ଆସିଷ୍ଟାଣ୍ଟ ସର୍ଜନ ପ୍ରଶ୍ନପତ୍ରରେ ତ୍ରୁଟି : ଦୃଷ୍ଟି ଆକର୍ଷଣ କଲେ ନିରାଶ ପ୍ରାର୍ଥୀ, ପୁନଃ ମୂଲ୍ୟାୟନ ଦାବି

କଟକ : ରାଜ୍ୟରେ ଡାକ୍ତର ଅଭାବ ଦେଖାଦେଇଥିଲା ବେଳେ ସେଗୁଡ଼ିକୁ ପୂରଣ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ହେଲେ ପଦବି ପୂରଣ ପାଇଁ ଓପିଏସ୍‌ସିର ଖାମଖିଆଲ ମନୋଭାବ ପାଇଁ ଏବେ ପରୀକ୍ଷା ପ୍ରକ୍ରିୟାରେ ସମସ୍ୟା ହେଉଛି। ମେଡିକାଲ୍‌ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ଜୁନିଅର‌୍‌ ବ୍ରାଞ୍ଚ ଗ୍ରୁପ୍‌ ଏ’ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଭୁଲ୍‌ ପ୍ରଶ୍ନପତ୍ରର ଶିକାର ହୋଇ ଅଳ୍ପକେ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ୪ ସେଟ୍‌ ପ୍ରଶ୍ନପତ୍ରରେ ୧୨ଟି ଲେଖାଏଁ ପ୍ରଶ୍ନ ଭୁଲ୍‌ ରହିଥିବା କୁହାଯାଇଛି। ଗତ କିଛି ଦିନ ତଳେ ଉତ୍ତର ସିଟ୍‌ ଓପିଏସ୍‌ସି େଵବସାଇଟ୍‌ରେ ଛଡ଼ାଯିବା ପରେ ଏହା ସାମ୍ନାକୁ ଆସିଛି। ଫଳରେ ନିରାଶ ହୋଇଥିବା ପରୀକ୍ଷାର୍ଥୀମାନେ ଷ୍ଟାଣ୍ତାର୍ଡ ବହିର କପି ସହ ଆଜି ଓପିଏସ୍‌ସି କତ୍ତୃର୍ପକ୍ଷଙ୍କ ନିକଟରେ ଫେରାଦ ହୋଇଥିଲେ। ହେଲେ ସେଠାରୁ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।

ସୂଚନା ଅନୁଯାୟୀ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆବଶ୍ୟକତା ଅନୁଯାୟୀ ୨୧୭୩ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉଭୟ ଲିଖିତ ପରୀକ୍ଷା ଓ କ୍ୟାରିଅର ମାର୍କି˚ ଅନୁସାରେ ପ୍ରାର୍ଥୀ ଚୟନ କରାଯିବାକୁ ଦର୍ଶାଯାଇଥିଲା। କ୍ୟାରିଅର‌୍‌ ମାର୍କି˚ରେ ୩୦ ପ୍ରତିଶତ ଓ ଲିଖିତ ପରୀକ୍ଷାରେ ୭୦ ପ୍ରତିଶତ ମାର୍କ ଧାର୍ଯ୍ୟ କରାଯାଇଥିଲା। ୨୦୦ ମାର୍କର ଲିଖିତ ପରୀକ୍ଷା ପାଇଁ ସିଲାବସ୍‌ ଦିଆଯାଇଥିଲା। ସେଥିମଧ୍ୟରୁ ସାଧାରଣ ବର୍ଗ ଓ ଏସ୍‌ଇବିସିର ପ୍ରର୍ଥୀମାନଙ୍କ ପାଇଁ ଯୋଗ୍ୟତା ମାର୍କ ୫୦ ପ୍ରତିଶତ ଥିଲାବେଳେ ପିଡବ୍ଲୁଡିଙ୍କ ପାଇଁ ୪୫ ପ୍ରତିଶତ ଏବ˚ ଏସ୍‌ସି/ଏସ୍‌ଟିଙ୍କ ପାଇଁ ୪୦ ପ୍ରତିଶତ ଯୋଗ୍ୟତା ମାର୍କ ଧାର୍ଯ୍ୟ ହୋଇଥିଲା। ଏପ୍ରିଲ ୨୨ ତାରିଖରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ବେଳେ ପାଖାପାଖି ୧୭୦୦ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୮୩ ଜଣଙ୍କୁ ନିଯୁକ୍ତି ମିଳିସାରିଛି। ଯେଉଁମାନେ କୃତକାର୍ଯ୍ୟ ହୋଇପାରିନଥିଲେ ସେମାନେ ଶାନ୍ତ ରହିଥିଲେ। ହେଲେ ଗତ କିଛି ଦିନ ତଳେ େଵବସାଇଟ୍‌ରେ ଉତ୍ତର ସିଟ୍‌ ଛଡ଼ାଯିବା ପରେ ପ୍ରଶ୍ନ ଓ ଉତ୍ତର ସିଟ୍‌ରେ ରହିଥିବା ତ୍ରୁଟି ସାମ୍ନାକୁ ଆସିଥିଲା। ତେଣୁ ତ୍ରୁଟିପୂର୍ଣ୍ଣ ଥିବା ପ୍ରଶ୍ନ ଓ ଉତ୍ତର ସିଟ୍‌ ଯୋଗୁଁ ପୁଣି ଥରେ ଖାତା ମୂଲ୍ୟାଙ୍କନ କରାଯାଉ ବୋଲି ନିରାଶ ହୋଇଥିବା ପ୍ରାର୍ଥୀମାନେ ଦାବି କରିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର