ନୂଆପଡ଼ାରେ ଥମୁନି ଦାଦନ ଦୁଃଖ: ପୁଣି ଜଣେ ଦାଦନଙ୍କ ମୃତ୍ୟୁ

କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ରେ ଦାଦନ ଦୁଃଖ ଥମିବାର ନା ନେଉନାହିଁ। ୩ ମାସ ତଳେ ବ୍ଲକ୍‌ର ବାବେଘାଟି ଓ କୁଞ୍ଜଲ ପଡ଼ାର ଶ୍ରମିକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବଣର କରିଥିଲେ। ଶୁକ୍ରବାର କୋମନା ବ୍ଲକ୍‌ ନୂଆଗାଁ ପଞ୍ଚାୟତର ବିଷ୍ଣୁ ହାତୀ (୫୧ ବର୍ଷ) ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶର ନିରେଲଗୁଡ଼ାର ମୃତ୍ୟୁବରଣ କରିଛନ୍ତି। କେମିକାଲ୍‌ ଟାବଲେଟ୍‌ କମ୍ପାନିରେ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ କୋମନା ବ୍ଲକ୍‌ କାଳୀମାଟି ଗାଁର ବିଷ୍ଣୁ ହାତୀଙ୍କ ଜମି ବାଡି ବହୁତ କମ୍‌ ଥିଲା। ୨ ଝିଅ ଓ ଜଣେ ପୁଅ ବିବାହିତ ହୋଇଥିଲେ ମଧ୍ୟ ସମସ୍ତଙ୍କ ବୋଝ ବିଷ୍ଣୁଙ୍କ ମୁଣ୍ଡ ଉପରେ ଥିଲା। ମହାଜନଙ୍କ ଠାରୁ ଧାର କରଜ ଅନେକ କରିଥିଲେ। ଗାଁରେ ବି ସବୁଦିନ କାମଧନ୍ଧା ମିଳୁନଥିଲା। ସେଥିପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ରୋଜଗାର କରୁଥିଲେ। ମାସେ ତଳେ ତାଙ୍କ ସ୍ତ୍ରୀଙ୍କୁ ଘରେ ଛାଡ଼ି ଆନ୍ଧ୍ରପ୍ରଦେଶର ଟାବଲେଟ୍‌ କମ୍ପାନିରେ କାମ କରିବାକୁ ଯାଇଥିଲେ। କମ୍ପାନିରେ କାମ କରୁଥିବା ସମୟରେ ବିଷ୍ଣୁଙ୍କ ଦେହରେ କେମିକାଲ୍‌ ପଡ଼ିଯାଥିଲା। ଡାକ୍ତରଖାନାକୁ ଚିକିତ୍ସା ପାଇ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ସାଙ୍ଗରେ ଯାଇଥିବା ସାଥୀମାନେ ଏକ ଆମ୍ବୁଲାନ୍ସରେ ତାଙ୍କ ଶବକୁ ଗାଁକୁ ଆଣୁଛନ୍ତି। ଖବର ଜଣାପଡ଼ିବା ପରେ କାଳୀମାଟି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ପାଇ ଗରିବ ସେନା ସଭାପତି ରବି ମଙ୍ଗରାଜ ମୃତକଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇଛନ୍ତି। ପରିବାରଙ୍କୁ ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର