ଡୁମୁଡୁମାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ପୁଲିସକୁ ଖଣ୍ଡାରେ ହାଣି ଖସିଗଲେ
ଖଣ୍ଡଗିରି : ଗୁରୁବାର ବିଳମ୍ବିତ ରାତିରେ ଡୁମୁଡୁମା ଅଞ୍ଚଳରେ ୫ ଜଣ ଦୁର୍ବୃତ୍ତ ଜଣେ ପୁଲିସ କର୍ମଚାରୀଙ୍କୁ ଖଣ୍ଡାରେ ହାଣି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ କିଛି ଯୁବକଙ୍କ ସହ ସେମାନଙ୍କୁ ପିଛା କରିଥିଲେ ବି ଧରିବାରେ ବିଫଳ ହୋଇଛି। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ଜଣେ ଗୃହରକ୍ଷୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ପଞ୍ଚସଖାନଗରସ୍ଥିତ ଏକ ଘରୋଇ ଇଂଜିନିୟରିଂ କଲେଜ ଛାତ୍ରାବାସ ନିକଟରେ ଅପେକ୍ଷା କରିଥିବାରୁ ସେମାନେ ଡକାୟତ କିମ୍ବା ଇଂଜିନିୟରିଂ ଛାତ୍ର ସ୍ପଷ୍ଟ ହୋଇପାରିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ଗୋଟାଏ ବେଳେ ପଞ୍ଚସଖାନଗରରେ ପାଟ୍ରୋଲିଂ କରୁଥିବା ୨ ଜଣ ପୁଲିସ କର୍ମଚାରୀ(ଗୃହରକ୍ଷୀ) ଏକ ଆପାର୍ଟମେଣ୍ଟ ନିକଟରେ ୫ ଜଣ ଯୁବକଙ୍କୁ ସନ୍ଦେହଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖିଥିଲେ। ଦୁଇଟି ବାଇକ୍ରେ ଥିବା ଏହି ଯୁବକମାନଙ୍କୁ ପୁଲିସ କର୍ମଚାରୀଦ୍ବୟ ଠିଆ ହୋଇଥିବାର କାରଣ ପଚାରିବାରୁ ସେମାନେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ। ହଠାତ୍ ଜଣେ ଦୁର୍ବୃତ୍ତ ଏକ ଖଣ୍ଡା ବାହାର କରି ଜଣେ ଗୃହରକ୍ଷୀଙ୍କୁ ଚୋଟ ପକାଇବାକୁ ଉଦ୍ୟମ କରିଥିଲା। ତେବେ ଗୃହରକ୍ଷୀ ଜଣଙ୍କ ପଛକୁ ଘୁଞ୍ଚି ଆସିବାରୁ ଖଣ୍ଡା ଚୋଟ ତାଙ୍କ ହାତରେ ବାଜିଥିଲା ଓ କ୍ଷତ ସୃଷ୍ଟି ହୋଇଥିଲା। ଏହା ପରେ ଦୁର୍ବୃତ୍ତମାନେ ବନ୍ଧୁକ ବାହାର କରି ସେମାନଙ୍କୁ ଡରାଇଥିଲେ ଓ ପିଛା ନ କରିବାକୁ ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେମାନେ ପଞ୍ଚସଖାନଗରରୁ ଡୁମୁଡୁମା ରାସ୍ତାରେ ପଳାଉଥିବା ଜାଣି ଗୃହରକ୍ଷୀଦ୍ବୟ ଥାନାକୁ ଫୋନ୍ କରିଥିଲେ। ତେଣୁ ଏକ ପୁଲିସ ଟିମ୍ କସ୍ମୋପଲି ଛକ ଦେଇ ସେମାନଙ୍କୁ ଆଗରୁ ଜଗିବାକୁ ବାହାରିଥିଲା। ଦୁର୍ବୃତ୍ତମାନେ ପୁଲିସ ଟିମ୍କୁ ଦେଖି ପୁଣି ପଛକୁ ଫେରି ଆସିଥିଲେ। ତେବେ ସେମାନଙ୍କ ବାଇକ୍ ଚାଳନା ଦେଖି(ହମ୍ପସ୍ ଡିଅାଁଇବା) ଡୁମୁଡୁମା ପାଲାମଣ୍ଡପ ନିକଟରେ ନିର୍ବାଚନ ପୋଷ୍ଟର ଲଗାଉଥିବା କିଛି ସ୍ଥାନୀୟ ଯୁବକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପଛରୁ ପୁଲିସ ଓ ଆଗରୁ ସ୍ଥାନୀୟ ଯୁବକମାନଙ୍କୁ ଦେଖି ସେମାନେ ଜାଗମରା –ଡୁମୁଡୁମା ଗହୀର ରାସ୍ତା ଦେଇ ପଳାଇଥିଲେ। ଉକ୍ତ ମାଟି ରାସ୍ତାରେ ସେମାନଙ୍କୁ ପିଛା କରିବା ସମ୍ଭବ ହୋଇନଥିଲା। ସ୍ଥାନୀୟ ଯୁବକମାନଙ୍କ ସୂଚନାନୁସାରେ ଗତ ଦୁଇ ଦିନ ହେଲା କସ୍ମୋପଲି ଡୁମୁଡୁମା ରାସ୍ତାରେ ଦୁର୍ବୃତ୍ତମାନେ ଲୁଟ୍ପାଟ୍ କରିଛନ୍ତି।