ଓଡିଶାର ସବୁ ଯୋଗ୍ୟ ଚାଷୀ ପିଏମ୍‌-କିଷାନ ଯୋଜନାର ଲାଭ ପାଇବେ : ତୋମାର

ଧ‌ର୍ମେନ୍ଦ୍ରଙ୍କ ଚିଠି ପରେ ନିର୍ଦ୍ଦେଶ ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ
‘୧୪.୫ ଲକ୍ଷ ଚାଷୀଙ୍କ କିସ୍ତି ନ ଦେବାକୁ ରାଜ୍ୟ ନିର୍ଦ୍ଦେଶ ଦେଇଛି’

ଭୁବନେଶ୍ୱର : ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ୍‌-କିଷାନ ଯୋଜନାରେ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ପତ୍ର ଲେଖିଛନ୍ତି। ଏହି ଚିଠି ଉପରେ କୃଷି ମନ୍ତ୍ରୀ ତତ୍‌କ୍ଷଣାତ ପଦକ୍ଷେପ ନେଇ ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ୍‌-କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବା ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜେ ଶ୍ରୀ ତୋମାର ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ଅନୁରୋଧ ରକ୍ଷା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରତିଶ୍ରୁତି ଦେଇଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସମସ୍ତ ପ୍ରଶାସନିକ ତଥା ପିଏମ୍‌-କିଷାନ ସହିତ ଜଡ଼ିତ ବିଷୟଗୁଡ଼ିକୁ ତୁରନ୍ତ ସମାଧାନ କରିବା ହେଉଛି ସରକାରଙ୍କ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ସମେତ ଭାରତବର୍ଷର ଚାଷୀଙ୍କ କଲ୍ୟାଣ ପାଇଁ ନିରନ୍ତର କାମ କରୁଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ଯେ ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଯୋଜନାର ଲାଭ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ କିପରି ମିଳିପାରିବ ସେ ନେଇ ରାଜ୍ୟ ସରକାର ଏବଂ ବିଭାଗୀୟ ମନ୍ତ୍ରଣାଳୟ ମଧ୍ୟରେ ଏକ ବୈଠକ ଡକାଯାଉ। ରାଜ୍ୟ ସରକାରଙ୍କୁ ଅତିରିକ୍ତ ବଲ୍କ ୱିଣ୍ଡୋ କ୍ଲିୟରାନ୍ସ କରିବା ପାଇଁ ଅନୁମତି ଦିଆଯାଉ। ଯାହା ଦ୍ୱାରା ହିତାଧିକାରୀଙ୍କ ସ୍ଥଗିତ ଥିବା କିସ୍ତି ଟଙ୍କାକୁ ଠିକ୍ କରାଯାଇ ତୁରନ୍ତ ବ୍ୟାଙ୍କ୍ ଖାତାକୁ ପଠାଯାଇପାରିବ। ଏହି ପ୍ରସଙ୍ଗରେ ସେ କୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ପ୍ରତି ଥର ପିଏମ୍‌-କିଷାନରେ ପ୍ରତି ଥର କିସ୍ତି ଦିଆଯିବା ପୂର୍ବରୁ ଛୋଟ ଛୋଟ ତ୍ରୁଟି ସଂଶୋଧନ ପାଇଁ ରାଜ୍ୟମାନଙ୍କୁ ସୁଯୋଗ ଦିଆଯାଏ। ଓଡ଼ିଶା ସରକାର ଚାଷୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ୍‌ କରିବା ପାଇଁ ପାଖାପାଖି ୧୪.୫ ଲକ୍ଷ ଚାଷୀଙ୍କ କିସ୍ତି ନ ଦେବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଯାହା ଭାରତର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଏକ ବଡ଼ ବ୍ୟତିକ୍ରମ। ଏହା ଦ୍ୱାରା ଓଡ଼ିଶାରେ ମାତ୍ର ୨୩ ଲକ୍ଷ ଚାଷୀ ପିଏମ୍‌-କିଷାନ ହିତାଧିକାରୀ ଲାଭ ପାଇପାରିଥିଲେ ।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଓଡ଼ିଶାରେ ପିଏମ୍‌-କିଷାନରେ ପଞ୍ଜୀକୃତ ସମସ୍ତ ଓଡ଼ିଆ ଚାଷୀ ଯେପରି ଭାବରେ ଏହାର ଲାଭ ପାଇପାରିବେ ସେ ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅଧିକାରୀ ତଥା ପ୍ରଶାସନ ଦ୍ୱାରା ଆବଶ୍ୟକ ପ୍ରକ୍ରିୟାକୁ ଅନୁପାଳନ ନ କରିବା ଯୋଗୁଁ ପିଏମ୍‌-କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଓଡ଼ିଶାର ଚାଷୀ ଲାଭ ପାଇପାରୁ ନାହାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ମତପ୍ରକାଶ କରିଥିଲେ। ଏହା ପରେ ଗତ ୩ ତାରିଖରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖିଥିଲେ। ପିଏମ୍‌-କିଷାନ ପୋର୍ଟାଲ୍‌ରେ ଚାଷୀଙ୍କ ତଥ୍ୟ ସଂଶୋଧନ ପାଇଁ କିପରି ରାଜ୍ୟ ସରକାରଙ୍କୁ ସୁଯୋଗ ମିଳୁନି, ସେ ସମ୍ପର୍କରେ ଶ୍ରୀ ସାହୁ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର