ଭାରତରେ ଆଉ ୧୯ ଟିକା, ୫୭ ଦେଶକୁ ଟିକା ଯୋଗାଇବ ଭାରତ

୧ କୋଟି ୬୬ ଲକ୍ଷ ଟିକା ନେଇସାରିଲେଣି

ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲାରେ ଦେଶର ବୈଜ୍ଞାନିକଙ୍କୁ ଅଭୂତପୂର୍ବ ସଫଳତା ମିଳିଛି। ଭାରତୀୟ ବୈଜ୍ଞାନିକମାନେ ଦିନରାତି ଏକ କରି ମାତ୍ର କିଛି ମାସ ମଧ୍ୟରେ ଦୁଇଟି ଟିକା ବିକଶିତ କରିବା ସହ ସାଧାରଣ ଜନତାଙ୍କ ଲାଗି ଉପଲବ୍ଧ କରାଇପାରିଛନ୍ତି। ଆଉ ୭ଟି ଟିକା ଏବେ କ୍ଲିନିକାଲ୍‌ ଟ୍ରାଏଲ୍‌ର ବିଭିନ୍ନ ପର୍ଯ୍ୟାୟରେ ରହିଛି। ସେଥିମଧ୍ୟରୁ ୨ରୁ ୩ଟି ଖୁବ୍‌ଶୀଘ୍ର ବଜାରକୁ ଆସିବ। ଏହାବ୍ୟତୀତ ଆଉ ପ୍ରାୟ ୧୨ଟି ଟିକା ପ୍ରି-କ୍ଲିନିକାଲ ଟ୍ରାଏଲ୍‌ରେ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ଗୁରୁବାର ହୋଟେଲ ମେଫେୟାର କନ୍‌ଭେନ୍‌ସନ୍‌ରେ ଆୟୋଜିତ ଓ-ଟିଭିର ଫୋରସାଇଟ୍‌-୨୦୨୧ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଯୋଗଦେଇ ଡ. ହର୍ଷବର୍ଦ୍ଧନ କହିଥିଲେ ଯେ କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ବର୍ଷେ ୨ ମାସ ବିତିଗଲାଣି। ଏହି ଯୁଦ୍ଧରେ ଆମକୁ ମିଳିଥିବା ଅଭୂତପୂର୍ବ ସଫଳତାର ଶ୍ରେୟ କୋଟିକୋଟି ଭାରତୀୟଙ୍କର। ବିଶ୍ବରେ ଯେଉଁଭଳି ଭାବେ କରୋନା ବ୍ୟାପୁଥିଲା ଭାରତର ୩୦ରୁ ୪୦ କୋଟି ଲୋକ ଆକ୍ରାନ୍ତ ହେବା ସହ ୬୦ରୁ ୭୦ ଲକ୍ଷ ଲୋ‌କ ପ୍ରାଣ ହରାଇବେ ବୋଲି ଆଶଙ୍କା କରାଯାଉଥିଲା। ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ କିଛି ବି ନିୟନ୍ତ୍ରଣରେ ରହିବ ନାହିଁ ବୋଲି ଅନ୍ୟମାନେ କହୁଥିଲେ। ତା’ପରେ ବି ଆମକୁ ସଫଳତା ମିଳିଛି। କରୋନା ଯୋଦ୍ଧାଙ୍କ ଦିନରାତି ପରିଶ୍ରମ ପରେ ଭାରତ ବିକଶିତ ଦେଶଙ୍କ ତୁଳନାରେ ବହୁ ଆଗରେ ରହିଛି ଏବଂ ବିଶ୍ବଗୁରୁ ଭାବେ ନିଜକୁ ପ୍ରତିପାଦନ କରିପାରିଛି।

ଟିକାକରଣ ସମ୍ପର୍କରେ ଡ. ହର୍ଷବର୍ଦ୍ଧନ କହିଛନ୍ତି ଯେ ଏବେ ସୁଦ୍ଧା ୧ କୋଟି ୬୬ ଲକ୍ଷ ଲୋକ ଟିକା ନେଇସାରିଲେଣି। କେବଳ ବୁଧବାର ୯ ଲକ୍ଷ ୯୪ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଭାରତର ବୈଜ୍ଞାନିକଙ୍କ ସହାୟତାରେ ବିକଶିତ ହୋଇଥିବା ଟିକା ନେବା ଲାଗି ବିଶ୍ବର ଅନ୍ୟ ଦେଶଗୁଡ଼ିକ ଆଗ୍ରହ ଦେଖାଇଛନ୍ତି। ୨୧ ଦେଶକୁ ଗ୍ରାଣ୍ଟ ମାଧ୍ୟମରେ ଓ ୩୬ ଦେଶକୁ ଚୁକ୍ତି ମାଧ୍ୟମରେ ମୋଟ ୫୭ଟି ଦେଶ ପାଇଁ କରୋନା ଟିକା ଉପଲବ୍ଧ କରାଯାଇଛି। ଭାରତରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ରହିଛି। ତେଣୁ ବିନା କୌଣସି ସଙ୍କୋଚ କିମ୍ବା ଦ୍ୱିଧାରେ ଲୋକ ଟିକା ନିଅନ୍ତୁ। ଏହାର ସେପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଟିକା ଆସିଥିବା ବେଳେ କରୋନା ଏବେ ନିୟନ୍ତ୍ରଣରେ ରହିଛି। ତା’ମାନେ ଆମେ ଭାବିବାନି ଯେ କରୋନା ଶେଷ ହୋଇଗଲା। ମାସ୍କ ପିନ୍ଧିବା, ସାମାଜିକ ଦୂରତା ଓ ହାତ ଧୁଆକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଫଳରେ କରୋନା ଯୁଦ୍ଧରେ ଆମେ ଜୟଯୁକ୍ତ ହୋଇପାରିବା। ଗହଳିକୁ ନିୟନ୍ତ୍ରଣକୁ ଆଣିବା ସହ ଟେଷ୍ଟିଂ ସଂଖ୍ୟା ବଢ଼ାଇବାକୁ ପଡ଼ିବ। ତାହାହେଲେ ଯାଇ ପଜିଟିଭ ସଂଖ୍ୟା କମିବ। ଖାମଖିଆଲି ମନୋଭାବ ପୋଷଣ କଲେ ପରିସ୍ଥିତି ପୁଣି ସାଂଘାତିକ ହୋଇଯିବ ବୋଲି ସେ ଚେତାଇ ଦେଇଥିଲେ।

ସମ୍ବନ୍ଧିତ ଖବର