ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ହାଇକୋର୍ଟରେ ପୁଞ୍ଜିଲାଲଙ୍କ ଜାମିନ ଖାରଜ

କଟକ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ମାର୍ଚ୍ଚ ୧୩ରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ତପୀଠ ପୁଞ୍ଜିଲାଲର ଜାମିନ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।

ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି ଯେ, ଜେଲରୁ ପଳାୟନ ପାଇଁ ଉଦ୍ୟମ କରିଥିବା ଆବେଦନକାରୀଙ୍କ ଆଚରଣ ଓ ସାକ୍ଷ୍ୟ ପ୍ରମାଣ ପ୍ରଭାବିତ ହେବାର ସମ୍ଭାବନା ଦୃଷ୍ଟିରୁ ଜାମିନ ଆବେଦନ ଖାରଜ ‌ କରାଯାଉଛି। ସରକାରଙ୍କ ପକ୍ଷରୁ ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ। ଅବସରପ୍ରାପ୍ତ ଏଏସପି ଅନିଲ ଦାସ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ।

ସୂଚନା ଯୋଗ୍ୟ ଯେ ଗତ ୨୦୧୮, ଫେବ୍ରୁଆରି ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରୀମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ସୌମ୍ୟଶେଖର, ତାଙ୍କ ଜେଜେମା’ଙ୍କର ମୃତ୍ୟୁ ହୋଇଥିବାବେଳେ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୁଲିସ ମାମଲା ରୁଜୁ କରିଥିଲା। ମାର୍ଚ୍ଚ ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟିକୁ ମାମଲା ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇ˚ରାଜୀ ଅଧୢାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮, ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା। କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ୩୦୦ ପୃଷ୍ଠାର ପ୍ରଥମିକ ଚାର୍ଜସିଟ ପାଟଣାଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ କରିଥିଲା। ୨୦୧୮, ଜୁନ ୧ରେ ପୁଞ୍ଜିଲାଲଙ୍କ ଜାମିନ ଆବେଦନ ବଲାଙ୍ଗୀର ଅତିରିକ୍ତ ଦୌରା ଜଜ୍‌ ଅଦାଲତ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର