ଆଜି କଟକ ଆସିବେ ଅମିତ୍‌ ଶାହ; ପୁଲିସର କାର୍‌କେଡ୍‌ ରିହର୍ସାଲ୍‌, ମକ୍ ଡ୍ରିଲ୍

କଟକ : ଆଜି ପୂର୍ବାହ୍‌ଣ ୧୧ଟାରେ ଜବାହରଲାଲ୍ ନେହରୁ ଇନଡୋର୍ ଷ୍ଟାଡିୟମ୍‌ରେ ହେବାକୁ ଥିବା ‘ପ୍ରଜାତନ୍ତ୍ର’ର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ ଭୁବନେଶ୍ବର ମେ’ ଫେୟାର୍‌ ହୋଟେଲରୁ ଜାତୀୟ ରାଜପଥ ଦେଇ କଟକ ଆସିବେ। ଲିଙ୍କରୋଡ୍‌ରୁ ବାଦାମବାଡ଼ି ଦେଇ ସେ ପ୍ରଥମେ ଓଡ଼ିଆବଜାରସ୍ଥିତ ‌ନେତାଜୀ ସୁଭାଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚି ନେତାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପ୍ରଜାତନ୍ତ୍ର ଉତ୍ସବସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି।

ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ସୁରକ୍ଷାବଳର ମକ୍‌ଡ୍ରିଲ୍‌

ଶ୍ରୀ ଶାହଙ୍କ ସଫଳ ଓ ସୁରକ୍ଷିତ ଯାତାୟତ ପାଇଁ ଭୁବନେଶ୍ବରୁ କଟକ ପର୍ଯ୍ୟନ୍ତ ରବିବାର ଅପରାହ୍‌ଣରେ ପୁଲିସ୍ ପକ୍ଷରୁ କାରକେଡ୍‌ ରିହର୍‌ସାଲ୍‌ ଓ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଏହି କାରକେଡ୍‌ ରିହରସାଲ୍‌ରେ ୧୨ଟି ଗାଡି ଭୁବନେଶ୍ବର ମେ’ ଫେୟାର୍‌ ହୋଟେଲରୁ ବାହାରି ଜାତୀୟ ରାଜପଥ ୧୬ଦେଇ ଅପରାହ୍‌ଣ ୨ଟାରେ କଟକରେ ପହଞ୍ଚିଥିଲା। ସହରରେ ମଧୁପାଟଣା ଛକରୁ ବାଦାମବାଡ଼ି-ଲିଙ୍କ୍ ରୋଡ୍‌, ଦୋଳମୁଣ୍ଡାଇ, ହରିପୁର ରୋଡ୍‌, ସେମିନାରି ଛକ ଓ ଦରଘାବଜାର ଦେଇ ଅପରାହ୍‌ଣ ୨ଟାରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ପହଞ୍ଚିଥିଲା। ସେଠାରୁ ବାହାରିବା ପରେ ତିନିକୋଣିଆବଗିଚା, ବକ୍ସିବଜାର ଛକ, ମିସନ୍‌ରୋଡ୍‌, ଚଣ୍ଡୀଛକ, କେମ୍ବ୍ରିଜ୍ ସ୍କୁଲ ଦେଇ ବାରବାଟୀ ଦୁର୍ଗ ଭିତରର ଉତ୍ସବସ୍ଥଳ ଜବାହାରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ପହଞ୍ଚିଥିଲା। ସେଠାରୁ ଡିଅର୍‌ପାର୍କ, ମହାନଦୀ ରିଂବନ୍ଧ, ଯୋବ୍ରା ଦେଇ ଜାତୀୟ ରାଜପଥରେ କାରକେଡ୍‌ ଭୁବନେଶ୍ବର ଅଭିମୁଖେ ଯାଇଥିଲା। ଏଥିରେ ବରି‌ଷ୍ଠ ପୁଲିସ ଅଧିକାରୀମାନେ ଥିଲେ। କାର୍‌କେଡ୍‌ ସହିତ ବିଜେପିର ଏକ ଶୋଭାଯାତ୍ରା ଦଳ ଥିଲା ଯେଉଁଥିରେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁ, ବରି‌ଷ୍ଠ ବିଜେପି ନେତା ନୟନ କି‌ଶୋର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ସାରଦା ପ୍ରଧାନ, ସତ୍ୟବ୍ରତ ମିଶ୍ର, ମହମ୍ମଦ ସବୀର, ଶ୍ରୀତମ ଦାସ, ନମିତା ମିଶ୍ର, ଶଶିକାନ୍ତ ଦାସ ପ୍ରମୁଖ ସାମଲି ହୋଇଥିଲେ। ଶ୍ରୀ ଶାହଙ୍କୁ କଟକରେ ଭବ୍ୟ ସ୍ବାଗତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି।

ହେଲିପ୍ୟାଡ୍‌ରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟମାନେ

ଏସ୍‌ସିବି ମେଡିକାଲ୍‌ରେ ସ୍ବତନ୍ତ୍ର ପ୍ରସ୍ତୁତି

କଟକ : ଆଜି କଟକ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ। ଗସ୍ତକୁ ନେଇ ଏସ୍‌ସିବିରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏସ୍‌ସିବିରେ କାର୍ଡିଓଲୋଜି, କାର୍ଡିଓଥୋରାସିସ୍‌, ମେଡିସିନ୍‌, ନିଶ୍ଚେତନ, ନ୍ୟୁରୋସର୍ଜରି, ନ୍ୟୁରୋଲୋଜି ଓ ପଲ୍‌ମ୍ୟୁନାରି ମେଡିସିନ୍‌ ବିଭାଗ ପ୍ରଫେସର୍‌ଙ୍କୁ ନେଇ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି। ତିନୋଟି ସ୍ଥାନରେ ଆଇସିୟୁ ବେଡ଼୍‌ ପ୍ରସ୍ତୁତ ରଖାଯିବା ସହ ଓଟି, ଏଏଲ୍‌ଏସ୍‌ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି। ଏସ୍‌ସିବି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର