ଅଡୁଆରେ ସାଂସଦ ଅନୁଭବଙ୍କ ଭାଇ ଅନୁପ୍ରାସ୍‌

ବିବାଦୀୟ ଜମି ବନ୍ଧକ ରଖି ନେଇଛନ୍ତି ଋଣ, ଶୁଝି ନ ପାରିବାରୁ ବ୍ୟାଙ୍କ ଦେଲା ଜମି ନିଲାମ ବିଜ୍ଞପ୍ତି

ଜମି ଦଖଲ‌ରେ ଥିବା ନେତାଜୀ ସଂଘର ବିରୋଧ

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ପରିବାରକୁ ବିବାଦ ପିଛା ଛାଡୁନ‌ାହିଁ। ନିଜେ ଅନୁଭବ ପାରିବାରିକ ବିବାଦରେ ଛନ୍ଦି ହୋଇଥିବାବେଳେ, ବାପା ଅଭୟ କୁମାର ମହାନ୍ତି ମଧ୍ୟ ବିବାଦରେ ଛନ୍ଦି ହୋଇଛନ୍ତି। ଏବେ ଅନୁଭବଙ୍କ ଭାଇ ଅନୁପ୍ରାସ ଏକ ବିବାଦୀୟ ଜମି କିଣି ବିବାଦ ଭିତରେ ଫସିଛନ୍ତି। ଗତ ୩ ତାରିଖରେ କଟକର ଏକ ଘରୋଇ ବ୍ୟାଙ୍କ ଚୌଧୁରୀବଜାର ବାସିନ୍ଦା ଅନୁପ୍ରାସଙ୍କ ଏକ ୪୦ ଡେସିମିଲ ଜମିକୁ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାପରେ ଏହି ବିବାଦ ମୁଣ୍ଡ ଟେକିଛି।

ସୂଚନା‌ ଅନୁସାରେ , ନେତାଜୀ ସଂଘକୁ ଓଡ଼ିଶା ସରକାର ଭେଷ୍ଟିଙ୍ଗ କେସ ନଂ ୩୬୫/୧୯୮୦ ମସିହାରେ ତଫସିଲଭୁକ୍ତ ଜମି ଯୋଗାଇ ଦେଇଥିଲେ। ନେତାଜୀ ସଂଘ ଏହି ଜମିକୁ ଦଖଲକୁ ନେଇ ସେଠାରେ ଏକ ପାଠାଗାର ନିର୍ମାଣ କରିଛି। ଦଖଲରେ ଥିଲେ ବି ନେତାଜୀ ସଂଘ ଏହି ଜମିକୁ ସେଟେଲମେଣ୍ଟ୍ କରି ପାରିନାହିଁ। ଏ ନେଇ ସଂଘ ପକ୍ଷରୁ ସେଟେଲମେଣ୍ଟ ଅଧିକାରୀଙ୍କ ନିକଟରେ ମକଦ୍ଦମା ମଧ୍ୟ କରାଯାଇଛି। ‌ସେଟେଲମେଣ୍ଟ୍ ହୋଇ ନଥିବାର ସୁଯୋଗ‌ ନେଇ କିଛିଲୋକ ଚଞ୍ଚକତା କରି ଏହି ଜମିକୁ ନିଜ ନାମରେ କରି ନେଇ ଜମି ପଟ୍ଟା ବାହାର କରି ଏହାର କିଣାବିକା କରିଛନ୍ତି। ‌ପ‌ରେ ନେତାଜୀ ସଂଘ ଅଜାଣତରେ ବହୁ ଜମି ବିକ୍ରି ଖର୍ଦ୍ଦି କରିଥିଲେ।

ଏହା ଜଣାପଡ଼ିବା ପରେ ନେତାଜୀ ସଂଘ ପକ୍ଷରୁ ମକଦ୍ଦମା ରୁଜୁ କରାଯାଇଥିଲା। ‌ଅନୁପ୍ରାସ ମହାନ୍ତି ଏହି ଜମିରୁ ୪୦ ଡେସିମିଲ କିଣିଥିଲେ। ଏହା ଜଣାପଡ଼ିବା ପରେ ନେତାଜୀ ସଂଘ ପକ୍ଷରୁ ଅନୁପ୍ରାସଙ୍କ ନାମରେ ୧୨୪୮/୨୦୧୬ରେ ଏକ ମାମଲା ରୁଜୁ କରାଯାଇଥିଲା। ଏବେ ବି ଏହି ମାମଲା ଅଦାଲତରେ ବିଚାରଧୀନ ରହିଛି। ଜମିରେ ଦଖ‌ଲରେ ନ ଥାଇ ବେଆଇନ ଭାବେ ଏହି ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ଋଣ ଦିଆଯାଇଥିଲା। ଏବେ ଋଣ ଶୁଝି ନ ପାରିବାରୁ ଅନୁପ୍ରାସଙ୍କ ନାମରେ ଥିବା କଟକ ସଦର ତହସିଲର କଟକ ସହର ମୌଜା, ୟୁନିଟ୍-୫, ଦକ୍ଷିଣଦେଉଳସାହି, ମ୍ୟୁଟେସନ୍‌ ଖାତା ୩୪୨/୨୦, ପ୍ଲଟ ନଂ ୩୩୦/୧୯୪୫, ୦.୪୦ ଡେସିମିଲ ଜମି, ମ୍ୟୁଟେନସ ଖାତା ନଂ ୩୪୨/୧୨, ପ୍ଲଟ ନଂ ୩୩୦/୧୮୩୦, ମୁଲ ହାଲ ଖାତା ନଂ ୩୩୫, ଖାତା ନଂ ୫୬୭, ସାବିକ ପ୍ଲଟ ନଂ ୪୮୨କୁ ନିଲାମ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ସଂଘ ଏହାକୁ ବିରୋଧ କରିଛି।

ଅନୁପ୍ରାସ୍‌ କିଭଳି ଏହି ଜମିକୁ କିଣିଲେ ଓ ବିନା ଡିମାର୍କେସନ୍‌ ବା ଦଖଲରେ ନ ଥିବାବେଳେ ବ୍ୟାଙ୍କ୍ କିଭଳି ତାଙ୍କୁ ଋଣ ଦେଲା , ତାକୁ ନେଇ ସଂଘ ପ୍ରତିବାଦ କରିଛି। ଦୀର୍ଘ ୫୦ବର୍ଷ ଧରି ଦଖଲ‌ରେ ଥିବା ନେତାଜୀ ସଂଘ ଏହି ଜମିରେ ଏଠାରେ ପାଠାଗାର ପ୍ରତିଷ୍ଠା କରିଛି। ସଂଘକୁ ଓଡ଼ିଶା ସରକାର ଭେଷ୍ଟିଙ୍ଗ କେସ୍ ନଂ ୩୬୫/୧୯୮୦ ମସିହାରେ ତଫସିଲଭୁକ୍ତ ଜମି ଯୋଗାଇ ଦେଇଥିବା ସଂଘର ସହ ସଂପାଦକ ଦେବାଶିଷ ରାୟ କହିଛନ୍ତି। ସଂଘର ଜମିକୁ ନେଇ ଚଞ୍ଚକତା କରାଯାଉଛି। ଏକ ବିବାଦୀୟ ତଥା ଜମିକୁ ନେଇ ମାମଲା ବିଚାରଧୀନ ଥିବାବେଳେ ଏହାର କିଣା ବିକା ହେବା ଓ ଏହି ଜମି ଉପରେ ବ୍ୟାଙ୍କ୍ ଋଣ ଦେଇଥିବାରୁ ସଂଘ ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି। ବନ୍ଧକ ଓ ନିଲାମକୁ ବିରୋଧ କରିବା ସହିତ ଏ ଜମିକୁ କେହି କିଣିଲେ ସଂଘ ଦାୟୀ ରହିବ ନାହିଁ ବୋଲି ଶ୍ରୀ ରାୟ ଏକ ସର୍ବସାଧାରଣ ନୋଟିସ ଜାରି କରିଛନ୍ତି।

ସେପଟେ ବ୍ୟାଙ୍କ ମୁଖ୍ୟ ପରିଚାଳକ ଶରତ ସ୍ବାଇଁଙ୍କ କହିବା କଥା, ସେମାନେ କାଗଜପତ୍ର ଯାଞ୍ଚ କରି ସଠିକ୍ ତଦନ୍ତ କରି ଋଣ ଦେଇଛନ୍ତି। ଜମିଟି ଅନୁପ୍ରାସ୍‌ଙ୍କ ନାମରେ ରହିଛି। ତାଙ୍କ ନାମରେ ପଟ୍ଟା ମଧ୍ୟ ରହିଛି। ତେଣୁ ଋଣ ଦିଆଯାଇଥିଲା। ଏବେ ବ୍ୟାଙ୍କ ପ୍ରକ୍ରିୟା ଅନୁସାରେ ନିଲାମ କରିବ ଏଥିରେ କିଛି ସମସ୍ୟା ନାହିଁ ବୋଲି ସ୍ପଷ୍ଟ କହିଛନ୍ତି।

ସମ୍ବନ୍ଧିତ ଖବର