ଉଗ୍ରରୂପ ନେଲା ଅମଲା–ରାଜନେତା ବିବାଦ

ବ୍ଲକ୍‌ ପ୍ରଶାସନ ପକ୍ଷରୁ କଳା ବ୍ୟାଜ୍‌ ପିନ୍ଧି ପ୍ରତୀକ ଧାରଣା, ଆଜି ଏସ୍‌ପିଙ୍କୁ ଭେଟିବ ବିଜେପି ପ୍ରତିନିଧି ଦଳ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ପରିସରରେ ଗତକାଲି ବିଜେପି ନେତା ରାଘବ ମଲ୍ଲିକ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ରରୂପ ଧାରଣ କରିଛି। ବିଜେପି ନେତା ଶ୍ରୀ ମଲିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବା ପାଇଁ ଆଜି ଅମଲା ସଂଘ ଏକତ୍ର ହୋଇ ଦାବି କରିବା ସହ କଳାବ୍ୟାଜ୍‌ ପରିଧାନ କରି ପ୍ରତୀକ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଆସନ୍ତା ୨୧ ତାରିଖଠାରୁ ସମ୍ପୂର୍ଣ୍ଣ କଲମ ଛାଡ ଆନ୍ଦୋଳନ କରିବା ପାଇଁ ଡାକରା ଦେଇଛି। ଏ ପଟେ ବିଜେପି ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାନ୍ତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବି କରିବା ସହ ଆସନ୍ତାକାଲି ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟିବ। ଏପରିକି ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେପି ଜିଲ୍ଲା ସଭାପତି ସନ୍ନ୍ୟାସୀ ନାୟକ ସମ୍ବାଦକୁ ସୂଚନା ଦେଇଛନ୍ତି। ଉଭୟ ଅଭିଯୋଗ ଆଧାରରେ ପୁଲିସ୍‌ ପକ୍ଷରୁ ୨ଟି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ବିଡିଓ ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି କିଛି ତଥ୍ୟ ପ୍ରସ୍ତୁତ କରୁଥିବା ସମୟରେ ରାଘବ ମଲ୍ଲିକ କିଛି ବ୍ୟକ୍ତିଙ୍କ ସହିତ ଆସି ଉଚ୍ଚସ୍ବରରେ ପାଟି କରିବା ସହ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେ ବାହାରି ଆସି ଶ୍ରୀ ମଲ୍ଲିକଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। କିନ୍ତୁ ବିଜେପି ନେତା ଶ୍ରୀ ମଲିକଙ୍କ ଅଭିଯୋଗ ଅନୁଯାୟୀ ସେ ଚଢେୟାପଲ୍ଲୀ ପଞ୍ଚାୟତର କିଛି ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କୁ ଅଭିଯୋଗ କରିବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅପରାହ୍ଣ ପ୍ରାୟ ୨ଟା ୫୦ ମିନିଟ୍‌ରେ ବିଡିଓ ଶ୍ରୀ ମହାନ୍ତି କାର୍ଯ୍ୟାଳୟକୁ ଆସି କବାଟ ବନ୍ଦ କରିଦେଇଥିଲେ। ପରେ ପିଅନ ଦ୍ବାରା ଡକାଇବାରୁ ହଠାତ୍ ବିଡିଓ ଚାଲିଆସି ଅଶ୍ଳୀଳ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି କାର୍ଯ୍ୟାଳୟରୁ ବାହାରିଯିବା ପାଇଁ କହିଥିବା ଶ୍ରୀ ମଲ୍ଲିକ ଅଭିଯୋଗରେ ଦର୍ଶାଇଛନ୍ତି। ଉଭୟଙ୍କ ପକ୍ଷରୁ ଗତକାଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ଆଜି ଏହି ଘଟଣା ଉଗ୍ରରୂପ ଧାରଣ କରିଛି।

ସମ୍ବନ୍ଧିତ ଖବର