ହାତୀ ଶାବକଙ୍କ ଶବ ଉଦ୍ଧାର

ବଣାଇଗଡ଼ : ବଣାଇ ବନଖଣ୍ତ ଅନ୍ତର୍ଗତ ଜର୍ଡା ବନାଞ୍ଚଳର ରାମଛିଣ୍ତା ସେକ୍‌ସନ ଋଷିମଠ ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ଅପରାହ୍‌ଣରେ ଏକ ହାତୀ ଶାବକର ଶବ ଜବତ କରିଛି ବନ ବିଭାଗ। ସ୍ଥାନୀୟ ଅଞ୍ଚଳରେ ଏବେ ୧୪ ଟିକିଆ ହାତୀପଲ ଘୂରି ବୁଲୁଥିବାବେଳେ ଗୁରୁବାର ଅପରାହ୍‌ଣରେ ସେଠାରେ ଏକ ହାତୀ ଶାବକର ମୃତଦେହ ଠାବ ହୋଇଥିଲା।

ପ୍ରଥମେ ବନପାଳ ପ୍ରଦୀପ ଭୋଇ ଏହା ଦେଖି ଏ ସଂପର୍କରେ ବଣାଇ ବନଖଣ୍ତ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଖବର ପାଇ ତୁରନ୍ତ ବଣାଇ ବନଖଣ୍ତ ଅଧିକାରୀ ସନତ କୁମାର ଏନ, ସହକାରୀ ବନ ସଂରକ୍ଷକ ମହେନ୍ଦ୍ର ନାଥ, ସମୀର ତିର୍କୀ, ଜର୍ଡା ବନାଞ୍ଚଳ ଅଧିକାରୀ ପ୍ରସନ୍ନ ସେଠୀ ଏବଂ ବଣାଇ ଉପଖଣ୍ତ ପ୍ରାଣୀଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିବା ପରେ ସେଠାରେ ମୃତ ହାତୀ ଶାବକର ବ୍ୟବଚ୍ଛେଦ କରାଯାଇଥିଲା। ତେବେ ମୃତ ହାତୀ ଶାବକର ବୟସ ପ୍ରାୟ ଏକ ବର୍ଷ ହୋଇଥିବାବେଳେ ବର୍ତମାନ ପ୍ରବଳ ଶୀତ ଲହରୀରେ ତାର ମୃତ୍ୟୁ ହୋଇଯାଇଥିବା ଅନୁମାନ କରାଯାଉଛି। ସେହିପରି ହାତୀ ଗୋଠରୁ ଅଲଗା ହୋଇ ଏକୁଟିଆ ରହି ତାର ମୃତ୍ୟୁର ଅନ୍ୟ ଏକ କାରଣ ହୋଇଥାଇପାରେ ବୋଲି ବିଭାଗ ପକ୍ଷରୁ ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର