ରାଜଧାନୀରେ ଶିଖ୍ ଯୁବକଙ୍କୁ ଆକ୍ରମଣ ଘଟଣା : ‘ପରିବା‌ର ସୁରକ୍ଷିତ ନୁହେଁ, ପଞ୍ଜାବ ପଳାଇବୁ’

ତିନି ଅଭିଯୁକ୍ତଙ୍କୁ ଜାମିନ୍‌, ୩ ଦିନରେ ଚାର୍ଜସିଟ ପାଇଁ ପୁଲିସ କମିସନର୍‌ଙ୍କ ନିର୍ଦ୍ଦେଶ, ପିସିଆର୍‌ ଇନ୍‌ଚାର୍ଜ ବହିଷ୍କୃତ

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅଧୀନ ଭଗବାନ ଆପର୍ଟମେଣ୍ଟ ନିକଟରେ ଶିଖ୍‌ ଯୁବକ ପରବିନ୍ଦର୍‌ ପାଲଙ୍କ ଉପରେ ହୋଇଥିବା ସଂଘବଦ୍ଧ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦୀପକ ଜେନା ଏବଂ ତାର ଦୁଇ ସହଯୋଗୀ ଶଙ୍କର ରାଉତ ଓ ଦୀପକ ମହାନ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ସେମାନଙ୍କ ଜାମିନ୍‌ ଆବଦେନ ମଞ୍ଜୁର କରିଥିବା ଜଣାଯାଇଛି।

ଅନ୍ୟପକ୍ଷରେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ୩ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ପ୍ରଦାନ କରିବାକୁ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ସେହିପରି ଗତକାଲି ନିଲମ୍ବିତ ହୋଇଥିବା ପିସିଆର୍‌ ଭ୍ୟାନ୍‌ ଇନଚାର୍ଜ ସୁବାସ ଚନ୍ଦ୍ର ରାଉତଙ୍କୁ କର୍ତ୍ତବ୍ୟ‌ରେ ଅବହେଳା ପାଇଁ ଆଜି ଚାକିରିରୁ ବହିଷ୍କାର କରାଯାଇଛି।

ଏ ସବୁ ସତ୍ତ୍ବେ ଅଭିଯୋଗକାରୀ ପରବିନ୍ଦର ନିଜକୁ ଅସୁରକ୍ଷିତ ମଣିଛନ୍ତି। କହିଛନ୍ତି ଯେ ପୁଲିସ ସମ୍ମୁଖରେ ମାଡ଼ ଖାଇବା ପରେ ମୁଁ ଏଠାରେ ସୁରକ୍ଷିତ ନୁହେଁ। ଏଠାରେ ରହିବି ନାହିଁ; ପଞ୍ଜାବ ପଳାଇବି କହି କାନ୍ଦି ପକାଇଥିଲେ। ପ୍ରକାଶଥାଉକି, ଗତକାଲି ଦିନ ପ୍ରାୟ ସାଢ଼େ ୧ଟା ବେଳେ ପରବିନ୍ଦର ନିଜ ଝିଅକୁ ସ୍କୁଲରୁ ଧରି ଘରକୁ ଫେରୁଥିଲେ। ଏହି ସମୟରେ ଆପାର୍ଟମେଣ୍ଟ ଫାଟକ ସମ୍ମୁଖରେ ପାର୍କିଂ ହୋଇଥିବା ଏକ କାର୍‌ ଭିତରେ ଦୁଇ ଯୁବକ ବସି କଥା ହେଉଥିଲେ। ପରବିନ୍ଦର ସେମାନଙ୍କୁ ସାଇଡ୍‌ ହେବାକୁ କହିବାରୁ ଦୁହେଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳଗୁଲଜ କରିବା ଆକ୍ରମଣ କରିଥିଲେ।

ପରବିନ୍ଦର ଆଜି କହିଛନ୍ତି ଯେ ଜଣେ ବିପଦରେ ପଡ଼ିଲେ, ପୁଲିସକୁ କଣ୍ଟ୍ରୋଲ ରୁମ୍‌କୁ ଫୋନ୍ କରନ୍ତି। କିନ୍ତୁ ଗତକାଲି ଫୋନ୍ କରିବା‌ର ୨୦ ମିନିଟ୍ ପରେ ପୁଲିସ ଆସିଥିଲା। ପୁଲିସ ଆସିବା ପରେ ସେମାନେ ଅଧିକ ଉତ୍‌କ୍ଷିପ୍ତ ହୋଇ ମୋତେ ସମସ୍ତଙ୍କ ସମ୍ମୁଖରେ ମାଡ଼ ମାରିଥିଲେ। ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଆହୁରି ୫ରୁ ୬ ଜଣ ଅଭିଯୁକ୍ତ ଅଛନ୍ତି, ଯେଉଁମାନେ ମୋତେ ଆକ୍ରମଣ କରିଥିଲେ। ତେବେ ଯେଉଁମାନଙ୍କୁ ପୁଲିସ ଗିରଫ କରିଛି, ସେମାନେ ପରବର୍ତୀ ସମୟରେ ମୋତେ ଓ ମୋ’ ପରିବାରକୁ ପୁଣିଥରେ ଆକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ଭବିଷ୍ୟତରେ ଯାହା ହେବ, ସେଥିପାଇଁ ପୁଲିସ ଓ ଅଭିଯୁକ୍ତମାନେ ଦାୟୀ ରହିବେ ବୋଲି ପରବିନ୍ଦର କହିଛନ୍ତି। ମୁଁ ଭୁବନେଶ୍ବରରେ ଆଦୌ ସୁରକ୍ଷିତ ନୁହେଁ। ଚିନ୍ତା କରୁଛି, ପଞ୍ଜାବ ପଳାଇଯିବି ବୋଲି କାନ୍ଦି କାନ୍ଦି କହିଛନ୍ତି ପରବିନ୍ଦର। ସେହିପରି ସଂଧ୍ୟାରେ ଅତିରିକ୍ତ ପୁଲିସ କମିସନର ଅନୁପ ସାହୁ ପରବିନ୍ଦରଙ୍କୁ ଘରକୁ ଯାଇ ତାଙ୍କୁ ଆଶ୍ବସନା ଦେବା ସହ ଭୟଭୀତ ନ ହେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର