ଉଚ୍ଚଶିକ୍ଷା ବିଭାଗ ଅଧୀନ ବି.ଏଡ୍ ପରୀକ୍ଷା ବାତିଲ୍‌

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକୀର ମୋହନ ବିଶ୍ବବିଦ୍ୟାଳୟର ଡିଡିସିଇ ଶେଷ ବର୍ଷ/ଚୂଡ଼ାନ୍ତ ସେମିଷ୍ଟର ପରୀକ୍ଷା ବାତିଲ୍‌ ହୋଇଛି। ଏଥିସହ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ (୨ ବର୍ଷିଆ ବି.ଏଡ୍‌ ଡିଗ୍ରି/୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌/୪ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବିଏ ବି.ଏଡି/ବିଏସ୍‌ସି ବି.ଏଡ୍‌ ପାଠ୍ୟକ୍ରମ)/ ସମସ୍ତ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ/ପିପିପି ମୋଡ୍‌ରେ ପରିଚାଳିତ ସେଲ୍ଫ ଫାଇନାନ୍ସିଂ କୋର୍ସ)ଗୁଡ଼ିକ‌ର ଶେଷ ସେମିଷ୍ଟର ପରୀକ୍ଷା ବାତିଲ୍‌ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଯେଉଁ ନିଷ୍ପତ୍ତି ନିଆଯାଇଛି ସେଗୁଡ଼ିକ ଉକ୍ତ ପାଠ୍ୟକ୍ରମରେ ବି ଲାଗୁ ହେବ। ‌ତେବେ ଉଚ୍ଚଶିକ୍ଷା ବିଭାଗ ବ୍ୟତୀତ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଦ୍ବାରା ପରିଚାଳିତ ପାଠ୍ୟକ୍ରମଗୁଡ଼ିକରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତ‌ାରେ ଗତ ୧୧ ତାରିଖରେ ଅନୁଷ୍ଠିତ କୁଳପତିମାନଙ୍କ ସମ୍ମିଳନୀରେ ନିଆଯାଇଥିବା ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କୁହାଯାଇଛି ଯେ ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଓ ଡିଗ୍ରି କଲେଜର (ୟୁଜି/ସ୍ନାତକ) ୬ଷ୍ଠ ସେମିଷ୍ଟର ଓ ପିଜି(ସ୍ନାତକୋତ୍ତର)ର ଚୂଡ଼ାନ୍ତ ତଥା ଶେଷ ସେମିଷ୍ଟର ପରୀକ୍ଷା ବାତିଲ୍‌ ହୋଇଛି। କୌଣସି ବିଷୟର ଥିଓରି କିମ୍ବା ପ୍ରାକ୍ଟିକାଲ ପରୀକ୍ଷା କରାଯିବ ନାହିଁ। ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ସୁପାରିସ ଅନୁଯାୟୀ ବିକଳ୍ପ ମୂଲ୍ୟାୟନ ଜରିଆରେ ଶେଷ ବର୍ଷ/ସେମିଷ୍ଟରଗୁଡ଼ିକର ମୂଲ୍ୟାୟନ କରି ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ ୟୁଜି ଓ ପିଜିର ପରୀକ୍ଷା ଫଳ ପ୍ରକାଶ କରାଇବେ। ଯେଉଁ ଛାତ୍ରଛାତ୍ରୀ ଶେଷ ବର୍ଷ/ସେମିଷ୍ଟର ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥାରେ ପାଇଥିବା‌ ମାର୍କଠାରୁ ଅଧିକ ଉନ୍ନତ ମାର୍କ ପାଇବା ପାଇଁ ଚାହିଁବେ, ସେମାନଙ୍କ ପାଇଁ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ କଲେଜଗୁଡ଼ିକ ଆସନ୍ତା ନଭେମ୍ବର ମଧ୍ୟରେ ସାଧାରଣ ରୀତିରେ ପରୀକ୍ଷା କରାଇବେ। ଏହି ପରୀକ୍ଷାର ମାର୍କ ଅନୁସାରେ ସେହି ଛାତ୍ରଛାତ୍ରୀଙ୍କ ପୁନଃ ପରୀକ୍ଷା ଫଳ ଡିସେମ୍ବରରେ ପ୍ରକାଶ କରାଯିବ।

ସମ୍ବନ୍ଧିତ ଖବର