କୋଟିଆରେ ପୁଣି ଧସେଇ ପଶିଲା ଆନ୍ଧ୍ର

ପଟାଙ୍ଗି ବିଡିଓଙ୍କ ବିରୋଧ ପରେ ଫେରିଗଲେ ଟିମ୍‌

କୋରାପୁଟ/ପଟାଙ୍ଗି : କିଛିଦିନର ନିରବତା ପରେ ପୁଣିଥରେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର କୋଟିଆରେ ଧସେଇ ପଶିଛି ଆନ୍ଧ୍ର। ଆନ୍ଧ୍ରପ୍ରଦେଶ ମାନ୍ୟମ୍‌ ଜିଲ୍ଲା ପାର୍ବତୀପୁରମ ମଣ୍ଡଳର ଏକ ସ୍ୱାସ୍ଥ୍ୟ ଟିମ୍‌ ଆଜି କୋଟିଆ ପଞ୍ଚାୟତ ସଦର ଓ ଗଞ୍ଜେଇପଦରରେ ପହଞ୍ଚି ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ। ଖବର ପାଇ କୋଟିଆ ପୁଲିସ ଓ ବିଡିଓ ବିରୋଧ କରିବା ପରେ ଏହି ଟିମ୍‌ ଫେରିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପାର୍ବତୀପୁରମ ମଣ୍ଡଳର ଏକ ସ୍ୱାସ୍ଥ୍ୟ ଟିମ୍‌ ପ୍ରଥମେ ଭ୍ରାମ୍ୟମାଣ ଗାଡ଼ିରେ କୋଟିଆରେ ପହଞ୍ଚିଥିଲେ। ଏକ ସ୍ବାସ୍ଥ୍ୟ ଶିବିରର ଆୟୋନ କରି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଥିଲେ ଏହି ଟିମ୍‌। ୨୦ରୁ ଅଧିକ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବଣ୍ଟନ କରିସାରିଥିଲେ। ଏହି ଖବର ପାଇବା ମା‌ତ୍ରେ କୋଟିଆ ପୁଲିସ ପହଞ୍ଚି ବିରୋଧ କରିବା ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ କୋଟିଆ ଛାଡ଼ି ତଳ ଗଞ୍ଜେଇପଦରରେ ପହଞ୍ଚି ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲେ। ତେବେ, ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ର ତତ୍‌କ୍ଷଣାତ୍‌ ସେଠ‌ାରେ ପହଞ୍ଚିଥିଲେ। ସେଠାରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ସେ ଦେଖିବାକୁ ପାଇଥିଲେ। ଏବଂ, କେଉଁଠୁ ଆସିଛି ବୋଲି ଏହି ଟିମ୍‌କୁ ପଚାରିଥିଲେ। ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଯୁକ୍ତିତର୍କ ହୋଇଥିଲା। ବିଡିଓଙ୍କ ବିରୋଧ ପରେ ସ୍ବାସ୍ଥ୍ୟଟିମ୍‌ ସେଠାରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ବାରମ୍ବାର ଆନ୍ଧ୍ର ସରକାର କୋଟିଆ ଗ୍ରାମପୁଞ୍ଜରେ ପହଞ୍ଚି ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରି ନିଜ ରାଜ୍ୟ ଆଡ଼କୁ ଆକୃଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି। ତେବେଳ ପ୍ରଶାସନିକ ଅଧିକାରୀ ଓ ପୁଲିସ ପ୍ରଶାସନ ମଧ୍ୟ ଏହାର ଦୃଢ଼ ଜବାବ ଦେଇ ଆସୁଥିବା ଆଜିର ଘଟଣାରୁ ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖରେ ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାର ଏସ୍‌ପି ଭି. ବିଦ୍ୟାସାଗର ନାଇଡୁଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ ଟିମ୍‌ କୋଟିଆ ଗ୍ରାମପୁଞ୍ଜରେ ପଶିଥିଲା। ଗାଁଗାଁରେ ଲୋକଙ୍କୁ ଏହି ଟିମ୍‌ ସଚେତନ କରିଥିଲେ। ସ୍ୱାସ୍ଥ୍ୟର ଯତ୍ନ ନେବା, ଦିଶା ଏସ୍‌ଓଏସ୍‌, ମଦ ନିବାରଣ ସଂପର୍କରେ ସଚେତନ କରିବା ପରେ ଏହି ଟିମ୍‌ ଫେରିଯାଇଥିଲେ। ଏହାର ୫ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୨୯ ତାରିଖରେ ଆନ୍ଧ୍ରପ୍ରଦେଶର କିଛି ସ୍ବାସ୍ଥ୍ୟକର୍ମୀ କୋଟିଆ ପଞ୍ଚାୟତର ପନିକି ଗ୍ରାମରେ ଅନୁପ୍ରବେଶ କରି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷାକରି‌‌ ଫେରୁଥିବା ବେଳେ ପଟ୍ଟାଙ୍ଗି ବିଡିଓ ଶ୍ରୀ ମିଶ୍ର ଏମାନଙ୍କୁ ଅଧା ରାସ୍ତାରେ ଅଟକାଇ ପରିଚୟପତ୍ର ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର