ଆଇନଜୀବୀ ଦମ୍ପତିଙ୍କୁ ଆକ୍ରମଣ : ବିଚାର ପ୍ରକ୍ରିୟା ସ୍ଥାନାନ୍ତର ମାମଲା ହାଇକୋର୍ଟରେ ଖାରଜ

କଟକ : ଆଇନଜୀବୀ ଦମ୍ପତିଙ୍କୁ ଆକ୍ରମଣ ସଂପର୍କିତ ବିଚାରାଧୀନ ମାମଲା ସ୍ଥାନାନ୍ତରକୁ ନେଇ ଦାୟର ଆବେଦନକୁ ହାଇକୋର୍ଟ ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିବାକର ସାହୁଙ୍କୁ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଖାରଜ କରିଛନ୍ତି। ଆଳି ଜେଏମ୍‌ଏଫ୍‌ସି ଅଦାଲତରେ ତାଙ୍କ ମାମଲା ପରିଚାଳନା ପାଇଁ କେନ୍ଦ୍ରାପଡାର କୌଣସି ଆଇନଜୀବୀ ଆଗ୍ରହ ପ୍ରକାଶ କରୁନାହନ୍ତି। ତେଣୁ ତାଙ୍କ ବିରୋଧରେ ଆଳିରେ ବିଚାରାଧୀନ ମାମଲା କଟକ ସା‌ଲେପୁର କିମ୍ବା ଅନ୍ୟ କୌଣସି ସ୍ଥାନରେ ଥିବା ଅଦାଲତକୁ ସ୍ଥାନାନ୍ତର କରାଯାଉ ଦର୍ଶାଇ ଶ୍ରୀ ସାହୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କେନ୍ଦ୍ରାପଡା ଜିଲ୍ଲା ଜଜ୍‌ଙ୍କ ନିକଟରୁ ଏପରି ଅଭିଯୋଗ ପ୍ରସଂଗରେ ରିପୋର୍ଟ ତଲବ କରିଥିଲେ। ହାଇକୋର୍ଟରେ ଜିଲ୍ଲା ଜଜ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ ହାଇକୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରି ଏ ସଂପର୍କିତ ଆବେଦନ ଖାରଜ କରିଥିଲେ। ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ଦେବସ୍ନାନ ଦାସ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି‌ର ଦିବାକର ସାହୁ ଆଇନଜୀବୀ ରେଣୁବାଳା ଦାଶ ଓ ଆଇନଜୀବୀ ଯୁଧିଷ୍ଠିର ପଣ୍ଡାଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ଥାନାରେ ରୁଜୁ ଏକ ମାମଲା ପ୍ରତ୍ୟାହାର ନ କରିବାରୁ ଆଇନଜୀବୀ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ଦାୟର କରିଥିଲା। ଏହି ମାମଲାରେ ଦିବାକର ଫେରାର ଥିବା ବେଳେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟରେ ଦିବାକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଥିଲା। ଏହା ପରେ ଏ ସଂପର୍କିତ ମାମଲା ଆଳି ଅଦାଲତରୁ ସ୍ଥାନାନ୍ତର ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର