ଘର ଘର ବୁଲି ସେବା କରୁଛନ୍ତି ଆୟୁଷ ଡାକ୍ତର, ଦୁଇଶହରୁ ଅଧିକ କୋଭିଡ ସଂକ୍ରମିତଙ୍କୁ ସୁସ୍ଥ କଲେଣି

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ପ୍ରତି ଗାଁରେ କରୋନା ଭୂତାଣୁ ଭୟ ମଣିଷକୁ ଏତେ ଡରାଇ ରଖିଛି ଯେ କୌଣସି ବ୍ୟକ୍ତି ପଜିଟିଭ ଚିହ୍ନଟ ହେଲା ପରେ ତାର ସଂପୂର୍ଣ୍ଣ ପରିବାରକୁ ଏକପ୍ରକାର ସାମାଜିକ ବାସନ୍ଦ ହେବାକୁ ପଡୁଛି। ଅନ୍ୟମାନଙ୍କ ବ୍ୟବହାର ଯୋଗୁଁ ସକ୍ରମିତ ବ୍ୟକ୍ତି ମାନସିକ ଚିନ୍ତାରେ ଘାରି ହେଉଛି ଏବଂ ଏହି ଚିନ୍ତା ତାର ଭଲହେବାରେ ଅନ୍ତରାୟ ସୃଷ୍ଟି କରୁଛି। ଏଭଳି ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମିତ ପାଖରେ ପହଞ୍ଚି ଯାଆନ୍ତି କରୋନା ଯୋଦ୍ଧା ଆୟୁଷ ଡାକ୍ତର ଶିଖିଧ୍ୱଜ ପଟେଲ। ଇତିମଧ୍ୟରେ ସେ ୨୦୦ଶହରୁ ଅଧିକ କରୋନା ସଂକ୍ରମିତଙ୍କୁ ସୁସ୍ଥ କରି ସାରିଲେଣି। ଏପରିକି ଘର ଘର ଯାଇ ଡାକ୍ତର ପଟେଲ ସଂକ୍ରମିତଙ୍କୁ ସେବା ଯୋଗଇ ଆସୁଛନ୍ତି।

ଡାକ୍ତର ପଟେଲ ରୋଗୀଙ୍କୁ ମାନସିକ ବିଷାଦରୁ ମୁକ୍ତି ପାଇବା ପାଇଁ ମନୋବଳ ବଢ଼ାଇଥାନ୍ତି। ଗତବର୍ଷ ମଧ୍ୟ ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ସମୟରେ ସେ ନିର୍ବିକାର ଭାବେ ସେମାନଙ୍କ ପାଖରେ ପହଞ୍ଚି ସାହସ ଯୋଗାଉଥିଲେ। ଡା. ପଟେଲଙ୍କ ଗୁରୁ ଦାୟିତ୍ୱରେ କର୍ଲାମୁଣ୍ଡା ସେକ୍ଟରର କର୍ଲାମୁଣ୍ଡା, ରିଞ୍ଜା, ରାଜପୁର ଓ ସରଗୁଲ ମାଲପଡ଼ା ପଞ୍ଚାୟତ ରହିଛି। ସେ ଏବର୍ଷ ଏହି ଚାରି ପଞ୍ଚୟାତର ୨ଶହରୁ ଅଧିକ ପଜିଟିଭ ରୋଗୀଙ୍କ ପାଖରେ ପହଞ୍ଚି ନିୟମିତ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ମନବୋଳ ବଢ଼ାଇଥିଲେ। ତାଙ୍କ ଅଧୀନରେ ଦୁଇଟି ଆମ୍ବୁଲାନ୍ସ ମଧ୍ୟ ରହିଛି। ଯେଉଁଠି ଯାହା ଖବର ପାଇଲେ ତତ୍କାଳ ଆମ୍ବୁଲାନ୍ସ ସେବା ଯୋଗାଇଦେଇଥାନ୍ତି।

ମହାମାରୀ ସମୟରେ ତାଙ୍କର ଏଭଳି ସେବା ମନୋବୃତ୍ତିକୁ ଜନସାଧାରଣରେ ଓ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର