ଅଳକା ଆଶ୍ରମ ‘ମୋ ଡାକ ଟିକେଟ୍‌’ ଉନ୍ମୋଚନ କଲେ ରାଜ୍ୟପାଳ

ଭୁବନେଶ୍ବର: ଐତିହାସିକ ‘ଅଳକା ଆଶ୍ରମ’ ଉପରେ ଆଧାରିତ ‘ମୋ ଡାକ ଟିକେଟ୍‌’ ସୋମବାର ରାଜ୍ୟପାଳ ପ୍ରଫେସର ଗ‌ଣେଶୀ ଲାଲ୍‌ଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡ଼ା, ଡାକ ଟିକେଟ୍‌ର ଶିଳ୍ପୀ ଲାଲା ସଂଗ୍ରାମ କେଶରୀ ରାୟ ଉପସ୍ଥିତ ଥିଲେ।

ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ନିର୍ମିତ ଓ ଆଇନ୍‌ ଅମାନ୍ୟ ଆନ୍ଦୋଳନରେ ସାରା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଅଳକା ଆଶ୍ରମ। ଭାରତ ଛାଡ଼ ଆନ୍ଦୋଳନ ସମୟରେ ଇଂରେଜ ସରକାର ଏହାକୁ ବେଆଇନ୍‌ ଘୋଷଣା କରିଥିଲେ। ତେବେ ସ୍ବାଧୀନତା ସଂଗ୍ରାମରେ ଅଳକା ଆଶ୍ରମ ଅବଦାନକୁ ସ୍ମରଣ କରି ଚଳିତବର୍ଷ ବର୍ଷବ୍ୟାପୀ ଅଳକା ଆଶ୍ରମ ଶତାବ୍ଦୀ ସମାରୋହ ପାଳନ କରାଯାଉଛି। ଏହି ଡାକ ଟିକେଟ୍‌ର ଉନ୍ମୋଚନ ପୂର୍ବରୁ ଜୟଦେବ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ରାଉତଙ୍କ ଆବାହକତ୍ଵରେ ଓ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶତବାର୍ଷିକୀ ସମାରୋହକୁ ସ୍ମରଣୀୟ କରିବାକୁ ମତ ରଖିଥିଲେ।

ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପ୍ରଶାସକ ସୂର୍ଯ୍ୟ ରଞ୍ଜନ ମହାନ୍ତି, ଗବେଷକ ମହେନ୍ଦ୍ର ଆଚାର୍ଯ୍ୟ, ରବି ନାରାୟଣ ଷଡ଼ଙ୍ଗୀ, ଆଲୋକ ଦାସ, ପ୍ରଶାନ୍ତ ଦାସ, ପ୍ରବୋଧ ପଟ୍ଟନାୟକ, ହେମନ୍ତ ରଥ, ଚୌଧୁରୀ ବରଦା ପ୍ରସନ୍ନ ଦାସ, ପ୍ରଣବ ଦେ, ସୁବୋଧ ନାୟକ, ସୁରେନ୍ଦ୍ର ତ୍ରିପାଠୀ, ହେମନ୍ତ ନାୟକ, ଲଲିତ ଲେଙ୍କା, ସୁଶୀଲ ପଟ୍ଟନାୟକ ପ୍ରମୁଖ ମତ ରଖିଥିଲେ। ୨୦୨୨ ଶ୍ରୀପଞ୍ଚମୀରୁ ଆରମ୍ଭ ହୋଇଥିବା ଏହି ସମାରୋହ ୨୦୨୩ ମସିହା ଶ୍ରୀପଞ୍ଚମୀ ଅବସରରେ ଉଦ୍‌ଯାପିତ ହେବ। ଏହାର ସମାବର୍ତ୍ତନ ଉତ୍ସବ ଦେଶର ତଥା ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସମେତ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ଗାନ୍ଧୀ ଅନୁଗାମୀଙ୍କ ଭବ୍ୟ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର