କମ୍ବିଂରେ ବାଧକ ବର୍ଷା; ଖସିଗଲେ ମାଓବାଦୀ

କଟକ, ଅନୁଗୁଳ ଓ ନୟାଗଡ଼ ପଟୁ ଏକ ସମୟରେ ହେବ ଅପରେସନ

କଟକ/ନରସିଂହପୁର : ଉପକୂଳ ଓଡ଼ିଶା ବିଶେଷକରି କଟକ ଜିଲ୍ଲାରେ ପ୍ରଭାବ ବିସ୍ତାର ଯୋଜନା ଆରମ୍ଭ କରିଛି ଲାଲବାହିନୀ। କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ସାତକୋଶିଆ ଅଭୟାରଣ୍ୟରେ ଥିବା କୁଶଖଳି ଗାଁରେ ମାଓବାଦୀଙ୍କ ଗ୍ରାମସଭା ପରେ ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ୍‌। କିନ୍ତୁ କମ୍ବିଂ ଅପରେସନରେ ଏବେ ବାଧକ ସାଜିଛି ବର୍ଷା। ପୁଲିସ ଓ ସିଆରପିଏଫ୍‌ ଅପରେସନ୍‌ରେ ଏବେ ବାଧା ସୃଷ୍ଟି ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ଆରମ୍ଭ ଦୃଷ୍ଟିରୁ ମାଓବାଦୀ ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ଅଞ୍ଚଳକୁ ଖସି ପଳାଇଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଉପକୂଳ ଓଡିଶାକୁ ଟାର୍ଗେଟ କରିଥିବା ଲାଲବାହିନୀ ପାଇଁ ପୁଲିସର ଏକ ଉଚ୍ଚସ୍ତରୀୟ ବୈଠକ ବସିବା ସହ ମାଓଦମନ ଅଭିଯାନ ପାଇଁ ପ୍ରସ୍ତୁତ କରାଯାଇଛି ବ୍ଲୁ-ପ୍ରିଣ୍ଟ। ସାତକୋଶିଆ ଜଙ୍ଗଲରେ ତିନିଟି ଜିଲ୍ଲାର ତିନି ପଟୁ ଏକ ସମୟରେ ଆରମ୍ଭ ହେବ କମ୍ବିଂ ଓ ସର୍ଚ୍ଚ ଅପରେସନ୍‌ । କଟକ, ନୟାଗଡ ଓ ଅନୁଗୁଳ ଜିଲ୍ଲାକୁ ଲାଗିଥିବା ଏହି ଜଙ୍ଗଲରେ ମିଳିତ ବାହିନୀ ଦ୍ୱାରା ଅପରେସନ କରାଯିବାର ଯୋଜନା ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ନରସିଂହପୁର-ଅନୁଗୁଳ ସୀମାବର୍ତ୍ତୀ ଟୁଲୁକା ଜଙ୍ଗଲରେ କମ୍ବିଂ କରାଯାଇଥିବାବେଳେ କୁଶଖଳି ଗାଁରେ ପୁଲିସ ପହଞ୍ଚି ସେଦିନ ଘଟଣା ସଂପର୍କରେ ତଦନ୍ତ କରିିଛି। କିନ୍ତୁ ଭୟରେ ଗ୍ରାମବାସୀ ପୁଲିସକୁ କୌଣସି ତଥ୍ୟ ଦେଇ ନଥିବା ଜଣାପଡିଛି। ନରସିଂହପୁର ଥାନା ଅନ୍ତର୍ଗତ ଯୋଡୁମୁ ଫାଣ୍ଡିର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସାତକୋଶିଆ ଅଭୟାରଣ୍ୟ ଓ ଦୁର୍ଗମ ଅଞ୍ଚଳରେ ଥିବା ସମ୍ବେଦନଶୀଳ ଯୋଡୁମ୍‌ ଫାଣ୍ଡିକୁ ଥାନାର ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ହେବ ପୁଲିସ ବିଭାଗ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ପ୍ରସ୍ତାବ ପଠାଯାଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁ ନଥିବାରୁ ଏବେ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ନରସିଂହପୁର ବ୍ଳ୍‌କ୍‌ରେ ୨ଟି ଥାନା ଓ ଗୋଟିଏ ଫାଣ୍ଡି ଥିବାରୁ ସେସବୁର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରିବାକୁ ମତ ପ୍ରକାଶ ପାଇଛି। କିନ୍ତୁ ବର୍ତ୍ତମାନ କେବଳ ଯୋଡୁମ୍‌ ଫାଣ୍ଡି ପାଇଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ନରସିଂହପୁର ଓ କାନପୁର ଥାନାର ସୁରକ୍ଷା ପାଇଁ ସେଭଳି ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଗତ ୧୭ ତାରିଖ ଦିନ କୁଶଖଳିରୁ ମାଓବାଦୀମାନେ ସଭା କରି ଫେରିବା ପରେ ସିଆରିଭଣ୍ଡି ଗ୍ରାମରେ ପହଞ୍ଚିଥିଲେ। ସେଠାରେ ସଭା କରାଯିବ ବୋଲି ଗ୍ରାମବାସୀଙ୍କୁ କହି ମାଓବାଦୀମାନେ ଜଙ୍ଗଲଆଡ଼କୁ ଚାଲିଯାଇଥିଲେ। ସେହି ଗୋଷ୍ଠୀରେ ୨/୩ ଜଣ ମହିଳାଙ୍କ ସମେତ ୧୩ ପାଖାପାଖି ମାଓବାଦୀ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର