ଆୟୁଷ୍ମାନ୍ ଭାରତ-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକୀକରଣ ପ୍ରସଙ୍ଗ, ଏଯାଏ ସ୍ପଷ୍ଟ କରିନି କେନ୍ଦ୍ର: ମନ୍ତ୍ରୀ

ଭୁବନେଶ୍ବର : ପିଏମ-କିଷାନ୍ ନିଧି ଯୋଜନାରେ କାଳିଆ ଯୋଜନାର ଏକୀକରଣ ପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ କେନ୍ଦ୍ରର ଆୟୁଷ୍ମାନ୍ ଭାରତ ଯୋଜନା ସହ ଏକୀକରଣ କରାଯିବ। କିନ୍ତୁ କେନ୍ଦ୍ର ଏ ନେଇ ସହଯୋଗ କରୁନି। ଏଥିପାଇଁ କେନ୍ଦ୍ରକୁ ଗତ ସେପ୍ଟେମ୍ବର ମାସରୁ ସ୍ପଷ୍ଟୀକରଣ ମଗାଯାଇଥିଲେ ବି କେନ୍ଦ୍ର ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇନି। ସେଥିପାଇଁ ରାଜ୍ୟ ସରକାର କିଛି ବି ନିଷ୍ପତ୍ତି ନେଇପାରିନାହାନ୍ତି। ଉଭୟ ଯୋଜନାର ଏକୀକରଣ ନେଇ ଆଜି ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ।

ମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିନା ପରିଚୟପତ୍ରରେ ସବୁ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। କିନ୍ତୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମାଗଣା ଚିକିତ୍ସା ପାଇଁ ଫଟୋ ସମ୍ବଳିତ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ଏହି ଦୁଇଟି ଯାକ ଯୋଜନାକୁ ଏକୀକରଣ କରିବାକୁ ଗତବର୍ଷ ଜୁଲାଇ ୨ ତାରିଖରେ ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ବିତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଜବାବରେ ତତ୍କାଳୀନ ସ୍ବାସ୍ଥ୍ୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ପରିଚୟପତ୍ର ବିନା ପିଏମ୍‌-ଜେଏଵାଇ ଯୋଜନାରେ ରୋଗୀଟିଏ ଡାକ୍ତରଖାନାରେ କିପରି ସ୍ବାସ୍ଥ୍ୟ ସେବା ପାଇବ ସେ ନେଇ ଜାତୀୟ କର୍ତ୍ତୃପକ୍ଷଙ୍କଠାରୁ ସ୍ପଷ୍ଟୀକରଣ ମାଗିଥିଲେ। ଏ ନେଇ ଶ୍ରୀ ମେହେର୍ଦ୍ଦା ଗତ ସେପ୍ଟେମ୍ବର ୨୫ ତାରିଖରେ ଚିଠି ଲେଖିଥିଲେ। ଯାହାର ଉତ୍ତର ଏଯାଏ କେନ୍ଦ୍ର ସରକାର ଦେଇନାହାନ୍ତି।

ସମ୍ବନ୍ଧିତ ଖବର