ଅଲାରନାଥଙ୍କ ଅଣସର ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ମନା, କୋଭିଡ କଟକଣା ପାଇଁ ଜାରି ହେଲା ୧୪୪ ଧାରା

୩୦ ତାରିଖ ଯାଏଁ ଦର୍ଶନ କରିପାରିବେନି ଭକ୍ତ, ଗଣମାଧ୍ୟମର ପ୍ରତିନିଧି ମଧ୍ୟ ଯାଇପାରିବେନି

ବ୍ରହ୍ମଗିରି: ସ୍ନାନଯାତ୍ରା ପରେ ଶ୍ରୀଜିଉମାନେ ଅଣସର ଘରେ ରହିବେ। ଏଥି ପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଅଲାରନାଥରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ଅଲାରନାଥ ମନ୍ଦିର ଚାରିପଟକୁ ସିଲ କରିଥିବା ଜଣାଯାଇଛି। ମହାପ୍ରଭୁଙ୍କ ସେବାରେ ଯେଉଁମାନେ ନିୟୋଜିତ ହେବେ, ସେଥିପାଇଁ ପ୍ରଶାସନ ତରଫରୁ କିଛି ସେବାୟତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏତଦ ବ୍ୟତୀତ ମନ୍ଦିର ଭିତରକୁ ଅନ୍ୟମାନେ ପ୍ରବେଶ କରିପାରିବେ ନାହିଁ।

ସୂଚନା ଅନୁସାରେ ଚଳିତ ଥର ମହାପ୍ରଭୁଙ୍କ ସେବାରେ ନୀତି ଥିବା ଓ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପାଇଥିବା ୧୧ ଜଣ ସେବାୟତ ନିୟୋଜିତ ହେବେ। ଅର୍ଥାତ ମନ୍ଦିର ଭିତରକୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ଯାଇପାରିବେ ନାହିଁ। ପ୍ରଶାସନ ଅଲାରନାଥ ମନ୍ଦିରର ସିଂହ ଦ୍ୱାର, ଆନନ୍ଦ ବଜାର, ଲକ୍ଷ୍ମୀ ମନ୍ଦିର ରାସ୍ତା, ଓ ଚନ୍ଦନ ଚକଡ଼ାକୁ ସିଲ କରିଛି। ଏହା ଆଜି ମଧ୍ୟରାତ୍ରରୁ ଆସନ୍ତା ୨୦ ତାରିଖ ପର୍ଯନ୍ତ ୧୪୪ ଧାରା ମନ୍ଦିର ଭିତରେ ଓ ବାହାରେ ଜାରି ହୋଇଛି।

ସେହିପରି ୩୦ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତ ଦର୍ଶନ କରିବା ପାଇଁ ମନ୍ଦିର ଭିତରକୁ ଯାଇପାରିବେ ନାହି। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ବାରଣ କରାଯାଇଥିବା ବ୍ରହ୍ମଗିରି ତହସିଲଦାର ତଥା ଅନ୍ତରୀଣ ଟ୍ରଷ୍ଟି ଅଧ୍ୟକ୍ଷ କିଶୋର କୁମାର ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର