ଅନ୍ତର୍ଜାତୀୟ କୁଷ୍ଠ ଦିବସ ଆଜି: ହାତୀବାରି କୁଷ୍ଠାଶ୍ରମରେ ମାନବାଧିକାର ଉଲ୍ଲଂଘନ

ସରକାରୀ ଅସ୍ଫୃଶ୍ୟତାର ଶିକାର ଅନ୍ତେବାସୀ

ସମ୍ବଲପୁର/ଯୁଯୁମୁରା: ଗୋଟିଏ ଦିନ ପରେ ଅନ୍ତର୍ଜାତୀୟ କୁଷ୍ଠ ଦିବସ। କୁଷ୍ଠ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ ହେଉଛି। ମାତ୍ର ରାଜ୍ୟର ସର୍ବପୁରାତନ ସମ୍ବଲପୁର ଜିଲ୍ଲା ହାତୀବାରି କୁଷ୍ଠାଶ୍ରମରେ ମାନବାଧିକାର ଉଲ୍ଲଂଘନ ହେଉଛି। ଖାଦ୍ୟ ବାବଦରେ ଏହି ଅନୁଷ୍ଠାନକୁ ଦିଆଯାଉଛି ମାସିକ ମାତ୍ର ୧୫ ଶହ ଏବଂ ପୋଷାକ ବାବଦରେ ବାର୍ଷିକ ୩ ଶହ ଟଙ୍କା। କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ନ୍ୟୁନତମ ଶଯ୍ୟା ବ୍ୟବସ୍ଥା ନଥିବାରୁ ତଳେ ଶୋଉଛନ୍ତି, ଏମସିଆର ଜୋତା ଛିଣ୍ଡି ଯାଇଛି, ନିୟମିତ ଡାକ୍ତର କିମ୍ବା ଡ୍ରେସର ମଧ୍ୟ ନାହାନ୍ତି। ନୂଆ ରୋଗୀଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନଥିବାରୁ ରୋଗ ଉପଷମ ହେବା ବଦଳରେ ଜଟିଳ ହେବାର ଆଶଙ୍କା ରହିଛି। କୁଷ୍ଠାଶ୍ରମ ପରିଚାଳନା ଦାୟିତ୍ବ ହିନ୍ଦ କୁଷ୍ଠ ନିବାରଣ ସଂଘର ରହିଛି। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏହାର ରାଜ୍ୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଥିଲାବେଳେ ଜିଲ୍ଲାରେ ଜିଲ୍ଲାପାଳ ସର୍ବୋଚ୍ଚ ପଦାଧିକାରୀ। ମାତ୍ର ଅନ୍ତେବାସୀଙ୍କ ଏଭଳି ଦୟନୀୟ ସ୍ଥିତି କୁଷ୍ଠ ନିରାକରଣ ପାଇଁ ସରକାର କେତେ ସଜାଗ ସେନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଖାଦ୍ୟ ପାଇଁ ୧୫ ଶହ, ପୋଷାକ ପାଇଁ ବର୍ଷକୁ ୩ ଶହ
ଡ୍ରେସର ନାହାନ୍ତି, ୨ ବର୍ଷ ହେଲା ମିଳିନି ଜୋତା

କୁଷ୍ଠରୋଗ ଯୋଗୁଁ ବାସନ୍ଦର ଶିକାର ଅନ୍ତେବାସୀଙ୍କ ଅବସ୍ଥା କୁଷ୍ଠାଶ୍ରମରେ ଆହୁରି ଶୋଚନୀୟ ହୋଇ ପଡ଼ିଛି। ଏଠାରେ ସେମାନେ ଖାଦ୍ୟ, ପୋଷାକ, ବାସଗୃହ, ସ୍ବାସ୍ଥ୍ୟ ଏବଂ ଶିକ୍ଷାଭଳି ନ୍ୟୁନତମ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ନୂଆ କୁଷ୍ଠଆକ୍ରାନ୍ତ ଏଠାକୁ ଆସୁଛନ୍ତି। ଗୁରୁତରଙ୍କୁ ରାଉରକେଲା ପଠାଇ ଦିଆଯାଉଛି। ଅନ୍ୟମାନଙ୍କର ଉପଯୁକ୍ତ ଚିକିତ୍ସା କରାଯାଉ ନଥିବାରୁ କ୍ଷତ ଆହୁରି ଗୁରୁତର ହେଉଛି। ଏହି ରୋଗୀଙ୍କ କ୍ଷତ ଯୋଗୁଁ ଏମସିଆର୍ ଜୋତା ନିହାତି ଆବଶ୍ୟକ। କାଚ କିମ୍ବା ମାଟି, ଧୁଳି ଲାଗିଲେ ଏହା ସଂକ୍ରମିତ ହୋଇଯାଏ। ଏଥି ପାଇଁ ସବୁ ରୋଗୀଙ୍କୁ ବାର୍ଷିକ ୨ଟି ଏମସିଆର ଜୋତା ଦରକାର। ମାତ୍ର ୨୦୧୭ ମସିହାରୁ ଏଠାକାର ଅନ୍ତେବାସୀଙ୍କୁ ଜୋତା ମିଳି ନାହିଁ। ଏଥି ଯୋଗୁଁ ଦୁଇ ବର୍ଷ ମଧ୍ୟରେ ଆସିଥିବା ଆକ୍ରାନ୍ତଙ୍କ ପାଖରେ ଏମସିଆର ଜୋତା ନଥିବାବେଳେ ପୁରୁଣା ଅନ୍ତେବାସୀଙ୍କ ଜୋତା ଛିଣ୍ଡି ଯାଇଛି। ଏପରିକି ରୋଗୀଙ୍କ କ୍ଷତ ସଫା କରିବା ପାଇଁ ଡ୍ରେସର ମଧ୍ୟ ନାହାନ୍ତି। ଡ୍ରେସିଂ ରୁମ ଭାଙ୍ଗି ଯାଇଛି। ୨ ଜଣ ନର୍ସଙ୍କୁ ଡ୍ରେସର ଦାୟିତ୍ବ ଦିଆ ଯାଇଥିବାବେଳେ ସେମାନେ ରୋଗୀଙ୍କୁ ହିଁ ନିଜେ ନିଜର କ୍ଷତ ଡ୍ରେସିଂ କରିବାକୁ କହୁଥିବା ସୂଚନା ମିଳିଛି। ଏଠାରେ କେବଳ ଜଣେ ଠିକା ଡାକ୍ତର ଅଛନ୍ତି। ସେ ମଧ୍ୟ କେବଳ ସପ୍ତାହରେ ଥରେ ଆସନ୍ତି। ଡାକ୍ତରଖାନାରେ ନିୟମିତ ଡାକ୍ତର ଆବଶ୍ୟକ ଥିବାବେଳେ ଏହାକୁ ସ୍ବାସ୍ଥ୍ୟ କେନ୍ଦ୍ରଭାବେ ମଧ୍ୟ ବିବେଚନା କରାଯାଉ ନାହିଁ। ରୋଗୀଙ୍କ ପାଇଁ ଶଯ୍ୟା ନାହିଁ। ଅଧିକାଂଶ ତଳେ ଶୋଉଥିବାବେଳେ କିଛି ଘରୁ ଆଣିଥିବା ଭଙ୍ଗା ଖଟିଆରେ ଶୋଉଛନ୍ତି। ଆଶ୍ରମରେ କିଛି କୁଷ୍ଠଆକ୍ରାନ୍ତ ଅନ୍ତେବାସୀଙ୍କ ସନ୍ତାନ ମଧ୍ୟ ଅଛନ୍ତି। ସେମାନେ କୁଷ୍ଠମୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ କୌଣସି ସ୍କୁଲରେ ପଢିବାକୁ ସୁଯୋଗ ମିଳୁ ନାହିଁ। ୪ ଜଣ ଶିଶୁ ଏହିଭଳି ଅଭିଯୋଗ କରିଛନ୍ତି। ଏହି ଆଶ୍ରମରେ ୪ଟି କର୍ମଚାରୀ କ୍ବାର୍ଟର୍ସ ଥିଲା। ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାରଣରୁ ସେଗୁଡ଼ିକୁ ଭାଙ୍ଗି ଦିଆଯାଉଛି। ଏହାର ପୁନଃନିର୍ମାଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ୭୮ ଲକ୍ଷ ଟଙ୍କା ଦିଆଯାଇଛି। ହେଲେ ଆଜି ପର୍ଯ୍ୟନ୍ତ କ୍ବାଟର ନିର୍ମାଣ ହୋଇ ନାହିଁ। ଏଥି ଯୋଗୁଁ କୌଣସି କର୍ମଚାରୀ ଏଠାରେ ଅନ୍ତେବାସୀଙ୍କ ସହିତ ରହନ୍ତି ନାହିଁ। ୨ ଜଣ ନର୍ସ ଏଠାରେ ଥିଲେ ବି ସେମାନଙ୍କୁ ୨୦୧୭ ମସିହାରୁ ଦରମା ଦିଆଯାଇ ନାହିଁ। ଆଶ୍ରମ କୋଠା ମରାମତି ପାଇଁ କୌଣସି ଅନୁଦାନ ଏପର୍ଯ୍ୟନ୍ତ ମିଳି ନାହିଁ। କୋଠାରେ ପାଣି ଗଳୁଛି। ଏହି ଆଶ୍ରମ ଅନ୍ତେବାସୀ ବାହାରକୁ ଯିବାକୁ ସୁଯୋଗ ନାହିଁ। ଏଥି ପ୍ରତି ଦୃଷ୍ଟି ଦିଆ ଯିବାର ଆବଶ୍ୟକତା ରହିଛି।

କୁଷ୍ଠମୁକ୍ତ ହେବା ପରେ ବାସନ୍ଦ
କୁଷ୍ଠମୁକ୍ତ ହେବା ପରେ ମଧ୍ୟ ଅନ୍ତେବାସୀମାନେ ବାସନ୍ଦର ଶିକାର ହେଉଛନ୍ତି। ସୋନପୁର ଜିଲ୍ଲାର ଜଣେ କୁଷ୍ଠମୁକ୍ତ ଅନ୍ତେବାସୀ ନିଜ ଗାଁକୁ ଯାଇ ଫେରି ଯାଇଛନ୍ତି। କୁଷ୍ଠମୁକ୍ତ ହେବା ପରେ ମଧ୍ୟ ଗ୍ରାମବାସୀ ତାଙ୍କୁ ଗ୍ରହଣ କରିବାକୁ ରାଜି ନହେବାରୁ ସ୍ତ୍ରୀ’ ବାଧ୍ୟ ହୋଇ ରୋଗୀଙ୍କୁ ପୁଣି ଆଶ୍ରମରେ ଛାଡ଼ିଥିବା କହିଛନ୍ତି। ଏହା କେବଳ ଉଦାହରଣ, ଅଧିକାଂଶ କୁଷ୍ଠମୁକ୍ତ ବାସନ୍ଦ ଯୋଗୁଁ ଏହି ଆଶ୍ରମ ଛାଡ଼ି ଯାଇପାରୁ ନାହାନ୍ତି। ତେଣୁ ସେମାନଙ୍କୁ କୌଣସି ଆର୍ଥିକ କାର୍ଯ୍ୟକ୍ରମରେ ଯୋଡ଼ା ଯିବାର ଆବଶ୍ୟକତା ରହିଥିବା କିଛି ଅଧିବାସୀ କହିଥିଲେ। ଆଶ୍ରମରେ ୪୦୦ରୁ ଅଧିକ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ବଲପୁର ଜିଲ୍ଲା ବାହାରୁ ଆସିଛନ୍ତି। ମାତ୍ର ସେମାନଙ୍କୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ପରିଚୟ ପତ୍ର ମିଳୁ ନାହିଁ। କହିବାକୁ ଗଲେ ଏକବିଂଶ ଶତାବ୍ଦୀରେ ବି ଏହି କୁଷ୍ଠାଶ୍ରମର ଅନ୍ତେବାସୀମାନେ ସରକାରୀସ୍ତରରେ ଅଛୁଆଁ ହୋଇ ରହିଛନ୍ତି।

ସମ୍ବନ୍ଧିତ ଖବର