ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ

ବୈପାରିଗୁଡା: ନଦୀ ପାର ହେବାବେଳେ ଗୋଡ଼ ଖସି ଯିବାରୁ ଜଣେ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ବାଙ୍କୁଲିଯୋଡି ଗ୍ରାମର ବେତୃ ସାନ୍ତା (୬୦) ନିଜ ପତ୍ନୀ ସାଦେଇ ସହ ଗତକାଲି ରାମଗିରି ସାପ୍ତାହିକ ହାଟକୁ ଯାଇଥିଲେ। ଫେରିବା ବାଟରେ ମାଟିଖାଲଗୁଡାରେ ରହୁଥିବା ଭଣଜା ଘରକୁ ଯାଇ ସେଠାରେ ରାତ୍ରୀଯାପନ କରିଥିଲେ। ଆଜି ଦିନ ପ୍ରାୟ ସାଢେ଼ ଏଗାରଟା ସମୟରେ ଘରକୁ ଫେରୁଥିବା ବେଳେ ଗାଆଁ ପାଖ ଖାମାରଗାଡ ନଦୀ ପାର ହେଉଥିବା ବେଳେ ଗୋଡ଼ ଖସି ଯିବାରୁ ବେତୃ ପ୍ରଖର ସୁଅରେ ଭାସିଯାଇ ପାଣି ଭିତରେ ବୁଡ଼ି ଯାଇଥିଲେ।

ବେତୃଙ୍କ ପତ୍ନୀ ସାଦେଇ ଗାଆଁକୁ ଆସି ଗ୍ରାମବାସୀଙ୍କୁ ଜଣାଇବାରୁ ସେମାନେ ନଦୀରେ ଖୋଜିବାକୁ ଚେଷ୍ଟା କରି ବିଫଳ ହେବା ପରେ ବୈପାରିଗୁଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର ହାବିଲଦାର ଉମେଶ ଚନ୍ଦ୍ର ବାଗ୍, ଗାଡ଼ି ଚାଲକ ଅଚ୍ୟୁତ ଓରାମ, ଆଗ୍ନିକ ଠାକୁର ଚାଲାଣ, ଏମ୍ ଶବର, ବି ସାହୁ ଓ ଜି. ହିକିମ ବହୁତ ଚେଷ୍ଟା କରିବା ପରେ ମଧ୍ୟ ବେତୃର ସନ୍ଧାନ ପାଇ ପାରିନଥିଲେ। ସନ୍ଧ୍ୟା ହୋଇଯିବାରୁ ପୁଣିଥରେ ଆସନ୍ତାକାଲି ନିଖୋଜ ବେତୃଙ୍କୁ ଠାବ କରିବେ ବୋଲି ଅଗ୍ନିଶମ ବିଭାଗ ତରଫରୁ ପ୍ରକାଶ।

ସମ୍ବନ୍ଧିତ ଖବର