ଯୋବ୍ରାରେ ମହିଳାଙ୍କ ବେକ କାଟିଦେଲା ଦୁର୍ବୃତ୍ତ

କଟକ : ସହରରେ ଷ୍ଟୋନ୍‌ମ୍ୟାନ୍ ଆତଙ୍କକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଯୋବ୍ରାରେ ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କୌଣସି ଅଜଣା ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକ କାଟି ଦେଇଛି। ତାଙ୍କ ନାମ ସଂଧ୍ୟାରାଣୀ ତରାଇ ଏବଂ ବୟସ ୨୦ । ଆହତ ଅବସ୍ଥାରେ ତାଙ୍କୁ ମାଲଗୋଦାମ ଥାନା ପୁଲିସ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ଗୋଟିଏପଟେ ଷ୍ଟୋନ୍‌ମ୍ୟାନ୍ ସନ୍ଦେହରେ ପୁଲିସ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟପଟେ ସମାନ ଢଙ୍ଗରେ ସଂଧ୍ୟାରାଣୀଙ୍କ ତଣ୍ଟି କଟାଯିବା ଘଟଣା ପୁଲିସର ନିଦ ହଜାଇ ଦେଇଛି।

ଉଲ୍ଲେଖଯୋଗ୍ୟ, ଗଲା ପାଞ୍ଚ ଦିନ ହେବ ସହରରେ ରହସ୍ୟମୟ ଷ୍ଟୋନ୍‌ମ୍ୟାନ୍‌କୁ ନେଇ ସହରବାସୀ ଆତଙ୍କିତ। ଏହି ଘଟଣାରେ ପୁଲିସ ଜଣଙ୍କୁ ସନ୍ଦେହ ଅଟକ ରଖିଥିବା ବେଳେ ଆଜି ସଂଧ୍ୟାରାଣୀଙ୍କୁ କେହି ଦୁର୍ବୃତ୍ତ ସମାନ ଢଙ୍ଗରେ ତଣ୍ଟି କଟାଯିବା ପଛରେ କି ପ୍ରକାର ରହସ୍ୟ ଲୁଚି ରହିଛି, ତାହା ଏବେ ପୁଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି।

ମିଳିଥିବା ସୂଚନା‌ନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ ସଂଧ୍ୟାରାଣୀ ଘର ଝରକା ପାଖରେ ବସିଥିଲେ। ସେହି ସମୟରେ ଜଣେ ଅଜଣା ଦୁର୍ବୃତ୍ତ ଝରକା ଫାଙ୍କରେ ହାତ ପୂରାଇ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲା। ପରିବାର ଲୋକ ବାହାରକୁ ଆସିଲା ବେଳକୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ଖବର ପାଇ ମାଲଗୋଦାମ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର