ବିଏଡ୍‌ ଶିକ୍ଷକଙ୍କ ଆନ୍ଦୋଳନ ୩୦ ଦିନରେ

ଭୁବନେଶ୍ବର : ବିଭିନ୍ନ ଦାବି ନେଇ ଲୋୟର୍ ପିଏମ୍‌ଜିରେ ଚାଲିଥିବା ବିଏଡ୍‌ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ୩୦ ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୫୩ ହଜାରରୁ ଅଧିକ ବିଏଡ୍‌ ଶିକ୍ଷକଙ୍କ ଦାବିକୁ ସରକାର ଗ୍ରହଣ କରି ସେମାନଙ୍କୁ ପ୍ରତ୍ୟେକ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଟିଜି ପଦବିରେ ଅବସ୍ଥାପିତ କରି ସେହି ହାରରେ ଦରମା ପ୍ରଦାନ କରିବାକୁ ସଂଘ ଦାବି କରିଛି। ସରକାର ଦାବି ନ ମାନିଲେ ଆଗାମୀ ଦିନରେ ମହଙ୍ଗା ପଡ଼ିବ ବୋଲି ଚେତାବନୀ ବି ଦିଆଯାଇଛି।

ସଂଘ ପକ୍ଷରୁ କୁହାଯାଇଛି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ସ୍ବତନ୍ତ୍ର କ୍ୟାଡର୍ ଗଠନ ନ କରି ପ୍ରାଥମିକ ଶିକ୍ଷକମାନଙ୍କ ସହ ଏହି ଶିକ୍ଷକମାନଙ୍କୁ ଗ୍ରହଣ କରି ଦରମା କରାଯାଉଥିବାରୁ ଅସଙ୍ଗତି ସୃଷ୍ଟି ହୋଇଛି। ବର୍ତ୍ତମାନର ସରକାର ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡର୍ ପୁନର୍ଗଠନ କରୁଥିଲା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ବିଜ୍ଞାପନ ଓ ଓଟିଇଟି ପରୀକ୍ଷା ଆଧାରରେ ବିଏଡ୍‌ ଯୋଗ୍ୟତା ଭିତ୍ତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ଟିଜି ହାରରେ ଦରମା ନ ଦେଇ ମାଟ୍ରିକ୍ ସିଟି ହାରରେ ଦରମା ପ୍ରଦାନ କରାଗ‌େଲ ଗୁଣାତ୍ମକ ଶିକ୍ଷା ମିଳିବା ସମ୍ଭବ ନୁହେଁ। ଆଗାମୀ ବଂଶଧରମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରି ଗଢ଼ୁଥିବା ଶିକ୍ଷକମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ମିଳିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ବିଏଡ୍‌ ଶିକ୍ଷକମାନେ ନିଯୁକ୍ତି ପାଇଥିଲା ବେଳେ ସେମାନଙ୍କୁ ବିଷୟଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଦେଇ ନ ଥିବାରୁ ସେହି ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସେହି ଅସନ୍ତୋଷକୁ ପ୍ରଶମିତ ନ କରି ଗ୍ରାଜୁଏଟ୍‌ ଟିଚର୍ ନାମରେ ଏକ ନୂଆ ପଦବି ଆରମ୍ଭ କରିବା ସହ ଏକ ହୀନ ପରମ୍ପରା ସୃଷ୍ଟି କରି ସରକାର ବିବାଦ ସୃଷ୍ଟି କରୁଛନ୍ତି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ଯୋଗ୍ୟ ଶିକ୍ଷକମାନଙ୍କୁ ଉପଯୁକ୍ତ ଦରମା ଓ ମର୍ଯ୍ୟାଦା ପ୍ରଦାନ କରିବା ପାଇଁ ସଂଘ ପକ୍ଷଣୁ ଅନୁରୋଧ କରାଯାଇଛି। ଏହା ବାଦ୍ ବିଏଡ୍‌ ଭିତ୍ତିରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଦରମା କେନ୍ଦ୍ର ଅନୁମୋଦନ ହାର‌େର ପ୍ରଦାନ କରିବାକୁ ଦାବି ହୋଇଛି। ସରକାର ଦାବିଗୁଡ଼ିକୁ ବିଚାର ନ କଲେ ଆଗାମୀ ଦିନରେ ପରିଣତି ଭୟଙ୍କର ହେବ ବୋଲି ସଂଘ ସଭାପତି ଅଜୟ କୁମାର ଧଳ, ସମ୍ପାଦକ ଦେବେନ୍ଦ୍ର କୁମାର ନାୟକ, ଉପସଭାପତି ସରୋଜ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଦୁ‌‌େର୍ଯ୍ୟାଧନ ଦାସ, ଆବାହକ ରୂ‌େପଶ କୁମାର ସାହୁ, ପଦ୍ମଲୋଚନ ଘଡ଼ାଇ, ଅର୍ଚ୍ଚନା ଜେନା, ସବିତା ପାଣିଗ୍ରାହୀ, ସୁମିତ୍ରା ମହାରଣା ଓ ଲଲାଟେନ୍ଦୁ ମହଲ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର