ଆବାସ ଦୁର୍ନୀତିର ଆଉ ଏକ ଚିତ୍ର: ଘର ନଥାଇ ମିଳିଲା ମରାମତି ସହାୟତା

ହଡ଼ପ କରିଛନ୍ତି ଲୋକପ୍ରତିନିଧି

ଲମତାପୁଟ: ହିତାଧିକାରୀଙ୍କୁ ସରକାରୀ ଆବାସ ମିଳିନି। ଏଥିପାଇଁ ୩ ହଜାର ଟଙ୍କା ଲାଞ୍ଚ ଦେଇ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ମାତ୍ର, ଘରମରାମତି ବାବଦରେ ତାଙ୍କ ନଁାରେ ୩ ହଜାର ଟଙ୍କା ଆସିଛି। ଏହା କେବଳ ଏକ ବିଚିତ୍ର ସ୍ଥିତି ନୁହେଁ, ସରକାରୀ ଆବାସ ଦୁର୍ନୀତିର ଆଉ ଏକ ନୂଆ ଘଟଣା। ଏହି ଘଟଣା ଘଟିଛି ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ କଂଗ୍ରାପଡ଼ା ଗାଁରେ। କଂଗ୍ରାପଡ଼ା ଗାଁର ଡମୁ ଶିଶା, ପଦ୍ମିନୀ ଖେମୁଣ୍ଡୁ ଏବଂ ରାମ କିର୍ସାନୀ ପ୍ରମୁଖଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ଏପରିକି ସେମାନଙ୍କ ତାଲିକା ବି ପଞ୍ଚାୟତ ପକ୍ଷରୁ ପ୍ରକାଶ ପାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଘର ନିର୍ମାଣ ବାବଦରେ ସେମାନଙ୍କୁ କୌଣସି ପ୍ରକାର ଅନୁଦାନ ମିଳି ନଥିଲା। ଜଣେ ଲୋକପ୍ରତିନିଧି ଏହି ହିତାଧିକାରୀଙ୍କୁ ଭେଟି ଲାଞ୍ଚ ନେଇଥିଲେ। କିନ୍ତୁ ଅନୁଦାନ ମିଳିବା ନିମନ୍ତେ କୌଣସି ବ୍ୟବସ୍ଥା କରି ନଥିଲେ। ଏମିତି ଦିନ ପରେ ଦିନ ଗଡ଼ି ଚାଲିଥିବା ବେଳେ ଅନୁଦାନକୁ ଅପେକ୍ଷା କରି ରହିଥିଲେ ହିତାଧିକାରୀ।

ଇତିମଧ୍ୟରେ ରାଜ୍ୟ ସରକାର ଘର ମରାମତି ପାଇଁ ୩ହଜାର ଟଙ୍କା ଯୋଗାଇ ଦେବାକୁ ଘୋଷଣା କଲେ। ସେହି ଅନୁଯାୟୀ ପଞ୍ଚାୟତ କାର୍ଯ୍ୟାଳୟରୁ ୩ହଜାର ଟଙ୍କାର ସହାୟତା ନେଇ ଯିବାକୁ ଉପରୋକ୍ତ ହିତାଧିକାରୀଙ୍କୁ କୁହାଯାଇଥିଲା। ଯାହାକି ସେମାନଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। ଆଧାର କାର୍ଡ ନେଇ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ସେମାନଙ୍କ ନାମରେ ପକ୍କା ଘର ରହିଥିବା ଜାଣିବାକୁ ପାଇଥିଲେ। ସନ୍ଦେହ ହେବାରୁ ଖୋଳତାଡ଼ କରିଥିଲେ। ଯେଉଁ ତଥ୍ୟ ମିଳିଲା ତାହା ସେମାନଙ୍କୁ ଚକିତ କରିଥିଲା। ଏହାପରେ ସେମାନଙ୍କୁ ଘର ବାବଦରେ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛନ୍ତି।

ହିତାଧିକାରୀ ଡମୁ ଶିଶାଙ୍କ କହିବା ହେଲା, ୩ବର୍ଷ ତଳେ ପକ୍କା ଘର ନିର୍ମାଣ କରିବାକୁ ତାଙ୍କୁ ଅନୁଦାନ ମିଳୁଥିବା ନେଇ ଜଣେ ଲୋକପ୍ରତିନିଧି ଜଣାଇଥିଲେ। ତେବେ ଏଥିପାଇଁ ଲାଞ୍ଚ ଦେବାକୁ ତାଙ୍କୁ କୁହାଗଲା। ଭଲ ଘର ମିଳିବ ବୋଲି ଆଗପଛ ବିଚାର ନକରି ଡମୁ ୩ହଜାର ଟଙ୍କା ଲାଞ୍ଚ ସଂପୃକ୍ତ ଲୋକ ପ୍ରତିନିଧିଙ୍କୁ ଦେଇଥିଲେ। କିଛି ଦିନ ପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବୁଝାବୁଝି କରିବାରୁ ତାଲିକାରେ ତାଙ୍କ ନାମ ରହିଥିବା ଦେଖିବାକୁ ପାଇଲେ। ଏହାପରେ ନିଜ ଜମି ବିକ୍ରି କରି ବାଲି, ଇଟା ଆଣି ଗଦାଇଥିଲେ। ସରକାରୀ ଅନୁଦାନ ମିଳିଲେ ଘର ନିର୍ମାଣ କରିବେ ବୋଲି ଅପେକ୍ଷା କରି ରହିଥିଲେ। କିନ୍ତୁ ଦିନେ ଲୋକପ୍ରତିନିଧି ଜଣକ ଘରକୁ ଆସି ତାଙ୍କ ନାମ ତାଲିକାରୁ କଟି ଯାଇଥିବା କହିଥିଲେ। ତେବେ ନିରାଶ ନ ହେବାକୁ କହି ଆଗାମୀ ଦିନରେ ଅନୁଦାନ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ୩ବର୍ଷ ବିତି ଯାଇଥିବା ବେଳେ ଅନୁଦାନ କିମ୍ବା ଲାଞ୍ଚ ଟଙ୍କା ଫେରି ପାଇ ନଥିଲେ। ଶେଷରେ ଘର ମରାମତି ଅନୁଦାନ ଆସିବାରୁ ତାଙ୍କ ଅନୁଦାନକୁ ସଂପୃକ୍ତ ଲୋକ ପ୍ରତିନିଧି ହଡ଼ପ କରିଥିବା ଜାଣିବାକୁ ପାଇଛନ୍ତି। ଏ ନେଇ ବିଡିଓ ଭବାନୀ ଶଙ୍କର ମିଶ୍ରଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। ତଦନ୍ତ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର