦୀପକ ଚହର, ଅଭେଶ ଖାନ୍/ଭୁବନେଶ୍ବର କୁମାର, ହର୍ଷଲ ପଟେଲ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରେଲ ମିଚେଲ, ମାର୍କ ଚାପମ୍ୟାନ୍, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଫର୍ଟ, ଜେମ୍ସ ନୀସାମ, ମିଚେଲ ସାଣ୍ଟନର, ଆଦାମ ମିଲନେ, ଟିମ୍ ସାଉଦି (ଅଧିନାୟକ), ଈଶ୍ ସୋଢୀ, ଟ୍ରେଣ୍ଟ ବୋଲ୍ଟ।

ଟସ୍ ପୁଣି ହୋଇପା‌ରେ ବସ୍
ପୂର୍ବ ଭାରତରେ ସଂପ୍ରତି କାକର ପଡ଼ିବା‌ ଆରମ୍ଭ ହୋଇଯାଇଥିବାରୁ ଜୟପୁର ଓ ରାଞ୍ଚି ଭଳି କୋଲ୍‌କାତାରେ ମଧ୍ୟ ଟସ୍ ପୁଣି ଥରେ ନିର୍ଣ୍ଣାୟକ ଭୂମିକା ନେଇପାରେ। ଏଠାରେ ମଧ୍ୟ ଟସ୍ ଜିତିବା ଦଳ ପ୍ରତିପକ୍ଷକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବାର ସମ୍ଭାବନା ଅଧିକ। ଐତିହାସିକ ଇଡେନ୍ ଗାର୍ଡେନ୍ସକୁ ଅନ୍ତର୍ଜାତୀୟ କ୍ରିକେଟ୍ ୨ ବର୍ଷ ପରେ ଫେରୁଥିବାରୁ ଏଠାରେ ଭାରତୀୟ କ୍ରିକେଟ୍ ଦଳ ବିଜୟୀ ହେଉ ବୋଲି ପ୍ରଶଂସକ ଆଶା ରଖିଥିବେ। ସେହିଭଳି ପ୍ରଥମ ଦୁଇ ମ୍ୟାଚ୍ ଭଳି ଅଧିନାୟକ ରୋହିତ ଶର୍ମା ଇଡେନ୍ ଗାର୍ଡେନ୍ସରେ ମଧ୍ୟ ଟସ୍ ଜିତନ୍ତୁ ବୋଲି ସେମାନେ ଶୁଭ ମନାସୁଥିବେ। ଇଡେନ୍ ପିଚ୍‌ରେ ପେସ୍ ଓ ବାଉନ୍ସ ମିଳିବ ବୋଲି କ୍ୟୁରେଟର ସୂଚନା ଦେଇଛନ୍ତି। ଏଣୁ ୧୬୦ରୁ ୧୭୦ ରନ୍ ଏକ ଲଢ଼ୁଆ ସ୍କୋର ‌ହେବ ବୋଲି ଆକଳନ କରାଯାଉଛି। ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ରବିବାର ଘଣ୍ଟି ବଜାଇ ମ୍ୟାଚ୍‌ର ଶୁଭାରମ୍ଭ ସଙ୍କେତ ଦେବେ। ଏହାକୁ ନେଇ ସ୍ଥାନୀୟ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧିତ ଖବର