ଆନ୍ଧ୍ର ପଞ୍ଚାୟତ ନିର୍ବାଚନ: ଗଞ୍ଜାମର ୮ ଗାଁର ୫୦ରୁ ଉର୍ଦ୍ଧ୍ବ ଭୋଟ ଦେଲେ 

ପୁଲିସ, ପ୍ରଶାସନ ଜଗିଲା, ଗଜପତି ଗଙ୍ଗାବାଡ଼ରୁ କେହି ଭୋଟ ଦେଲେନି

ପାତ୍ରପୁର/ବ୍ରହ୍ମପୁର : ପ‌ଡ଼ୋଶୀ ଆନ୍ଧ୍ର ପ୍ରଦେଶରେ ଶନିବାର ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲା ସୀମାନ୍ତବର୍ତ୍ତୀ କିଛି ଗ୍ରାମବାସୀ ଆନ୍ଧ୍ରରେ ଭୋଟ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ୮ଟି ଗାଁର ୫୦ରୁ ଅଧିକ ଲୋକ ଭୋଟ ଦେଇଥିବା କୁହାଯାଉଛି। ଏପରିକି ଓଡ଼ିଶାର ଲୋକମାନେ ଭୋଟ ଦେଇଥିବା ଆନ୍ଧ୍ର ପ୍ରଦେଶର ଜଣେ ସରପଞ୍ଚ ପ୍ରାର୍ଥୀ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଗଞ୍ଜାମର କେହି ବି ଆନ୍ଧ୍ରରେ ଭୋଟ ଦେଇ ନ ଥିବା ଗଞ୍ଜାମ ପ୍ରଶାସନ କହିଛି। ମତଦାନରୁ ଲୋକଙ୍କୁ ବିରତ ରଖିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ସୀମାନ୍ତ ୫ଟି ଗାଁରେ ‘ମୋ ଗାଁରେ ତହସିଲ’ ଶିବିର ଆୟୋଜନ କରିଥିଲା। କିନ୍ତୁ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ୭ଟି ଗାଁରେ ପ୍ରଶାସନ ଓ ପୁଲିସର ନାକା, ପଇଁତରା ଭୟରେ ଜଣେ ବି ଆନ୍ଧ୍ରରେ ଭୋଟ ଦେଇ ନ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ଟି.ବ୍ରହ୍ମପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପି.ବାବୁଜୀ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି, ଟି.ବ୍ରହ୍ମପୁର ଗାଁର କିଛି ଅଂଶ ଗଞ୍ଜାମ ଏବଂ ଆନ୍ଧ୍ରରେ ରହିଛି। ଉକ୍ତ ଗ୍ରାମର କିଛି ବାସିନ୍ଦାଙ୍କ ନିକଟରେ ଉଭୟ ଅଞ୍ଚଳର ଭୋଟର କାର୍ଡ଼ ରହିଛି। ଏ ସଂକ୍ରାନ୍ତରେ ଇଚ୍ଛାପୁର ଓ ପାତ୍ରପୁର ପ୍ରଶାସନକୁ ଅବଗତ କରାଯାଇଛି। କିନ୍ତୁ ଆଜି ଟି.ବ୍ରହ୍ମପୁର ଗ୍ରା‌ମର ୩୭ଜଣ ଏବଂ ଜୟପୁର ଗ୍ରାମର ୧୩ ଜଣରୁ ଅଧିକ ଆନ୍ଧ୍ରର ଟି.ବ୍ରହ୍ମପୁର ପଞ୍ଚାୟତ ଲାଗି ‌ଭୋଟ ଦେଇଥିବା ସ‌େ ଦାବି କରିଛନ୍ତି। ସେହିପରି ତୁମ୍ବା ପଞ୍ଚାୟତର କୁଲାଡ଼ି, ସାତପୁରୀ ଓ ବାଞ୍ଜୁଆ ସାହିରେ୧୪୦ ଜଣ ଭୋଟର ରହିଛନ୍ତି। ଗଞ୍ଜାମ ପ୍ରଶାସନ ଏହି ଗାଁ ଗୁଡ଼ିକ ଉପରେ ତୀକ୍ଷ୍‌ଣ ନଜର ରଖିଥିଲା। ଏପରି କି କୁଲାଡ଼ି ଗ୍ରାମବାସୀ ଆନ୍ଧ୍ରରେ ଭୋଟ ଦେବେ ନାହିଁ ବୋଲି ପାତ୍ରପୁର ତହସିଲଦାର ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଆଜି କୁଲାଡ଼ି ଓ ସାତପୁରୀର କିଛି ଲୋକ ଆନ୍ଧ୍ରର ତାଳଗୁରାଣ୍ଠି ପଞ୍ଚାୟତରେ ଭୋଟ ଦେଇଥିବା ଜଣାପଡ଼ିଛି। ‌ତେ‌ବେ ଏହି ଦୁଇ ଗ୍ରାମର କେତେଜଣ ଭୋଟ ଦେଇଛନ୍ତି ତାହାର ସଠିକ୍‌ ତଥ୍ୟ ହସ୍ତଗତ ହୋଇନାହିଁ।
ଆନ୍ଧ୍ରପ୍ରଦେଶର ଜଗନ୍ନାଥପୁରକୁ ଲାଗି ଗଞ୍ଜାମର ଏ.ଶରଧାପୁର ଗାଁର ରହିଛି। ଏ.ଶରଧାପୁର ଗାଁର କିଛି ଲୋକ ମଧ୍ୟ ଆନ୍ଧ୍ରରେ ଭୋଟ ଦେଇଥିବା ଜଣାପଡ଼ିଛି। ସେହିପରି ପାତ୍ରପୁର ବ୍ଲକ୍‌ ବୁରାତାଲ ପଞ୍ଚାୟତର ବିବାଦୀୟ ଗାଁ ଗୁଡ଼ିଖଳାର କିଛି ଲୋକ ମଧ୍ୟ ଆନ୍ଧ୍ରର ବୁଡ଼ାର୍‌ସିଂ ପଞ୍ଚାୟତରେ ଭୋଟ ଦେଇଥିବା କୁହାଯାଉଛି। ଏହି ଗ୍ରାମଟି ଗଞ୍ଜାମ, ଗଜପତି ଓ ଆନ୍ଧ୍ର ସୀମାକୁ ଲାଗି ରହିଛି। ଶନିବାର ଦିନ ଗଞ୍ଜାମ ଓ ଗଜପତି ପ୍ରଶାସନ ଏହି ଗାଁ ଡେରା ପକାଇଥିବା ଦେଖିବାକୁ ମିଳିଥିଲା। ଏହା ସ‌ତ୍ତ୍ବେ ଲୋକେ ଭୋଟ ଦେଇଛନ୍ତି।
ଶନିବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ୍‌.ଭି, ବିଡିଓ ପ୍ରକାଶ ଚନ୍ଦ୍ର ଦାସ ଓ ତହସିଲଦାର ଅମିତ କୁମାର ନାୟକ କୁଲାଡ଼ି ସମେତ ସୀମାନ୍ତ ଗ୍ରାମ ଗୁଡ଼ିକ ବୁଲି ସ୍ଥିତି ପରଖି ଥିଲେ। ଉପଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି, ଗଞ୍ଜାମର କୌଣସି ଲୋକ ‌ଆନ୍ଧ୍ରରେ ଭୋଟ ଦେଇ ନାହାନ୍ତି। ଏହା କେବେଳ ଗୁଜବ। ସୀମାନ୍ତ ଅଞ୍ଚଳ ବିକାଶ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏହି ଅଞ୍ଚଳର ଲୋକମାନଙ୍କ ଯାହା ବି ସମସ୍ୟା ରହିଛି ତାହାର ତୁରନ୍ତ ସମାଧାନ କରାଯିବ।
ସମ୍ବନ୍ଧିତ ଖବର