ପୁଣି ୩୨ ଏକର ଗଂଜେଇ ଗଛ ନଷ୍ଟ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଂଚଳରେ ପର୍ଯ୍ୟାପ୍ତ ଗଂଜେଇ ଚାଷ ହୋଇଛି। କିପରି ଏହାକୁ ରୋକାଯାଇପାରିବ ସେଥିନେଇ ପୁଲିସ ଓ ଅବକାରୀ ବିଭାଗ ତତ୍ପର ହୋଇ ଉଠିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ତତ୍ତ୍ବାବଧାନରୁ ପୁଲିସ ବିଭାଗର କର୍ମଚାରୀ ଦୁର୍ଗମ ଅଂଚଳର ଗୁଣ୍ଡାବାଡା ଗ୍ରାମରେ ୩୨ ଏକର ସରକାରୀ ଜମିରେ ବେଆଇନ ଭାବେ ଲଗାଯାଇଥିବା ୪୮ ହଜାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ଲଗାତାର ନକ୍ସଲ ପ୍ରବଣ ଅଂଚଳରେ ପୁଲିସ କର୍ମଚାରୀ ପଶି ଲୋକଙ୍କୁ ଏହି ଚାଷରୁ ନିବୃତ୍ତ ରହିବାକୁ ପ୍ରବର୍ତ୍ତାଉଥିବା ବେଳେ ଗଂଜେଇ ଗଛକୁ କାଟି ନଷ୍ଟ କରିବାରେ ଲାଗିଛି। ତଥାପି ଏହି ଚାଷରୁ ଲୋକେ ନିବୃତ୍ତ ହେଉନାହାନ୍ତି।

ଏହା ଏକ ଲାଭଜନକ ଚାଷ ହୋଇଥିବାରୁ ଲୋକେ ଏଥିରେ ସମ୍ପୃକ୍ତ ରହୁଥିବା କୁହାଯାଉଛି। ଏବେ ସୁଦ୍ଧା ପୁଲିସ ବିଭାଗ ତରଫରୁ ଶହେ କୋଟିରୁ ଊର୍ଦ୍ଧ୍ବ ଗଂଜେଇ ଗଛ ନଷ୍ଟ କରାଗଲାଣି। ପୁଲିସର ଓ ଅବକାରୀ ବିଭାଗର ଏତାଦୃଶ କାର୍ଯ୍ୟକଳାପ ଦେଖି ମାଫିଆମାନେ ଚିନ୍ତିତ ହୋଇ ଉଠିଛନ୍ତି। ଆଗାମୀ ଦିନରେ ସ୍ବାଭିମାନ ଅଂଚଳର ଲୋକଙ୍କୁ ଗଂଜେଇ ଚାଷରୁ ନିବୃତ୍ତ ରହି ପାରଂପାରିକ ଚାଷକୁ ଆପଣାଇବାକୁ ପ୍ରୋତ୍ସାହିତ କରାଯିବ ବୋଲି କୁହଯାଇଛି। ଏହି ଚଢଉ ଜାରି ରହିବ ବୋଲି ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର