ମହାପ୍ରଭୁଙ୍କ ସେବା ପାଇଁ ପଡ଼ିଛି ୪ ଶହରୁ ଅଧିକ ଆବେଦନ

ଶାଢ଼ୀ ବନ୍ଧାକୁ ମିଳୁନି ଅନୁମୋଦନ, କୁହୁଳୁଛି ସେବକଙ୍କ ଅସନ୍ତୋଷ

ପୁରୀ : ପରମ୍ପରା ଅନୁଯାୟୀ ଶାଢ଼ୀ ବାନ୍ଧିବେ, ଠାକୁରଙ୍କ ସେବା ପାଇଁ ପାଇବେ ନୀତିଗତ ଅନୁମତି। ନିଜକୁ ମହାପ୍ରଭୁଙ୍କ ସେବକ ବୋଲି ପରିଚୟ ଦେଇପାରିବେ। ସେଥି ପାଇଁ ଶାଢ଼ୀ ବାନ୍ଧିବାକୁ ଆବେଦନ କରିଛନ୍ତି ସେବକ। ହେଲେ କମାଣ୍ଡରଙ୍କଠାରୁ ପାଟ୍ଟଯୋଶୀ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଅଟକି ରହିଛି ପ୍ରାୟ ୪୦୦ରୁ ଅଧିକ ଆବେଦନ। ଶ୍ରୀମନ୍ଦିର ପ୍ରଶାସନ ଅନୁମୋଦନ ଦେଉନାହିଁ କି ନାକଚ ମଧ୍ୟ କରୁନାହିଁ। ଫଳରେ ସେବକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି।

ମହାପ୍ରଭୁଙ୍କ ସେବା କରିବା ପାଇଁ ସେବାୟତମାନଙ୍କୁ ପ୍ରଶାସନିକ ପ୍ରମାଣପତ୍ର ନେବାକୁ ପଡ଼ିଥାଏ। ଏହି ପ୍ରମାଣପତ୍ର ପାଇବାକୁ ହେଲେ ସେମାନଙ୍କୁ ଶାଢ଼ୀ ବନ୍ଧାଇବାକୁ ହୁଏ। ପରମ୍ପରା ଅନୁଯାୟୀ ଶାଢ଼ୀ ବାନ୍ଧିଲେ ହିଁ ସେବକଙ୍କୁ ସେବା ଅଧିକାର ମିଳିଥାଏ। ଶାଢ଼ୀ ବାନ୍ଧି ନଥିବା ସେବକଙ୍କୁ ସେବା କରିବାର ଆଇନ୍‌ଗତ ଅଧିକାର ନଥାଏ। ତେଣୁ ପ୍ରତି ସେବକଙ୍କୁ ସେବା କରିବା ପୂର୍ବରୁ ପ୍ରଶାସନିକ ଅନୁମତି ଅନୁଯାୟୀ ଶାଢ଼ୀ ବାନ୍ଧିବାକୁ ହୁଏ। ଏଥିପାଇଁ ଯୋଗ୍ୟ ସେବକମାନେ ପ୍ରଶାସନକୁ ଆବେଦନ କରିଥାନ୍ତି। ପ୍ରଶାସନ ଅନୁମତି ମିଳିବା ପରେ ଶାଢ଼ୀ ବନ୍ଧା ନୀତି ହୁଏ।

ମହାପ୍ରଭୁଙ୍କର ବିଭିନ୍ନ ସେବା କରିବା ପାଇଁ ସେବକ ପରିବାରର ‌ଯୁବକମାନେ ଶାଢ଼ୀ ବାନ୍ଧିବାକୁ ଆବେଦନ କରିଛନ୍ତି। ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ସେବକମାନେ ଆବେଦନ କରିଥିଲେ ବି ତାହାକୁ ଅନୁମୋଦନ ଦେଉନାହିଁ ଶ୍ରୀମନ୍ଦିର ପ୍ରଶାସନ। ନିୟମ ଅନୁସାରେ, ଆବେଦନ ତ୍ରୁଟିପୂର୍ଣ୍ଣ ଥିଲେ କିମ୍ବା ଆବେଦନକାରୀଙ୍କ ବିରୋଧରେ କୌଣସି ଆପତ୍ତି ଅଭିଯୋଗ ଥିଲେ ତାକୁ ପ୍ରଶାସନ ନାକଚ କରି ଦେଇପାରିବ। ତେବେ ନାକଚ ପୂର୍ବରୁ କାରଣ ଦର୍ଶାଇବାକୁ ମନ୍ଦିର ପ୍ରଶାସନ ବାଧ୍ୟ। ଅନ୍ୟଥା ଆବେଦନକୁ ମଞ୍ଜୁର କରି ଶାଢ଼ୀ ବନ୍ଧା ତାରିଖ ନିର୍ଦ୍ଧାରଣ କରିବ। ହେଲେ ପଡ଼ି ରହିଥିବା ୪୦୦ରୁ ଅଧିକ ଆବେଦନ ଉପରେ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ଏହା ଉପରେ ମତାମତ ଲୋଡ଼ିଛି। ପ୍ରଚଳିତ ବ୍ୟବସ୍ଥା ଅନୁସା‌ରେ, ପ୍ରଶାସନ ଶ୍ରୀମନ୍ଦିର କମାଣ୍ଡର, ଦେଉଳକରଣ, ତଢ଼ଉକରଣ, ପାଟ୍ଟଯୋଶୀଙ୍କଠାରୁ ପ୍ରମାଣପତ୍ର ଲୋଡ଼ିଥାଏ। ଆବେଦନ ଉପରେ ପ୍ରଶାସନ ସେମାନଙ୍କର ମତାମତ ଦେବାକୁ କହିସାରିଛି। ଶତାଧିକ ଆବେଦନ ଏବେ ବିଭିନ୍ନ ବ୍ୟକ୍ତିଙ୍କ ନିକଟରେ ସୁପାରିସ ପାଇଁ ପଡ଼ି ରହିଥିବା ବେଳେ ସେମାନେ ଏହା ଉପରେ ମୋହର ମାରୁନାହାନ୍ତି। ଆବେଦନ ସୁପାରିସ ପାଇଁ ଟଙ୍କା କାରବାର ଅଭିଯୋଗ ମଧ୍ୟ ଉଠିଛି। ଟଙ୍କା ଦେଇ କେତେକ ସେବକ ଶାଢ଼ୀବନ୍ଧା ଅନୁମତି ପାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ଅସନ୍ତୋଷ କୁହୁଳୁଥିବା ବେଳେ ପ୍ରଶାସନ ଚୁପ୍‌ ହୋଇ ବସିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ବଜିତ ବରାଳ କହିଛନ୍ତି, କେତେକ ସେବକଙ୍କ ଶାଢ଼ୀ ବନ୍ଧା ଆବେଦନ ରହିଛି। ସେସବୁ ବିଭିନ୍ନ ପ୍ରମାଣପତ୍ର ପାଇଁ ଅଟକିଛି। ଦେଉଳକରଣ, ତଢ଼ଉକରଣ, ପାଟ୍ଟଯୋଶୀ, ଶ୍ରୀମନ୍ଦିର କମାଣ୍ଡର ଓ ପୁଲିସର ସୁପାରିସ ଦରକାର ପଡ଼ିଥାଏ। ଆବେଦନଗୁଡ଼ିକ ସେଥିପାଇଁ ଅଟକିଛି। ସଂଖ୍ୟା ଅଧିକ ଥିବାରୁ ସମୟ ଲାଗୁଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର