ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀଙ୍କ ଚାଉଳ ଗାଏବ : ଟୋକନ୍‌ ମିଳିଛି, ଚାଉଳ ନାହିଁ

ଭବାନୀପାଟଣା : କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା କରି ରାଜ୍ୟ ସରକାର ଆଗୁଆ ବିଦ୍ୟାଳୟ ମାନଙ୍କୁ ଛୁଟି ଘୋଷଣା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସହ ନିଜ ନିଜ ପଞ୍ଚାୟତରୁ ଚାଉଳ ନେବା ପାଇଁ ଏକ ଟୋକନ୍ ପ୍ରଦାନ କରାଯାଇଥିଲା। ଟୋକନ୍ ପ୍ରଦାନର କରି ୨ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ  ଆଶ୍ରମ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଚାଉଳ ମିଳି ନଥିବା ଅଭିଯୋଗ ହୋଇଛି।

କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକରେ ଥିବା ଆଶ୍ରମ ସ୍କୁଲ ମାନଙ୍କରେ କେବଳ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ହିଁ ଅଧ୍ୟୟନ କରିଥାନ୍ତି। ଜିଲ୍ଲାର ଭବାନୀପାଟଣା ସଦର ବ୍ଲକର ୫ଟି ଆଶ୍ରମ ସ୍କୁଲର ୯୨୭ ଜଣ ଛାତ୍ରଛାତ୍ରୀ, ଧର୍ମଗଡ଼ ବ୍ଲକର ଗୋଟିଏ ହାଇସ୍କୁଲରେ ୩୯୭ ଛାତ୍ରଛାତ୍ରୀ, ଗୋଲାମୁଣ୍ଡାରେ ଗୋଟିଏ ଆଶ୍ରମ ସ୍କୁଲରେ ୨୫୯, ଜୟପାଟଣାରେ ୪ଟି ଆଶ୍ରମ ସ୍କୁଲରେ ୧୨୭୪, ଜୁନାଗଡ଼ରେ ୬ଟି ଆଶ୍ରମ ସ୍କୁଲରେ ୧୫୦୭, କଲମପୁରରେ ଗୋଟିଏ ଆଶ୍ରମ ସ୍କୁଲରେ ୩୨୩, କେସିଙ୍ଗାରେ ୩ଟି ଆଶ୍ରମ ସ୍କୁଲରେ ୧୦୫୪, କୋକସରାରେ ୨ଟି ଆଶ୍ରମ ସ୍କୁଲରେ ୬୨୨, ଲାଞ୍ଜିଗଡ଼ରେ ୫ ଆଶ୍ରମ ସ୍କୁଲରେ ୧୮୬୦, ମଦନପୁର ରାମପୁରରେ ୮ ଆଶ୍ରମ ସ୍କୁଲରେ ୧୪୬୯, ଥୁଆମୂଳ ରାମପୁର ବ୍ଲକ୍‌ରେ ୭ଟି ଆଶ୍ରମ ସ୍କୁଲରେ ୨୨୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଜିଲ୍ଲାର ସମୁଦାୟ ୪୩ଟି ଆଶ୍ରମ ସ୍କୁଲରେ  ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧ ହଜାର ୯୨୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରି ମେ ୪ ତାରିଖରେ ହେବାକୁ ଥିବା ଛୁଟି ବଦଳରେ ଆଗୁଆ ଏପ୍ରିଲ ୨୫ ତାରିଖରେ ଛୁଟି କରି ସ୍କୁଲ ଖାଲିକରି ଦେଇଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ଯେଉଁ ପଞ୍ଚାୟତର ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜ ପଞ୍ଚାୟତରେ ଚାଉଳ ନେବା ପାଇଁ ନିର୍ଦେଶ ଦିଆଯାଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ୯ କେଜି ଚାଉଳ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ୧୩ କେଜି ୫୦୦ ଗ୍ରାମ ଚାଉଳ ଦେବା ପାଇଁ ଟୋକନ୍ ପ୍ରଦାନ କରାଯାଇଥିଲା। ସ୍କୁଲ ଛୁଟି ଘୋଷଣା ହୋଇ ପ୍ରାୟ ୨ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଟୋକନରେ ଚାଉଳ ପ୍ରଦାନ କରାଯାଇନାହିଁ। ଛାତ୍ରଛାତ୍ରୀ ମାନେ ଦିଆଯାଇଥିବା ଟୋକନ ଧରି ଚାଉଳ ଆଣିବାକୁ ପାଖ ପଞ୍ଚାୟତକୁ ଗଲେ ଯେଉଁ ଆଶ୍ରମରେ ପାଠ ପଢୁଛ ସେହି ଅଞ୍ଚଳକୁ ଯାଇ ଚାଉଳ ଆଣିବାକୁ ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି। ଯଦି ଏହି ଛାତ୍ରଛାତ୍ରୀ ମାନଙ୍କ ଚାଉଳ ଯୋଗାଣ କରାଯାଇ ନାହିଁ ତାହେଲେ ଟୋକନ କାହିଁକି ପ୍ରଦାନ କରାଗଲା ବୋଲି ଅଭିଭାବକ ମହଲରେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର