ଭୁଲ ଚିକିତ୍ସା ଯୋଗୁଁ ଶିଶୁର ଗୋଡ଼ କଟିଲା!

ଅଭିଯୋଗକୁ ଖଣ୍ଡନ କଲେ ଡାକ୍ତର

ଥୁଆପାଲି : ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଜଣେ ଛୋଟ ଶିଶୁର ଗୋଡ଼କୁ କଟା ଯାଇଥିବା ଶିଶୁର ବାପା ମା’ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁସାରେ, ଭେଡ଼େନ ବ୍ଲକ୍‌ ରେମଣ୍ଡା ପଞ୍ଚାୟତ ମହୁଲପାଲି ଟିକ୍ରାପଡ଼ାର ଥବିନ୍ଦ୍ର ବୁଡ଼େକ, ପତ୍ନୀ ସଂଗୀତା ଓ ଏକ ମାତ୍ର ଝିଅ ରିଶିକା(୪)ଙ୍କ ପରିବାର ଅତି ଗରିବ ଶ୍ରେଣୀର। ସେମାନଙ୍କ ଘରଦ୍ଵାର କି ଜମିବାଡ଼ି ଆଦୌ ନାହିଁ। ଗତ ଜୁଲାଇ ମାସରେ ଝିଅକୁ ଜ୍ବର ହେବାରୁ ପରିବାର ଲୋକେ ରେମଣ୍ଡାର ଏକ ବେସରକାରୀ ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଡା. ମନୋରଞ୍ଜନ ମେହେର ଚିକିତ୍ସା ଏକ ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍‌ସନ୍‌ କମ୍ପାଉଣ୍ଡର ସହାୟତାରେ ନେବାକୁ କହିଥିଲେ। ଇଞ୍ଜେକ୍‌ସନ୍‌ ନେବାର ଦିନକ ପରେ ଝିଅର ଗୋଡ଼ଟି କଳା ପଡ଼ିଯିବା ସହ ସେ ଚଲାବୁଲା କରି ପାରିନଥିଲା। ପରିବାର ଲୋକେ ପୁଣି ଥରେ ସେହି ଡାକ୍ତରଙ୍କୁ ଦେଖାଇଥିଲେ।  ଡା. ମେହେର କିଛି ଔଷଧ ଓ ଇଞ୍ଜେକ୍‌ସନ୍‌ ଦେଇ ସପ୍ତାହେ ଭିତରେ ସବୁ ଠିକ୍‌ ହୋଇଯିବ ବୋଲି କହିଥିଲେ। କିନ୍ତୁ ସପ୍ତାହେ ପରେ ବି ଗୋଡ଼ ଠିକ୍‌ ନହେବାରୁ ଡା. ମେହେର ବୁର୍ଲା ନେବାକୁ କହିଥିଲେ। ପରିବାର ଲୋକେ ଧାରକରଜ କରି ବୁର୍ଲା ନେଇଥିଲେ। ପରେ କଟକ ମେଡିକାଲ୍ ନେଇଥିଲେ। ଚିକିତ୍ସାରେ ବିଳମ୍ବ ହେବାରୁ ଝିଅକୁ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଗୋଡ଼ କଟାଯିବ ବୋଲି ଡାକ୍ତର କହିବା ପରେ ସେମାନେ ପୁଣି କଟକ ମେଡିକାଲ୍‌ ଏବଂ ପରେ ଭୁବନେଶ୍ବରସ୍ଥିତ ଏମ୍‌ସ ହସ୍ପିଟାଲକୁ ନେଇଥିଲେ। ସେଠାରେ ଦୁଇଟି ଅସ୍ତ୍ରୋପଚାର ପରେ ଗୋଡ଼କୁ କଟା ଯାଇଥିଲା। ଏଣେ ଚିକିତ୍ସା ପାଇଁ ଘର ଲୋକ ଘରର ସବୁ ଅସବାବପତ୍ର ବି ବିକ୍ରି କରି ସାରିଥିଲେ। ଆଉ ଗୋଟିଏ ଅସ୍ତ୍ରୋପଚାର ପ‌ରେ ଏକ କୁତ୍ରିମ  ଗୋଡ଼ ଲଗାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। କିନ୍ତୁ ଏଥି ପାଇଁ ଅର୍ଥ ବାଧକ ସାଜିଛି।

ଭୁଲ୍‌ ଚିକିତ୍ସା ନେଇ ପରିବାର ଲୋକେ ଆଣିଥିବା ଅଭିଯୋଗ ବିଷୟରେ ଡା. ମେହେରଙ୍କୁ ପଚାରାଯିବାରୁ  ଅଭିଯୋଗଟି ଭିତ୍ତିହୀନ ବୋଲି କହିଛନ୍ତି। ଶିଶୁକୁ ଜ୍ବର ହୋଇଥିଲା। ତାକୁ  ଠିକ୍‌ ଔଷଧ ଏବଂ ଇଞ୍ଜେକ୍‌ସନ୍‌ ଦିଆଗଲା। ଗୋଡ଼ କଳା ପଡ଼ିବା ଏବଂ ଚଲାବୁଲା ନକରିବା ସହ ଇଞ୍ଜେକ୍‌ସନ୍‌ର କିଛି ସଂପର୍କ ନାହିଁ ବୋଲି ଡା. ମେହେର ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର