ଅସ୍ତରଙ୍ଗ: ୭.୭୮ ଲକ୍ଷ ଟଙ୍କା ୨ ବର୍ଷ ଧରି ଜମା ନହେବା ଘଟଣା, ଏପ୍ରିଲ୍‌ ୧୬କୁ ଘୁଞ୍ଚିଲା ଶୁଣାଣି

ମହଲତ ମାଗିଲେ ଜିଲ୍ଲାପାଳ

ଅସ୍ତରଙ୍ଗ: ଅସ୍ତରଙ୍ଗ ବ୍ଲକ୍‌ରୁ ୭.୭୮ଲକ୍ଷ ଗାଏବ୍ ହୋଇ ଦୁଇ ବର୍ଷ ଧରି ଟଙ୍କା ଜମା ନହେବା ଘଟଣାକୁ ନେଇ ଏବେ ଅଡ଼ୁଆ ବଢ଼ି ଚାଲିଛି। ଅସ୍ତରଙ୍ଗ ପଞ୍ଚାୟତ ସମିତିସଭ୍ୟ ଦିବାକର ଛାଟୋଇଙ୍କ ଲୋକାୟୁକ୍ତରେ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ ହେବା ସହ ବିଚାର ପାଇଁ ଗତ ୬ ତାରିଖ ପ୍ରଥମ ତାରିଖ ଥିଲା। ପୂର୍ବରୁ ନିର୍ଦ୍ଧାରିତ ତାରିଖ ମୁତାବକ, ଜଷ୍ଟିସ୍ ଅଜିତ ସିଂ ଓ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ଉପସ୍ଥିତିରେ ବିଚାର ପାଇଁ ଶ୍ରୀ ଛାଟୋଇଙ୍କୁ ଡକା ଯାଇଥିଲା। କିନ୍ତୁ ପ୍ରଥମ ଦିନ ତାରିଖରେ ବ୍ଲକ୍ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଉପସ୍ଥିତ ନଥିଲେ। ବିଚାରପତିଙ୍କ ନିକଟରେ ଅଭିଯୋଗ ଭିତ୍ତିକ ତଥ୍ୟ ଉପସ୍ଥାପନା କରିଥିଲେ ଅଭିଯୋଗକାରୀ ଶ୍ରୀ ଛାଟୋଇ। ଫଳରେ ନ୍ୟାୟାଧୀଶ ସମସ୍ତ କଥା ଶୁଣିସାରିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଆସନ୍ତା ଏପ୍ରିଲ୍‌ ୧୬କୁ ତାରିଖ ଘୁଞ୍ଚାଇ ଦେଇଛନ୍ତି। ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଚାରି ସପ୍ତାହ ସମୟ ମହଲତ ମାଗିବା ଓ ଏଡିଏମ୍ ପ୍ରଦୀପ୍ତ କୁମାର ସାହୁଙ୍କୁ ଅଭିଯୋଗ ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗକାରୀ ଶ୍ରୀ ଛାଟୋଇ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି, ଅସ୍ତରଙ୍ଗ ପଞ୍ଚାୟତ ସମିତିସଭ୍ୟ ଦିବାକର ଛାଟୋଇ ଗତ ଜାନୁଆରି ୧୩ ତାରିଖରେ ଲୋକାୟୁକ୍ତଙ୍କ ନିକଟରେ ଉପରୋକ୍ତ ଘଟଣା ଉପରେ ଅଭିଯୋଗ କରିଥିଲେ। ଲୋକାୟୁକ୍ତ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ୯୯/୨୦୨୦ରେ ମାମଲା ରୁଜୁ କରି ଅଭିଯୋଗକାରୀଙ୍କୁ ହାଜର ହେବାକୁ ଚିଠି ହୋଇଥିଲା। ମାର୍ଚ୍ଚ ୬ ତାରିଖ ପ୍ରଥମ ତାରିଖ ଥିବା ବେଳେ ଯଥା ସମୟରେ ଶ୍ରୀ ଛାଟୋଇ ଲୋକାୟୁକ୍ତରେ ପହଞ୍ଚି ଅଭିଯୋଗ ଥିବା ତଥ୍ୟଭିତ୍ତିକ ପ୍ରମାଣପତ୍ର ଦର୍ଶାଇଥିଲେ। ଅଭିଯୋଗର ବିସ୍ତୃତ ବିବରଣୀ ମୁତାବକ ଅଭି‌ଯୋଗକାରୀ ଏବିଡିଓ ମନୋଜ କୁମାର, ତତ୍କାଳୀନ ବିଡିଓ, ପୁରୀ ଓ କାକଟପୁର ଆକ୍ସିସ୍‌ ବ୍ୟାଙ୍କ ମ୍ୟାନେଜର ବିରୋଧରେ ଯାଇଛନ୍ତି। ପ୍ରକାଶ ଥାଉକି, ଅସ୍ତରଙ୍ଗ ବ୍ଲକ୍‌ର ପୁରୀ ଆକ୍ସିସ୍ ବ୍ୟାଙ୍କରୁ ଆକାଉଣ୍ଟ୍‌ ବନ୍ଦ କରିବା ନାଁରେ ୧୬ ଡିସେମ୍ବର ୨୦୧୭ରେ ୭ଲକ୍ଷ ୭୮ହଜାର ୧୬୩ ଟଙ୍କା, ୧୩ ଡିସେମ୍ବର ୨୦୧୭ରେ ୬୪ ହଜାର ୬୭୮ଟଙ୍କା ଉଠାଇ ବ୍ଲକ୍ ପ୍ରଶାସନ ଜମା ନକରିବା ଅଡିଟ୍ ରିପୋର୍ଟରୁ ଧରା ପଡ଼ିଥିଲା। ୨୦୧୭-୧୮ ଅଡିଟ୍ ବେଳେ ୩୧ ମାର୍ଚ୍ଚ ୨୦୧୮ ସୁଦ୍ଧା ଟଙ୍କା ଜମା ନହେବାରୁ ବ୍ଲକ୍‌ ପ୍ରଶାସନକୁ ବାରମ୍ବାର ଚିଠି ହେବାରେ କଥାଟି ପଦାକୁ ଆସିଥିଲା। ତଥାପି ଏହାକୁ କେହି କର୍ଣ୍ଣପାତ କରୁନଥିଲେ।

ଗତ ୧୭ ଅକ୍ଟୋବରରେ ରେକର୍ଡପତ୍ର ପୁନଃ ଯାଞ୍ଚ କରିବାକୁ ଥିବାବେଳେ ବ୍ଲକ୍ ପ୍ରଶାସନ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନା କରିବାକୁ ଅଡିଟ୍ ବିଭାଗ ଗତ ୨୦୧୯ ମସିହା ଅକ୍ଟୋବର ୧୫ତାରିଖରେ ଚିଠି ନଂ-୧୧୧୪ରେ ନିର୍ଦ୍ଦେଶ ଦେଇଥିଲେ। ସବୁଠାରୁ ବଡ଼କଥା ହେଲା, ସରକାରୀ ଚିଠି ଓ ତଥ୍ୟଭିତ୍ତିକ ପ୍ରମାଣକୁ ଆଧାର କରି ଗତ ୧୭ ନଭେମ୍ବରରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ୧୮ତାରିଖ ଦିନ ଟଙ୍କା ବାବଦରେ ୨୦୧୭ମସିହାର ଦୁଇଟି ପୁରୁଣା ଡ୍ରାଫ୍ଟ୍‌ ରିଭ୍ୟାଲିଡେସନ୍ କରି କାକଟପୁର ଆକ୍ସିସ୍ ବ୍ୟାଙ୍କରେ ଜମା ହୋଇଥିଲା। ତେବେ ସେ ପୁରୁଣା ଡ୍ରାଫ୍ଟ୍‌ ଏତେ ଦିନ ଧରି କାହା ହେପାଜତରେ ଥିଲା ଓ ବିନା ସୁଧରେ କିପରି ଜମା ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କ ଦସ୍ତଖତ ନଥାଇ ବର୍ତ୍ତମାନ ବ୍ୟାଙ୍କ ଅଧିକାରୀ ଉଭୟ ଦସ୍ତଖତ କିପରି କଲେ? ସମ୍ପୂର୍ଣ୍ଣ ଘଟଣାରେ ଅସ୍ତରଙ୍ଗ ଏବିଡିଓ ମନୋଜ ବେହେରା ଓ ପୁରୀ ବ୍ୟାଙ୍କ ସମ୍ପୃକ୍ତି ରହିବା ଅଭିଯୋଗ କରି ଶ୍ରୀ ଛାଟୋଇ ଏହାର ତଦନ୍ତ ଦାବି କରିଛନ୍ତି। ଘଟଣାକୁ ନେଇ ସେ ପୁରୀ ଜିଲ୍ଲାପାଳ, ଭିଜିଲାନ୍ସ୍‌ ବିଭାଗ, ପଞ୍ଚାୟତିରାଜ ସଚିବଙ୍କୁ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଘଟଣାର ସତ୍ୟାସତ୍ୟ ପରଖିବା ସମେତ ରିପୋର୍ଟ ଦେବାକୁ ଚିଠି ବି କରିଥିଲେ। ପିଡିଡିଆର୍‌ଡିଏ ଚିଠି ନଂ-୬୨୮୬/୩୦.୧୧.୧୯ ମୁତାବକ ଅସ୍ତରଙ୍ଗ ବିଡିଓ ବ୍ୟକ୍ତିଗତ ଭାବେ ତଦନ୍ତ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଅନ୍ୟପକ୍ଷରେ ଲୋକାଲ ଫଣ୍ଡ୍ ଅଡିଟ୍ ବିଭାଗ ପକ୍ଷରୁ ଚିଠି ନଂ-୨୭୬/୨୯.୧୧.୧୯ରେ ବ୍ଲକ୍ ପ୍ରଶାସନକୁ ମଧ୍ୟ କରିଥିବା ବ୍ଲକ୍‌ ପ୍ରଶାସନ ଟଙ୍କା ଜମା କରିବା ଉତ୍ତର ରଖିଛି। ତଦନ୍ତ କରିବାକୁ ବିଡିଓଙ୍କୁ ଚିଠି ହେବା, ତଦନ୍ତ ନହେବାରୁ ବ୍ଲକ୍‌ସ୍ତରୀୟ ଜନଶୁଣାଣିରେ ଶ୍ରୀ ଛାଟୋଇ ଅଭିଯୋଗ ବି କରି ବି ନିରାଶ ହୋଇଥିଲେ। ଫଳରେ ଶ୍ରୀ ଛାଟୋଇ ବାଧ୍ୟ ହୋଇ ଓଡ଼ିଶା ଲୋକାୟୁକ୍ତର ଦ୍ୱାରସ୍ଥ ହୋଇଥିଲେ। ଏବେ ଏହି ଦୁର୍ନୀତିର ବିଚାର ହେବାକୁ ଯାଉଛି।

ସମ୍ବନ୍ଧିତ ଖବର