ବ୍ରହ୍ମଗିରି: ତିତିଲି ପ୍ରଭାବରେ ଖୋଲିଲା ଚିଲିକାରେ ଆଉ ଏକ ପ୍ରାକୃତିକ ମୁହାଣ, ଅରଖକୁଦ ଗାଁରେ ୩ ଫୁଟର ପାଣି

ବ୍ରହ୍ମଗିରି: ସାମୁଦ୍ରିକ ଝଡ଼ ତିତଲି ଯୋଗୁଁ ଅଶାନ୍ତ ହୋଇ ଉଠିଛି ପ୍ରାକୃତିକ ହ୍ରଦ ଚିଲିକା। ଏପରିକି ସମୁଦ୍ର ଓ ଚିଲିକା ହ୍ରଦ ଏକାକାର ହୋଇ ଯାଇଥିବା ବେଳେ ୫ ଫୁଟରୁ ଅଧିକ ଉଚ୍ଚର ସାମୁଦ୍ରିକ ଜୁଆର ରିଠ ବନ୍ଧ ଟପି ଗାଁ ଭିତରେ ପଶି ଯାଇଛି। ପରିସ୍ଥିତି ଏମିତି ହୋଇଛିି ଯେ ଚିଲିକା କୂଳରେ ଥିବା ଅରଖକୁଦ ଗାଁଁ ନିକଟରେ ଏକ ପ୍ରାକୃତିକ ମୁହାଣ ଖୋଲିଯାଇଥିିବା କୁହାଯାଉଛି।

ଫଳରେ ଆରଖକୁଦ ଗାଁର ହରଚଣ୍ଡି ସାହି, ଭାଗବତ ସାହି, ଲକ୍ଷ୍ମୀନାରାୟଣ ସାହି ଓ ଶିବବନ୍ତ ସାହିରେ ପ୍ରାୟ ୩ଫୁଟର ସମୁଦ୍ର ଜୁଆର ଗାଁରେ ଲହଡ଼ି ମାରୁଛି। ଏହି ସବୁ ସାହିର ୨ଶହରୁ ଉର୍ଧ୍ୱ ପରିବାର ଏକ ପ୍ରକାର ଅସହାୟ ଅବସ୍ଥାରେ ଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ପାରି ନାହାଁନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଚିଲିକାରେ ତିତିଲି ପ୍ରଭାବରେ ବଡ଼ ବଡ଼ ଜୁଆର ଉଠିଥିଲା। ଏପରିକି ୫ ଫୁଟ ରୁ ଅଧିକ ଉଚ୍ଚର ସାମୁଦ୍ରିକ ଜୁଆର ଉଠି ଅରଖକୁଦ ଗାଁ ପାଖରେ ଥିବା ରିଙ୍ଗ ବନ୍ଧକୁ ଟପି ଗାଁ ଭିତରେ ପଶିଥିଲା।

ଏହି ପ୍ରକି୍ରୟା ଏତେ ସମୟ ଧରି ଚାଲିଥିଲା ଯେ, ଗାଁ ଭିତରେ ୩ ଫୁଟର ପାଣି ଲହଡି ମାରିଥିଲା। ଲୋକେ ଚିଲିକାର ଆଉ ଏକ ପ୍ରାକୃତିକ ମୁହାଣ ଅରଖକୁଦ ଗାଁ ପାଖରେ ଖୋଲି ଥିବା ଆଶଙ୍କାରେ ଭୟଭିତ ଅବସ୍ଥାରେ ଅଛନ୍ତି। ପ୍ରାୟ ୨ ଶହ ପରିବାର ଘରଦ୍ୱାରରେ ପାଣି ପଶିଯାଇଛି।

ସମ୍ବନ୍ଧିତ ଖବର