୪୦ ଲକ୍ଷର ସରକାରୀ ଆବାସ! ଧନୀଙ୍କୁ ସରକାରୀ ହାତ ଖୋଲା, ଚିରା ପଲିଥିନ୍ ତଳେ ବାସହରା

ବସ୍ତା-୨ : ୪୦ ଲକ୍ଷ ଟଙ୍କାରେ ଦ୍ବିତଳ ପ୍ରାସାଦ ଘର ତିଆରି କରୁଥିବା ବ୍ୟକ୍ତି ଏତେ ଗରିବ ଯେ ତାଙ୍କୁ ସରକାରୀ ଆବାସ ମିଳିଲା। ଅଥଚ ସେହି ପଞ୍ଚାୟତର ଅନ୍ୟ ଏକ ଗାଁରେ ରହୁଥିବା ଜଣେ ବାସହରା ବ୍ୟକ୍ତି ନିଜ ବଢ଼ିଲା ଝିଅ ଓ ସ୍ତ୍ରୀକୁ ଧରି କେତେବେଳେ ସ୍କୁଲ ଘର ପିଣ୍ଡା ତ ଆଉ କେତେବେଳେ ପର ଘର ଦୁଆରେ ମୁଣ୍ଡ ଗୁଞ୍ଜୁଥିଲେ ମଧ୍ୟ ତାଙ୍କ ପାଇଁ ସରକାରୀ ଘର ସାତସପନ ହୋଇଛି। କ୍ଷମତାର ଅପବ୍ୟବହାର କରି ସରକାରୀ ଅଧିକାରୀ ଓ ରାଜନେତା କିଭଳି କଲ୍ୟାଣକାରୀ ଯୋଜନାର ବେକ ମୋଡ଼ି ଦିଅନ୍ତି ତାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକରେ। ଏଠି ଭୂମିହୀନ, ଗରିବ ଓ ବାସହରାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନାକୁ ବାଟବଣା କରିଛି ଖୋଦ୍ ବ୍ଲକ୍ ପ୍ରଶାସନ। ଏହି ବ୍ଲକର ସଦାନନ୍ଦପୁର, ମୁକୁଳିଶି, ନାଇକୁଡି, ପାଉଁଶକୁଲି, ସନ୍ତୋଷପୁର, ତାଡ଼ଦା ଆଦି ପଞ୍ଚାୟତର ଏକାଧିକ ଗାଁରେ ସ୍ବଚ୍ଛଳ ବ୍ୟକ୍ତି ଆବାସ ଗୃହ ପାଇଥିବା ବେଳେ ସବୁ ଜାଣି ଚେଇଁ ଶୋଇଛି ଜିଲ୍ଲା ପ୍ରଶାସନ। ପ୍ରତିଦିନ ବ୍ଲକ୍ କାର୍ଯ୍ୟାଳୟରୁ ନିରାଶ ହୋଇ ଜିଲ୍ଲାପାଳ, ପିଡି ଡିଆର୍‌ଡିଏଙ୍କ ନିକଟରେ ଭୂମିହୀନ, ଗରିବ ଲୋକ ଫେରାଦ ହେଉଛନ୍ତି। କିନ୍ତୁ ଫଳ ଯଥା ପୂର୍ବଂ ତଥା ପରଂ।

ଚିରା ପଲିଥିନ୍ ତଳେ ଦଣ୍ଡିକା ଗ୍ରାମର ଦ୍ରୌପଦୀ ମୁର୍ମୁ

ବସ୍ତା ବ୍ଲକ ଦରଡ଼ା ପଞ୍ଚାୟତ ପଳାଶିଆ ଗ୍ରାମର ସୁଜୟ ପଟ୍ଟନାୟକ। ପତ୍ନୀ ୱାର୍ଡମେମ୍ବର ଥିବାବେଳେ ସମ୍ପତ୍ତି ଓ ପାରିବାରିକ ରୋଜଗାରକୁ ଦେଖିଲେ ସୁଜୟ ଧନୀକ ବର୍ଗରେ ଗଣାଯିବେ। ହେଲେ ୱାର୍ଡମେମ୍ବର ପତ୍ନୀଙ୍କ କ୍ଷମତାବଳରେ ୨୦୧୯/୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ହାତେଇ ନିର୍ମାଣ କରୁଛନ୍ତି ୧୬ ଶହ ସ୍କୋୟାର ଫୁଟ୍‌ର ଭବ୍ୟ ଦ୍ବିତଳ ପ୍ରାସାଦ। ଆଉ ବିଡ଼ମ୍ବନାର ବିଷୟ ହେଉଛି, ସୁଜୟଙ୍କ ଘରଠାରୁ ଅଳ୍ପ କିଛି ଦୂର ଏକଡ଼ାଳିଆ ଗ୍ରାମର ଗୌରାଙ୍ଗ ଗନ୍ତାୟତ ଏକ ଭଙ୍ଗାଚାଳିଆ ଘରେ ଦେଖୁଛନ୍ତି ନିଜ ଅନାହତ ଭବିଷ୍ୟତର ସ୍ବପ୍ନ। ଦୀର୍ଘ ୬ ବର୍ଷ ଧରି ବାତ୍ୟାରେ ବାସ ହରାଇ ଗାଁ ବିଦ୍ୟାଳୟ ପିଣ୍ଡାରେ ନିଜ ବଢ଼ିଲା ଝିଅ ଓ ସ୍ତ୍ରୀକୁ ଧରି ଦିନ କାଟୁଛନ୍ତି ଗୌରାଙ୍ଗ। ଦରଡ଼ା ଛକରେ ଛୋଟ ପାନ ଦୋକାନଟିଏ କରିଥିବା ଏହି ଅଭାବୀ ପରିବାରର ସମ୍ବଳ କହିଲେ ଦେଢ଼ ଡିସିମିଲର ଜାଗା ଖଣ୍ଡେ। ଫାଇଲିନ୍‌ ବାତ୍ୟା ସମୟରେ ଯେଉଁ ନଡ଼ାଛପର ଘରଖଣ୍ଡିକ ଥିଲା, ତାହା ଭୁଶୁଡ଼ିଯାଇଛି। ଫାଇଲିନ୍‌କୁ ୬ ବର୍ଷ ବିତି ଯାଇଥିବା ବେଳେ ଏହା ଭିତରେ ବାତ୍ୟା ହୁଡ୍‌ହୁଡ୍‌, ୟାସ୍ ଯାଇସାରିଲାଣି। ସରପଞ୍ଚ, ବିଡ଼ିଓ, ବିଧାୟକ ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି। ସମୟାନ୍ତରରେ ସରକାରୀ ବାବୁ ଆସନ୍ତି, ଆଉ ଭଙ୍ଗାଘର ଦେଖି ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି। ଏମିତି ୧୦/୧୧ ଥର ହେବା ପରେ ପ୍ରଶାସନ ଉପରେ ଭରସା ତୁଟାଇ ଦେଇଛନ୍ତି ଗୌରାଙ୍ଗ।

ସମାନ ଅବସ୍ଥା ବାହାର୍ଦ୍ଦା ପଞ୍ଚାୟତ ଦଣ୍ଡିକା ଗ୍ରାମର ବୃଦ୍ଧା ଦ୍ରୌପଦୀ ମୁର୍ମୁଙ୍କର। ବାତ୍ୟା ୟାସ୍‌ରେ ବାସ ହରାଇ ପରିବାରର ୭ ପ୍ରାଣୀ କୁଟୁମ୍ବକୁ ଧରି ପଲଥିନ୍‌ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ଗୁହାରି କରି ଥକିଗଲେଣି, ହେଲେ ଫଳ ଶୂନ। ସେମିତି ଭେଲରା ପଞ୍ଚାୟତ ବାଇତପଡ଼ା ଗ୍ରାମର ବଳରାମ ଦାସଙ୍କ ୨ ଡିସିମିଲ ଘରଡ଼ିହ ଛଡ଼ା ଆଉ କିଛି ନାହିଁ। ମୂଲମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହୁଏ। ଅବଶ୍ୟ ସରକାରୀ ଚାଉଳରୁ ପେଟକୁ ଦାନା ସିନା ମିଳିଯାଇଛି, ହେଲେ ସ୍ତ୍ରୀ, ପୁଅକୁ ଧରି ଭଙ୍ଗାଚାଳ ଘରେ ଚକାଜହ୍ନ ଦେଖୁଛନ୍ତି। ବ୍ଳକ୍‌ରେ ଏଭଳି ଅନେକ ବାସହରା ପରିବାର ଦୟନୀୟ ଅବସ୍ଥାରେ ରହିଥିବା‌ ବେଳେ ଧନୀ ଲୋକଙ୍କୁ ମିଳିଛି ସରକାରୀ ସୁବିଧା। ଏ ସଂପର୍କରେ ଦରଡ଼ା ସରପଞ୍ଚ ରଘୁନାଥ ମୁର୍ମୁଙ୍କୁ ପଚରାଯିବାରୁ ସୁଜୟଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ବିଷୟରେ ସେ କିଛି କହିବାକୁ ମନା କରିଥିବାବେଳେ ହିତାଧିକାରୀ ତାଲିକାରେ ଗୌରାଙ୍ଗ ଗନ୍ତାୟତଙ୍କ ନାମ ନଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପରେ ହାତରୁ ଟଙ୍କା ଖର୍ଚ୍ଚ କରି ସେ ଏହି ଘରକୁ ତିଆରି କରୁଥିବା ସୁଜୟ ପଟ୍ଟନାୟକ କହିଛନ୍ତି। ବସ୍ତା ବିଡିଓ ଜ୍ଞାନରଞ୍ଜନ ସାହୁ ସମସ୍ତ ଘଟଣାକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର