ଲୋକପାଳ, ସିବିଆଇ ନିର୍ଦେଶକଙ୍କ ଭଳି ନିର୍ବାଚନ କମିସନଙ୍କୁ ଚୟନ କରାଯାଉ: ୟେଚୁରୀ

ଭୁବନେଶ୍ବର : ଧର୍ମ ନିରପେକ୍ଷ ଦେଶକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ହୀନ ଉଦ୍ୟମ ହେଉଛି। ସାମ୍ବିଧାନିକ ସଂସ୍ଥାକୁ ଦୁର୍ବଳ ଓ ନିୟନ୍ତ୍ରଣ କରାଯାଉଛି। ସିଦ୍ଧାନ୍ତ ଓ ବିଚାରଧାରା ଆଧାରରେ ମିଳିତ ଭାବେ ଏହି ସବୁ ଆହ୍ବାନର ମୁକାବିଲା ନ କଲେ ଆଗାମୀ ଦିନରେ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ସିପିଆଇ(ଏମ୍‌)ର ମହାସଚିବ ସୀତାରାମ ୟେଚୁରୀ।

ସିପିଆଇ(ଏମ୍) ଓଡ଼ିଶା ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜନିୟର୍ସ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଶ୍ରୀ ୟେଚୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପୋଲିଂ ଏଜେଣ୍ଟ୍‌ ଓ ରିଟର୍ଣ୍ଣିଂ ଅଫିସରଙ୍କ ହିସାବ ମୁତାବକ ୩୦୦ ନିର୍ବାଚନ କ୍ଷେତ୍ରରେ ପଡ଼ିଥିବା ‌ଭୋଟ ଓ ଗଣତି ହୋଇଥିବା ଭୋଟ୍‌ ମଧ୍ୟରେ ତାଳମେଳ ନାହିଁ। ବିଜେପିକୁ କେତେ ଭୋଟ୍‌ ମିଳିଛି ତା’ର ହିସାବ ମଧ୍ୟ ନିର୍ବାଚନ କମିସନଙ୍କ ପାଖରେ ନାହିଁ। ନିର୍ବାଚନ କମିସନ ନିରପେକ୍ଷ ନିର୍ବାଚନ କରିବାର କ୍ଷମତା ପାଇଥିଲେ ହେଁ ତାହା ସମ୍ଭବତଃ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବାରୁ ଏପରି ସ୍ଥିତି ଉପୁଜିଛି। ତେଣୁ ଲୋକପାଳ ଓ ସିବିଆଇ ନିର୍ଦେଶକଙ୍କୁ ନିଯୁକ୍ତ କରାଯିବା ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କୁ ନିଯୁକ୍ତ କରାଯାଉ ବୋଲି ସେ କହିଛନ୍ତି। ନିର୍ବାଚନ ପୂର୍ବରୁ ନୋଟବନ୍ଦୀ ଓ ଜିଏସ୍‌ଟିକୁ ନେଇ ‌ସାଧାରଣ ଲୋକଙ୍କ ଦୈନଦିନ ଜୀବନ ଉପରେ ଯେଉଁ ଆକ୍ରମଣ ହୋଇଥିଲ ତାହାକୁ ଲୋକଙ୍କ ମନରୁ ହଟାଇବାକୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଏଜେଣ୍ଡା କରାଯାଇ ଲୋକଙ୍କ ଆବେଗ ସହିତ ଖେଳି ଭୋଟ୍‌ ହାତେଇବାକୁ ଉଦ୍ୟମ ହୋଇଥିଲା ବୋଲି ସେ କହିଥିଲେ।

ବଜେଟ୍‌ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ‌େୟଚୁରୀ କହିଲେ, ନିର୍ବାଚନ ସମୟରେ କର୍ପୋରେଟ୍‌ ହାଉସ୍‌ ଯେଉଁ ସହଯୋଗ ଯୋଗାଇ ଦେଇଥିଲେ ବିଜେପି ତାଙ୍କୁ ଏହି ବଜେଟ୍‌ ମାଧ୍ୟମରେ ପେ-ବ୍ୟାକ୍‌ କରିଛି। ଏହି ବଜେଟ୍‌ ଧନୀଙ୍କୁ ଆହୁରି ଧନୀ ଓ ଗରିବଙ୍କୁ ଆହୁରି ଗରିବ କରିବ। କେତେକ କର୍ପୋରେଟ୍‌ ହାଉସ୍‌ ଜୀବନକାଳ ମଧ୍ୟରେ ଯେତିକି ଆୟ କରିପାରି ନ ଥିଲେ ତା’ଠୁ ଅଧିକ ଏଇ ଗତ ୫ ବର୍ଷ ମଧ୍ୟରେ କରିଛନ୍ତି। ଏହା ହିଁ ବଜେଟ୍‌ର ରୂପରେଖକୁ ସୂଚେଇ ଦେଉଛି। ସେ ଏକଥା ମଧ୍ୟ କହିଲେ, ସମ୍ବିଧାନକୁ ଜଳାଞ୍ଜଳି ଦେଇ ସାମ୍ପ୍ରଦାୟିକତା ଓ ଜାତିବାଦକୁ ନେଇ ଭୋଟ ହାତେଇବାକୁ ଉଦ୍ୟମ କରାଯାଇଛି। ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରେ ଜାତିବାଦକୁ ନେଇ ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରାଯାଇଛି। ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ପାଇଁ ଚକ୍ରାନ୍ତ କରାଯାଇଛି। ଏଥିସହ ସେ ଇଲେକ୍ଟୋରାଲ୍‌ ବଣ୍ଡ୍‌ର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ଜାତୀୟ ଶିକ୍ଷା ନୀତି ବହୁ ଅତୀତକୁ ଫେରାଇ ନେବ ବୋଲି କହିଛନ୍ତି। ତେଣୁ ରବୀନ୍ଦ୍ରନାଥ ଟାଗୋରଙ୍କ ଏକ୍‌ଲା ଚଲୋ ନୀତିରେ ନଯାଇ ମିଳିତ ଭାବେ ଏହି ପରିସ୍ଥିତିର ମୁକାବିଲା କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅବସରରେ ସିପିଆଇ(ଏମ୍‌)ର ରାଜ୍ୟ ସଭାପତି ଜନାର୍ଦନ ପତି, ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ବରିଷ୍ଠ ନେତା ଶିବାଜୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏକମାତ୍ର ବାମପନ୍ଥୀ ନେତା ଭାବେ ବିଧାୟକ ହୋଇଥିବା ଲକ୍ଷ୍ମଣ ମୁଣ୍ଡାଙ୍କୁ ଏହି ଅସବରରେ ଶ୍ରୀ ୟେଚୁରୀ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର