ସବୁ ଜିଲ୍ଲାରେ ସ୍ଥାୟୀ ହେଲିପ୍ୟାଡ୍‌ ଯୋଜନା ଅଟକିଲା

ଭୁବନେଶ୍ୱର : ଭିଭିଆଇପି, ଭିଆଇପି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଗସ୍ତ ପାଇଁ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ଜିଲ୍ଲାକୁ ଯେପରି ଆକାଶ ପଥରେ ଯାତାୟତ କରିହେବ ସେଥିପାଇଁ ସମସ୍ତ ଜିଲ୍ଲାରେ ସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଥିଲେ। କିନ୍ତୁ ଏହି ହେଲିପ୍ୟାଡ୍‌ ନିର୍ମାଣ ପାଇଁ ଜିଲ୍ଲାପାଳମାନେ ଯେଉଁ ଖର୍ଚ୍ଚ ତାଲିକା ଦେଲେ ସେଥିରେ ସରକାରଙ୍କ ହୋସ୍‌ ଉଡ଼ିଯାଇଛି। ବର୍ତ୍ତମାନ ସ୍ଥିତିରେ ସମସ୍ତ ଜିଲ୍ଲାରେ ସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କରିବା ସମ୍ଭବ ନୁହେଁ କହି ଏହାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ ପାଇଁ ଯୋଜନା ହେବା ପରେ ଜିଲ୍ଲାପାଳମାନଙ୍କୁ ଭିିତ୍ତିଭୂମି ଯାଞ୍ଚ କରିବା ସହ ଖର୍ଚ୍ଚ ଅଟକଳ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। କିନ୍ତୁ କେତେକ ଜିଲ୍ଲାପାଳ ଆକଳନ ଠାରୁ ମାତ୍ରାଧିକ ଖର୍ଚ୍ଚ ତାଲିକା ଦେଇଥିଲେ। ତେଣୁ ଏବେ ସ୍ୱତନ୍ତ୍ର ଭାବେ ସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ ପ୍ରସ୍ତାବକୁ ସ୍ଥଗିତ ରଖାଯାଇଛି। ଏହା ବଦଳରେ ମଡେଲ୍‌ ହେଲିପ୍ୟାଡ୍‌ ନିର୍ମାଣ କରିବାକୁ କୁହାଯାଇଛି। ଏଥିରେ ହେଲିପ୍ୟାଡ୍‌ ପାଇଁ ନିର୍ମାଣ ହେବାକୁ ଥିବା ପଡ଼ିଆ, ବିଲଡିଂ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଯେପରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭିତ୍ତିଭୂମିର ସଦୁପଯୋଗ କରିହେବ ସେନେଇ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବଙ୍କୁ କୁହାଯାଇଛି। ପୂର୍ତ୍ତ ବିଭାଗ ପ୍ରସ୍ତାବ ଦେଲେ ଏହାର ରୂପରେଖ ପ୍ରସ୍ତୁତ ହେବ। ବର୍ତ୍ତମାନ ସୁଦ୍ଧା ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଯେଉଁଠି ବାତ୍ୟା ଆଶ୍ରୟସ୍ଥଳ ନିକଟରେ ଖୋଲା ପଡ଼ିଆ ଥିବ, ଯେଉଁଠି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ନିକଟରେ ବଡ଼ ଖେଳ ପଡ଼ିଆ ବା ଅଧିକ ସରକାରୀ ଜମି ଥିବା ସେହିଭଳି ସ୍ଥାନରେ ମଡେଲ୍‌ ହେଲିପ୍ୟାଡ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର