ଆମ୍ବୁଲାନ୍ସ ନିୟାମକକୁ ଖୋଲାଖୋଲି ଉଲ୍ଲଘଂନ : ଖୋର୍ଦ୍ଧା ଜିଲ୍ଲାରେ ବିନା ଯାଞ୍ଚରେ ଗଡ଼ୁଛି ମାଳମାଳ ଆମ୍ବୁଲାନ୍ସ

ଅନେକ ଆମ୍ବୁଲାନ୍ସରେ ରୋଗୀଙ୍କ ପାଇଁ ନାହିଁ ଆବଶ୍ୟକ ସୁବିଧା, ଜରୁରୀକାଳୀନ ପରିସ୍ଥିତିରେ ଘରୋଇ ଆମ୍ବୁଲାନ୍ସ ମାଲିକଙ୍କ ଶୋଷଣର ଶିକାର ହେଉଛନ୍ତି ରୋଗୀ

ଖୋର୍ଦ୍ଧା : ଘରୋଇ ଆମ୍ବୁଲାନ୍ସ ସେବା ଦ୍ବାରା ଅନେକ ରୋଗୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସର ସେବା ନିମନ୍ତେ ଦେୟ ମନଇଚ୍ଛା ଆଦାୟ କରାଯାଉଥିବା ବେଳେ ଅନେକ ଆମ୍ବୁଲାନ୍ସରେ ରୋଗୀଙ୍କ ପାଇଁ ଆବଶ୍ୟକ ସୁବିଧା ନଥିବା ଦେଖିବାକୁ ମିଳିଛି। ୨୦୧୮ରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟର ନିୟମାନୁସାରେ ଆମ୍ବୁଲାନ୍ସ ଗୁଡ଼ିକର ନିୟମିତ ଯାଞ୍ଚ କରିବା ନିର୍ଦ୍ଦେଶ ରହିଥିଲେ ମଧ୍ୟ ଜିଲ୍ଲାରେ ଏହା ପାଳନ ହେଉନାହିଁ। ଫଳରେ ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ଘରୋଇ ଆମ୍ବୁଲାନ୍ସ ମାଲିକଙ୍କ ଶୋଷଣର ଶିକାର ହେଉଛନ୍ତି।

ଘରୋଇ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଯାନଗୁଡ଼ିକ ପାଇଁ ସରକାରୀ ଟ୍ୟାକ୍ସ ଆଦି କୋହଳ କରାଯାଇଥାଏ। କେବଳ ଏହାନୁହେଁ ବ୍ୟାଙ୍କ ଋଣ ଆଦିର ମଧ୍ୟ ଅନେକ ସୁବିଧା ପ୍ରଦାନ କରାଯାଏ। ଏଣୁ ଅନେକ ଆମ୍ବୁଲାନ୍ସ ନାମରେ ଯାନ କିଣି ନାମକୁ ମାତ୍ର ଆମ୍ବୁଲାନ୍ସ ଲେଖି ସରକାରଙ୍କ ଅନେକ ସୁବିଧା ହାତେଇଥାନ୍ତି। ତେବେ ଅପ୍ରିଲ୍ ୨୦୧୮ରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଆମ୍ବୁଲାନ୍ସ ଅନୁମତିର ଅପବ୍ୟବହାରକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ କୋଡ୍‌ରେ ସଂଶୋଧନ କରିଥିଲେ। କେବଳ ଜଣେ ରୋଗୀ ଶୋଇବା ଭଳି ବ୍ୟବସ୍ଥା, ସବୁଜ ଆଲୋକ ଓ ସାଇରନ ଥିବା ଗାଡ଼ିକୁ ଆମ୍ବୁଲାନ୍ସର ମାନ୍ୟତା ଦେବା ଉପରେ ରୋକ୍‌ ଲଗାଇଥିଲେ। ନୂତନ ଆମ୍ବୁଲାନ୍ସ କୋଡ୍ ଅନୁସାରେ, ଆମ୍ବୁଲାନ୍ସ ଭାବେ ପଞ୍ଜିକୃତ ଗାଡ଼ିଗୁଡ଼ିକରେ ରୋଗୀଙ୍କୁ ନେବା ଆଣିବା କରିବାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଓ ଯାତାୟାତ ବେଳେ ‘ବାହ୍ୟ ହସ୍‌ପିଟାଲ୍ ସ୍ବାସ୍ଥ୍ୟ ସେବା’ ନିମନ୍ତେ ଉପକରଣ ଥିବା ନିହାତି ଆବଶ୍ୟକ। ଏଥିପାଇଁ ଆମ୍ବୁଲାନ୍ସକୁ ୪ ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ରହିଛି। ପ୍ରଥମ ବିଭାଗର ଆମ୍ବୁଲାନ୍ସରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଉପକରଣ ରହିବା ଆବଶ୍ୟକ। ସେହିଭଳି ଅନ୍ୟ ତିନିଟି ବିଭାଗରେ ଷ୍ଟ୍ରେଚର, ଟ୍ରାକ୍ସନ ଯନ୍ତ୍ରପାତି, ଷ୍ଟେସନାରୀ ଅକ୍ସିଜେନ୍, କାର୍ଡିଆକ୍ ମନିଟର, ରକ୍ତଚାପ ମାପକ ଯନ୍ତ୍ର ଆଦି ସହ ଜରୁରୀକାଳୀନ ଯନ୍ତ୍ରପାତି ରଖାଯିବା ଆବଶ୍ୟକ। କେବଳ ଏହାନୁହେଁ ଆମ୍ବୁଲାନ୍ସ ପାଇଁ ବ୍ୟବହୃତ ହେଉଥିବା ଯାନଗୁଡ଼ିକର ନିୟମିତ ଫିଟ୍‌ନେସ୍‌ ଯାଞ୍ଚ କରି ଆମ୍ପୁଲାନ୍ସ କୋଡ୍‌ର ମାନକ ପୂରଣ କରି ପାରୁ ନ ଥିବା ଯାନଗୁଡ଼ିକର ପଞ୍ଜିକରଣ ରଦ୍ଦ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି।

ଅନୁସନ୍ଧାନରୁ ଜଣାଯାଇଛି ଯେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଦୈନିକ ୨୦ରୁ ଉର୍ଦ୍ଧ୍ବ ଘରୋଇ ଆମ୍ବୁଲାନ୍ସ ଚଳାଚଳ କରୁଛି। ସେଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତ ଆମ୍ବୁଲାନ୍ସରେ ସରକାରଙ୍କ ନିର୍ଦ୍ଧାରିତ ନିୟମାନୁସାରେ ରୋଗୀଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବାରେ ଆବଶ୍ୟକ ଉପକରଣ ନାହିଁ। ଏପରିକି ଅନେକ ଆମ୍ବୁଲାନ୍ସରେ ପ୍ରଶିକ୍ଷିତ ପାରାମେଡିକାଲ୍ କର୍ମଚାରୀ ମଧ୍ୟ ନାହାନ୍ତି। ଏସବୁ ସତ୍ତ୍ବେ ରୋଗୀମାନଙ୍କ ଠାରୁ କେବଳ ଆମ୍ବୁଲାନ୍ସ ସେବା ନାମରେ ଅଧିକ ଦେୟ ଆଦାୟ କରାଯାଉଛି। ପ୍ରତି ଆମ୍ବୁଲାନ୍ସ ପିଛା କିଲୋମିଟର ହିସାବରେ ୧୦ଟଙ୍କାରୁ ୧୫ଟଙ୍କା ଆଦାୟ କରାଯାଉଥିବା ଜଣାଯାଇଛି। ଏନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ (ପ୍ରଶାସନ) ନାରାୟଣ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଆମ୍ବୁଲାନ୍ସଗୁଡ଼ିକର ଯାଞ୍ଚ ଆଦି ସେମାନଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ଏଥିପାଇଁ ଆର୍‌ଟିଓ ଅନୁମତି ଦେଉଛି ଓ ନିୟମାନୁସାରେ ଯାନଗୁଡ଼ିକର ସ୍ବାସ୍ଥ୍ୟ ଉପକରଣ ଅଛିକି ନାହିଁ ତାହା ଯାଞ୍ଚ କରିବାର ଦାୟିତ୍ବ ପରିବହନ କାର୍ଯ୍ୟାଳୟର। ଅପରପକ୍ଷରେ ଏନେଇ ଖୋର୍ଦ୍ଧା ଜିଲ୍ଲା ପରିବହନ ଯାଞ୍ଚ ଅଧିକାରୀ ଅମିତ ରଣାଙ୍କ ସହ ଯୋଗାଯୋଗ କରିବାରେ ସ୍ବାସ୍ଥ୍ୟଗତ କାରଣରୁ ସେ ବ୍ୟସ୍ତ ଥିବାରୁ ଏନେଇ ଏବେ କିଛି କହିପାରିବେ ନାହିଁ କହିଛନ୍ତି।

ସମ୍ବନ୍ଧିତ ଖବର