ପୁଣି ଅସୁରକ୍ଷିତ ଏସଏଲଏନ ମେଡିକାଲ କଲେଜ : ଡାକ୍ତରଙ୍କୁ ମୁଥ, ଡାକ୍ତରାଣୀଙ୍କୁ ଗାଳି

କୋରାପୁଟ : ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଜଣେ ମହିଳା ଡାକ୍ତରଙ୍କୁ ମଧ୍ୟ ରୋଗୀଙ୍କ ସଂପର୍କୀୟ ଠେଲାପେଲା କରାଯାଇଛି। ଏଥିନେଇ ଦୁଇ ଡାକ୍ତରଙ୍କ ପକ୍ଷରୁ କୋରାପୁଟ ଟାଉନ ଥାନାରେ ଏତଲା ଦିଆଯାଇଥିଲାବେଳେ ଏହାକୁ ନେଇ ମେଡିକାଲ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଅପରପକ୍ଷରେ ଡାକ୍ତର ହିଁ ପ୍ରଥମେ ଦୁର୍ବବ୍ୟବହାର କରିବା ସହ ଠେଲାପେଲା କରିଥିବା ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଶିଶୁ ବିଭାଗରେ କୋରାପୁଟ ରେଲବାଇ କଲୋନୀର ଜଣେ ଶିଶୁ କନ୍ୟା ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ତାଙ୍କର ଦେହ ହଠାତ ବିଗିଡି ଯାଇଥିଲା। ଏହାକୁ ନେଇ ଡାକ୍ତରଙ୍କ ସହ ରୋଗୀଙ୍କ ସଂପର୍କୀୟମାନଙ୍କର କଥା କଟାକଟି ହୋଇଥିଲା। ଏହି ସମୟରେ ଡାକ୍ତର ଦେବବ୍ରତ ସାମଲଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ଜଣେ ମହିଳା ଡାକ୍ତର ସ୍ୱର୍ଣ୍ଣପ୍ରଭା ପ୍ରଧାନଙ୍କୁ ମଧ୍ୟ ଗାଲିଗୁଲଜ କରାଯାଇଥିଲା। ଏଥିନେଇ ଦୁଇ ଡାକ୍ତର ଆଜି କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ମେଡିକାଲ କଲେଜର ସିସିଟିଭି ଫୁଟେଜ ଯାଂଚ କରାଯାଉଥିଲାବେଳେ ଅନ୍ୟମାନଙ୍କୁ ପଚରାଉଚୁରା କରାଯାଉଛି।

ଡାକ୍ତର ଦେବବ୍ରତ ସାମଲ କରିଥିବା ଅଭିଯୋଗ ଅନୁଯାୟୀ, ସେ ଗତକାଲି ରାତିରେ ଶିଶୁ ୱାର୍ଡରେ ଥିବାବେଳେ ଜଣେ ରୋଗୀଙ୍କ ସଂପର୍କୀୟ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। କାହିଁକି ତାଙ୍କ ଝିଅର ଜ୍ୱର କମୁନାହିଁ ବୋଲି କହିବା ସହ ଠେଲାପେଲା କରିଥିଲେ। ପରେ ପାଖାପାଖି ୨୦ରୁ ୩୦ ଲୋକ ଏକାଠି ହୋଇ ତାଙ୍କୁ ଧମକ ଦେବା ସହ ମାଡ ମାରିଥିଲେ। ଏପରିକି ମୁଥ ମାଡରେ ତାଙ୍କ ମୁହଁ ଫୁଲିଯାଇଛି। ସେମାନେ ତାଙ୍କୁ ଜୀବନରୁ ମାରି ଦେବାକୁ ଚେତାବନୀ ମଧ୍ୟ ଦେଇଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ମଧ୍ୟ ଛାଡି ନ ଥିଲେ। ଡାକ୍ତର ସ୍ୱର୍ଣ୍ଣପ୍ରଭା ପ୍ରଧାନଙ୍କୁ ରୋଗୀଙ୍କ କିଛି ସଂପର୍କୀୟ ଗାଳି ଗୁଲଜ କରିବା ସହ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ତାଙ୍କୁ ମଧ୍ୟ ଠେଲାପେଲା କରିବାକୁ ଉଦ୍ୟମ କରିଥିଲେ।

ରାତିରେ ଦୁଇ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଆଜି ସକାଳେ ମେଡିକାଲ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଙ୍କ ଉପରେ ଆକ୍ରମଣଙ୍କୁ ସମସ୍ତେ ନିନ୍ଦା କରିବା ସହ ମେଡିକାଲ କଲେଜ ତରଫରୁ ଏକ ଜରୁରୀ ବୈଠକ ଡକାଯାଇଥିଲା। ପରେ ଏଥିନେଇ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ହୋଇଥିଲା। ଏଥିନେଇ ମେଡିକାଲ କଲେଜର ଅଧୀକ୍ଷକ ପ୍ରଫେସର ହରେକୃଷ୍ଣ ଦଳେଇ ଗଣମାଧ୍ୟମକୁ କହିଛନ୍ତି ଯେ, ଗତକାଲି ରାତିରେ କିଛି ଲୋକ ଜଣେ ଡାକ୍ତରଙ୍କୁ ମାଡ ମାରିଥିଲାବେଳେ ଜଣେ ମହିଳା ଡାକ୍ତରଙ୍କୁ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ ଦେଇଛନ୍ତି। ଏଥିନେଇ ଉଭୟ ଡାକ୍ତର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ଏଥିନେଇ ଏକ ଜରୁରୀ ବୈଠକ ବସିଥିଲା। କାର୍ଯ୍ୟରତ ଡାକ୍ତରଙ୍କୁ ଏମିତି ଆକ୍ରମଣକୁ ସମସ୍ତେ ନିନ୍ଦା କରିବା ସହ ଏଥିନେଇ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ହୋଇଥିଲା। ଏମିତି ଘଟଣାର ଯେମିତି ପୁନଃରାବୃତ୍ତି ନ ହେବ ସେଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉଥିବା ସେ କହିଥିଲେ।

ଅପରପକ୍ଷରେ ରୋଗୀଙ୍କ କିଛି ସଂପର୍କୀୟ ଅଭିଯୋଗ କରିଛନ୍ତି ଯେ, ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଗତକାଲି ହଠାତ ବିଗିଡି ଯାଇଥିଲା। ଏଥିନେଇ ଡାକ୍ତରଙ୍କୁ ଜଣାଇବା ପରେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ। ଏପରିକି ଶିଶୁକୁ ଦେଖିବାକୁ ମଧ୍ୟ ଯାଇ ନ ଥିଲେ। ଡାକ୍ତରଙ୍କୁ ବାରମ୍ବାର ଏମିତି କହିବା ପରେ ସେ ହିଁ ପ୍ରଥମେ ଦୁର୍ବ୍ୟବହାର କରିଥିବା ରୋଗୀଙ୍କ ସଂପର୍କୀୟ କହିଛନ୍ତି।

ସମ୍ବନ୍ଧିତ ଖବର