ଖାରବେଳଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ

ଅନ୍ୟ ଦୁଇ ଜଣଙ୍କୁ ଖୋଜୁଛି ପୁଲିସ, ଆଜି କାଶୀପୁର ଯିବ କ୍ରାଇମ୍‌ବ୍ରାଞ୍ଚ ଟିମ୍

ରାୟଗଡ଼ା/କଟକ : ଉତ୍କଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ୭ଦିନିଆ ରିମାଣ୍ଡରେ ନିଆଯିବ। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ଖୋଜିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଆଜି ସଂଧ୍ୟାରେ ରାୟଗଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି ଏସପି ରାହୁଲ ପି.ଆର।

ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ଗତକାଲି କାଶୀପୁର ବ୍ଲକ ଟିକିରିରେ ଭାଗ୍ୟ ପରିବର୍ତ୍ତନ ସଭା କରି କାଶୀପୁର ଯାଇଥିଲେ। ସେଠାରେ ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଉଥିବା ସମୟରେ ସୁମନ୍ତ ନାୟକ ଏବ˚ କିଛି ସହଯୋଗୀ ଖାରବେଳଙ୍କୁ ମଞ୍ଚରେ ଅତର୍କିତ ଆକ୍ରମଣ କରିଥିଲେ।

ଶ୍ରୀ ସ୍ବାଇଁ କରିଥିବା ଅଭିଯୋଗକୁ ଭିତ୍ତି କରି ସୁମନ୍ତଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାଁରେ ପୁଲିସ ଆଇପିସି ଧାରା ୩୪୧/ ୩୨୩/ ୨୯୪/ ୩୨୫/ ୩୦୭/ ୫୦୬/ ୩୪ ଅନୁଯାୟୀ ମାମଲା ରୁଜୁ କରିଛି। ଗତକାଲି ହିଁ ସୁମନ୍ତଙ୍କୁ ଗିରଫ କରାଯାଇଥିଲା। ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ‌ପୁଲିସ ସନ୍ଧାନ କରୁଛି।

ଅନ୍ୟପକ୍ଷରେ,କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ଜଣେ ଅଫିସରଙ୍କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି। ଆସନ୍ତାକାଲି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କାଶୀପୁରରେ ପହଞ୍ଚି ଖାରବେଳଙ୍କୁ ମାଡ଼ ଘଟଣାର ଭାଇରାଲ୍‌ ଭିଡିଓ ଜବତ କରିବା ସହିତ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର