ଆୟୁଷ ହେଲ୍‌ଥ ଓ ୱେଲନେସ୍‌ ସେଣ୍ଟରକୁ ଚାପିଦେଲେ : ପଡ଼ି ରହିଛି ୬୦ଟି କେନ୍ଦ୍ରରେ ଖୋଲିବା ପ୍ରସ୍ତାବ, ୨ମାସ ହେଲା ଖାଲି ଆୟୁଷ ନିର୍ଦେଶକ ପଦବି

ଭୁବନେଶ୍ବର : ଆୟୁର୍ବେଦିକ ଡିସ୍‌ପେନସାରିଗୁଡ଼ିକୁ ‌ଆୟୁଷ ହେଲ୍‌ଥ ଓ ୱେଲନେ୍‌ସ କେନ୍ଦ୍ରରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରେ ଦେଶବ୍ୟାପୀ ୧୨ହଜାରରୁ ଅଧିକ ଆୟୁର୍ବେଦିକ କେନ୍ଦ୍ରକୁ ଚିହ୍ନଟ କରାଯାଇଥିବା ବେଳେ ଓଡ଼ିଶାର ଭାଗ ପଡ଼ିଛି ୬୦ଟି। ନିକଟରେ ଅନ୍ୟ ରାଜ୍ୟରେ ଏଭଳି କେନ୍ଦ୍ର କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ଏହାର ଫାଇଲ୍ ନାଲିଫିତା ତଳେ ପଡ଼ି ରହିଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଏଭଳି ବେପରୁଆ ମନୋଭାବ ପାଇଁ ରାଜ୍ୟରେ ଆୟୁଷ ସେବା ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଏପରିକି ଆୟୁଷକୁ ରାଜ୍ୟ ସରକାର ଜାଣିଶୁଣି ଅବହେଳା କରୁଥିବା କର୍ମଚାରୀ ମହଲରେ ଅଭିଯୋଗ ହୋଇଛି।

ଆୟୁଷକୁ ଲୋକଙ୍କ ନିକଟରେ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆୟୁର୍ବେଦିକ ଡିସ୍‌ପେନସାରିଗୁଡ଼ିକୁ ହେଲ୍‌ଥ ଓ ୱେଲନେସ୍‌ କେନ୍ଦ୍ରରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାରେ କେତୋଟି ଆୟୁଷ ହେଲ୍‌ଥ ଓ ୱେଲନେସ୍‌ କେନ୍ଦ୍ର ଖୋଲିବ ଏଥିପାଇଁ ସ୍ବାସ୍ଥ୍ୟ ବିଭାଗକୁ ତଥ୍ୟ ମାଗିଥିଲେ କେନ୍ଦ୍ର ସରକାର। ରାଜ୍ୟର କେଉଁ କେଉଁ କେନ୍ଦ୍ରରେ ଓ କିଭଳି ଢଙ୍ଗରେ ଏହାକୁ କରାଯିବ ତାହାର ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଏଥିପାଇଁ ୪ଜଣିଆ ଟିମ୍ ଗଠନ କରିଥିଲେ। ଏହି ଟିମ୍‌ ଗତ ଜୁଲାଇ ମାସରେ ଏ ସଂପର୍କିତ ସବିଶେଷ ରିପୋର୍ଟ ପ୍ରଦାନ କରିଥିଲେ। ଖୋର୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ଏଥିରେ ୧୧ଟି କେନ୍ଦ୍ର ସହିତ ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୬୦ଟି କେନ୍ଦ୍ରକୁ ଚୟନ କରାଯାଇଥିଲା। ହେଲେ ଏ ସଂପର୍କିତ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗରେ ପଡ଼ି ରହିଛି। ୭ଟି ରାଜ୍ୟରେ ଏହି କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ଏ ସଂପର୍କିତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଇ ନ ଥିବା ଜଣାପଡ଼ିଛି।

ଗୋଟିଏ ଲେଖାଏଁ ଆୟୁଷ ହେଲ୍‌ଥ ଓ ୱେଲନେ୍‌ସ କେନ୍ଦ୍ର ପାଇଁ ୧୫ଲକ୍ଷ ଟଙ୍କା ଖର୍ଚ କରାଯିବ। ଏହି ଅର୍ଥର ୬୦ଭାଗ କେନ୍ଦ୍ର ସରକାର ବହନ କରିବାକୁ ଥିବାବେଳେ ବଳକା ରାଜ୍ୟ ସରକାର ବହନ କରିବାର ପ୍ରସ୍ତାବ ରହିଛି। ପୂର୍ବରୁ ଯେଉଁ ଆୟୁର୍ବେଦିକ ଡିସ୍‌ପେନସାରି ରହିଛି ଏହାର ଉନ୍ନତିକରଣ କରାଯିବ। ଏହି କେନ୍ଦ୍ରରେ ଯୋଗ ହଲ୍‌ ସହିତ ପ୍ରଶିକ୍ଷକ, ଡିସ୍‌ପେନସାରି ପରିସରରେ ଏକ ଔଷଧୀୟ ବଗିଚା ସୃଷ୍ଟି କରାଯିବ, ପାଥୋଲୋଜି ପରୀକ୍ଷା ଓ ଆବଶ୍ୟକ ଔଷଧ ଭଳି ସୁବିଧା ଲୋକଙ୍କୁ ମିଳିବ। ଅପରପକ୍ଷରେ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ଅଧୀନରେ ରାଜ୍ୟରେ ବିଭିନ୍ନ ଡିସ୍‌ପେନସାରିରେ ହେଲ୍‌ଥ ଓ ୱେଲନେ୍‌ସ କେନ୍ଦ୍ର କାର୍ଯ୍ୟକାରୀ ହେଉଛି। ୧ହଜାରରୁ ଅଧିକ ଡିସ୍‌ପେନସାରିରେ ଏହା ଆରମ୍ଭ ହୋଇସାରିଛି। ମାତ୍ର ଆୟୁଷରେ ହେଲ୍‌ଥ ଓ ୱେଲନେ୍‌ସ କେନ୍ଦ୍ର ଖୋଲିବା ଦିଗରେ ସ୍ବାସ୍ଥ୍ୟ ବିଭାଗର ଅବହେଳାକୁ ନେଇ ପ୍ରଶ୍ନ ଉଠିଛି।

ଅପରପକ୍ଷରେ ଜାତୀୟ ଆୟୁଷ ମିସନ ବା ନାମ୍‌ ଗଠନ ହେବା ପରେ ରାଜ୍ୟରେ ଆୟୁଷ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଏକ ରାଜ୍ୟ କାର୍ଯ୍ୟକ୍ରମ ପରିଚାଳନା ୟୁନିଟ୍‌ ବା ଏସ୍‌ପିଏମ୍‌ୟୁ ଗଠନ କରାଯାଇଛି। ଏଥିରେ ଜଣେ ପ୍ରକଳ୍ପ ମ୍ୟାନେଜର, ଆକାଉଣ୍ଟସ୍ ମ୍ୟାନେଜର, ମାନବ ସମ୍ବଳ ଅଧିକାରୀଙ୍କୁ ମିଶାଇ ୬ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ତେବେ ଏହାର ସତନ୍ତ୍ରଭାବେ କୌଣସି ବିଲ୍ଡିଂ ନିର୍ମାଣ କରାଯାଇନାହିଁ, ଆୟୁଷ ନିର୍ଦେଶାଳୟର କନଫରେନ୍‌ସ ହଲ୍‌ରେ ଏହା କାର୍ଯ୍ୟ କରୁଛି। ତେବେ ଗତ ପ୍ରାୟ ୨ମାସ ହେଲା ଆୟୁଷ ନିର୍ଦେଶକ ପଦବି ଖାଲି ପଡ଼ିଛି। ସ୍ବାସ୍ଥ୍ୟସେବା ନିର୍ଦେଶକଙ୍କୁ ଆୟୁଷ ନିର୍ଦେଶାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏଭଳି ପରିସ୍ଥିତିରେ ଆୟୁଷ ବିଭାଗର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣଭାବେ ଠପ୍ ହୋଇଯାଇଛି। ଏସ୍‌ପିଏମ୍‌ୟୁର କର୍ମଚାରୀମାନେ କିଭଳି ଢଙ୍ଗରେ ନାମ୍‌କୁ ଆଗକୁ ନେଇ ତାହାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଏହାସହ ଆୟୁଷ ନିର୍ଦେଶାଳୟର ଅଭିଯୋଗ ବା ଗ୍ରିଭାନ୍‌ସ ମଧ୍ୟ ବନ୍ଦ ହୋଇଯାଇଛି। ଯାହାଫଳରେ ନିର୍ଦେଶାଳୟର କର୍ମଚାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାଜ୍ୟ ଆୟୁଷ ନିର୍ଦେଶାଳୟ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୬୦ଟି ଆୟୁଷ ହେଲ୍‌ଥ ଓ ୱେଲନେ୍‌ସ କେନ୍ଦ୍ର ପାଇଁ ୨ମାସ ହେବ ପ୍ରସ୍ତାବ ଦିଆଯାଇଛି। ତେବେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରି ନାହାନ୍ତି। ଆୟୁଷ୍ମାନ ଭାରତ ଅଧୀନରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବାରୁ ରାଜ୍ୟରେ ହୁଏତ କାର୍ଯ୍ୟକାରୀ କରିବାରେ ବିଳମ୍ବ ହୋଇପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି। ଅପରପକ୍ଷରେ ଆୟୁଷ ନିର୍ଦେଶକ ପଦବି ଖାଲି ପଡ଼ିଥିବାରୁ ବିଭାଗର କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା କର୍ମଚାରୀମାନେ ଅସ‌ନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର