ନବୀନ ସରକାର ଉପରେ ବର୍ଷିଲେ ଅମିତ୍‌ ଶାହ

ଏଥର ଓଡ଼ିଆ କହୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ, ଓଡ଼ିଶା ବିକାଶରେ କଂଗ୍ରେସ-ବିଜେଡି ବାଧକ

କଟକ/ନିଶ୍ଚିନ୍ତକୋଇଲି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପେକ୍ଷାକୃତ ‌ନରମ ଆଭିମୁଖ୍ୟ ଗ୍ରହଣ କରି ଚାଲିଥିବ‌ା ବେଳେ ବିଜେପି ସଭାପତି ଅମିତ ଶାହ କିନ୍ତୁ ଆଜି ଭିନ୍ନ ରୂପରେ ଅବତୀର୍ଣ୍ଣ ହୋଇଥିବ‌ାର ଦେଖିବାକୁ ମିଳିଛି। ଓଡ଼ିଶାର ଦିନିକିଆ ଗସ୍ତରେ ଆସିଥିବା ଅବସରରେ ଶାହ ରାଜ୍ୟରେ ନବୀନ ସରକାର ଉପରେ ମନଖୋଲି ବର୍ଷିଛନ୍ତି। କହିଛନ୍ତି ‌େଯ ନବୀନଙ୍କ ୧୯ ବର୍ଷ କାର୍ଯ୍ୟକାଳ ସମୟରେ କୌଣସି ବିକାଶ ହୋଇନାହିଁ। କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟିର ଅନୁଦାନ ଦେଉଛନ୍ତି, କିନ୍ତୁ ଏହାକୁ କାମରେ ଲଗାଯାଉନି। ବିଜେପି କ୍ଷମତାକୁ ଆସିଲେ ବିକାଶ କରିବ। ବିଜେପିକୁ ଜିତାଇବା ଲାଗି ସେ ଅନୁରୋଧ କରିଛନ୍ତି। ତେବେ ତାଙ୍କର ମିସନ୍ ୧୨୦ ପ୍ଲସ୍ ଟାର୍ଗେଟ ବିଷୟରେ ପ‌ଦୁଟିଏ ମଧ୍ୟ କହି ନାହାନ୍ତି।

ଆଜି ମଧ୍ୟାହ୍ନ ୧୨ଟା ୪୫ରେ ଶ୍ରୀ ଶାହ ସତ୍ୟଭାମାପୁରସ୍ଥିତ ମଧୁବାବୁଙ୍କ ଜନ୍ମପୀଠରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଓଡ଼ିଆ ସ୍ବାଭିମାନ ଓ ଅସ୍ମିତାର ପ୍ରତୀକ ମଧୁବାବୁଙ୍କ ଜନ୍ମମାଟିରୁ ହିଁ ନୂ୍ଆ ଓଡ଼ିଶା ଗଠନ ହେବ ବୋଲି କହିଥିଲେ। ଏହାପରେ ସେ ନିଶ୍ଚିନ୍ତକୋଇଲି ବ୍ଲକ୍‌ କୁଳିଆସ୍ଥିତ ଆରଏମ୍‌ସି ପଡିଆରେ ଅବିଭକ୍ତ କଟକ ଜିଲ୍ଲାର ୪ଟି ଲୋକସଭା ଓ ୨୮ଟି ବିଧାନସଭାର ବୁଥ୍‌ସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଓ ବକ୍ସି ଜଗବନ୍ଧୁଙ୍କ ସ୍ମୃତିଚାରଣ କରି ଜଣେ ଓଡ଼ିଆ କହୁଥିବା ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ମଧୁବାବୁଙ୍କ ପୀଠରୁ ସଂକଳ୍ପ ନେବାକୁ କର୍ମୀମାନଙ୍କୁ କହିଥିଲେ। ସେ କହିଥିଲେ ଯେ ନବୀନ ବାବୁଙ୍କୁ ୧୯ବର୍ଷର ସମୟ ଦେଲେ। ବିକାଶ ହେଲାନି। କିନ୍ତୁ ବିଜେପିକୁ ଥରେ କ୍ଷମତା ଦିଅନ୍ତୁ, ଓଡ଼ିଶାକୁ ଭାରତର ୧ନମ୍ବର ରାଜ୍ୟ କରିଦେବୁ। ୧୯ବର୍ଷର ଶାସନକୁ ୨୦୧୯ ନିର୍ବାଚନରେ ହିଁ ସମାପ୍ତ କରନ୍ତୁ। ଯେ ପର୍ଯ୍ୟନ୍ତ ମୋଦିଜୀ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିନାହାନ୍ତି, ସେ ପର୍ଯ୍ୟନ୍ତ କୌଣସି କର୍ମକର୍ତ୍ତା ଆରାମରେ ‌ଶୁଅନ୍ତୁ ନାହିଁ। ଏହାସହିତ ବୁଥ୍‌ସ୍ତରୀୟ କର୍ମକର୍ତ୍ତାଙ୍କୁ ଶ୍ରୀ ଶାହ ନିର୍ବାଚନୀ ପାଠ ପଢାଇଛନ୍ତି। ଶ୍ରୀ ଶାହ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ରାଜ୍ୟର ବିକାଶରେ କଂଗ୍ରେସ ଓ ବିଜେଡି ବାଧକ ସାଜିଛନ୍ତି ବୋଲି କହିବା ସହ ଓଡ଼ିଶାରେ ଏଥର ଯେପରି ବିଜେପି ଶାସନ କରିବ ସେଥିପାଇଁ ଅବିରତ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି। ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ କରୁଥିବା ଗଠବନ୍ଧନ ଫେଲ୍‌ ମାରିବ ଓ ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।

ରାହୁଲ ଗାନ୍ଧିଙ୍କ ୪ ପିଢିର ସରକାର ଓଡ଼ିଶାକୁ ଯେତିକି ଦେଇ ନଥିଲେ ନରେନ୍ଦ୍ର ମୋଦି ତା’ଠାରୁ ଢ଼େର ଅଧିକ ଓଡ଼ିଶାକୁ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାର ଓଡ଼ିଶାକୁ ଦେଇଥିବା ଅନୁଦାନର ରିପୋର୍ଟ କାର୍ଡ ରଖିଥିଲେ। ଗତ ୫ବର୍ଷ ଭିତରେ ବିକାଶମୂଳକ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୫ଲକ୍ଷ ୧୩ହଜାର କୋଟିର ଅନୁଦାନ ଦେଇଛନ୍ତି। ଏହା ସତ୍ତ୍ବେ ଓଡ଼ିଶାର ବିକାଶ ହୋଇ ନଥିବାରୁ ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ବିଜେପି ହାତରେ ଶାସନ ଦେବାକୁ ଅନୁରୋଧ କହିଥିଲେ। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ହୋଇ ନଥିବାରୁ ରାଜ୍ୟବାସୀ ଏହାର ସୁବିଧାରୁ ବଞ୍ଚିତ ହେଉଛନ୍ତି। ପଞ୍ଚାୟତ ନିର୍ବାଚନର ଫଳାଫଳ ସୂଚନା ଦେଇଛି ଯେ, ଏଥର ରାଜ୍ୟରେ ବିଜେପି ସରକାର କରିବ ବୋଲି ଶ୍ରୀ ଶାହ କହିଥିଲେ। ତେବେ, ଯେଉଁଭଳି ଢ଼ଙ୍ଗରେ ଶାହଙ୍କ ଆକ୍ରମଣାତ୍ମକ ଭାଷଣ ଶୁଣିବା ପାଇଁ କର୍ମୀମାନେ ଅପେକ୍ଷା କରିଥିଲେ ସେଭଳି ଶୁଣିବାକୁ ମିଳିଲା ନାହିଁ। ଏପରିକି ମିଶନ୍‌ ୧୨୦ ପ୍ଲସ୍‌ କଥା ସେ ଭାଷଣରେ ଥରଟିଏ ବି ଉଠାଇ ନଥିଲେ। ହେଲେ, ରାଜ୍ୟ ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍‌ ପ୍ରମୁଖ ଆଜିର ସଭାରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସଭାରେ ଶ୍ରୀ ଶାହଙ୍କ ସମେତ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଝାରୀ, ପୂର୍ବତନ ମନ୍ତ୍ରୀ ସମୀର ଦେ, ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ବିଧାୟକ କନକବର୍ଦ୍ଧନ ସିଂଦେଓ, ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡା, ବିଜେପି ମୁଖପାତ୍ର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ଗୋଲକ ମହାପାତ୍ର, ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ନୟନ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ସଂପାଦିକା ସୀମନ୍ତିନୀ ଜେନା, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପ-ସଭାପତି ଠାକୁର ରଞ୍ଜିତ୍ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଜଗତ୍‌ସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦୁ‌େର୍ଯ୍ୟାଧନ ସାହୁ, ଯାଜପୁର ଜିଲ୍ଲା ସଭାପତି ଗୈାତମ ରାୟ, ଚୌଧୁରୀ ହେମନ୍ତ ସାହୁ, ମାହାଙ୍ଗାର ଯୁବନେତା ସାରଦା ପ୍ରଧାନଙ୍କ ସମେତ ବହୁ ତୁଙ୍ଗନେତା ମଞ୍ଚାସୀନ ଥିଲେ।

ଉତ୍କଳ ବଦଳରେ ଉତ୍ତରପ୍ରଦେଶ
ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଆଜି ଶ୍ରୀ ଶାହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ହେଲେ, ଏହି ପ୍ରସଙ୍ଗ ଉଠାଇବା ବେଳେ ଶ୍ରୀ ଶାହ ବାରମ୍ବାର ଉତ୍କଳ ବଦଳରେ ଉତ୍ତର ପ୍ରଦେଶ ବୋଲି କହୁଥିବା ଦେଖାଯାଇଥିଲା। ଶେଷପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶ ନାମ ଉଚ୍ଚାରଣ ନେବାରୁ ଏହାକୁ ନେଇ ସଭାରେ ମୃଦୁ ଗୁଞ୍ଜରଣ ଶୁଣାଯାଇଥିଲା।

ସମ୍ବନ୍ଧିତ ଖବର