ଆଦିବାସୀଙ୍କ ଜଙ୍ଗଲ ଜମି ଲୁଟ୍, ପାହାଡ଼-ଝରଣା-ଜଳାଶୟ ପାଲଟିଛି ବ୍ୟକ୍ତିଗତ ସମ୍ପତ୍ତି

ଫାର୍ମହାଉସ ନାମରେ ବ୍ୟାଙ୍କରୁ ଉଠିଛି ଋଣ, କୋଟିକୋଟି ଟଙ୍କାର ବ୍ୟବସାୟ

କଟକ : ଟାଙ୍ଗୀ- ଚୌଦ୍ବାର ତହସିଲ ଅଞ୍ଚଳରେ ପାଖାପାଖି ୭ ଶହ ଏକର ଜଂଗଲ ଜମିର କିସମ ବଦଳାଇ ଦିଆଯାଇଛି। ଗରିବ ଆଦାବାସୀ, ଭୂମିହୀନଙ୍କୁ ମିଳିଥିବା ଜମି (ଜଂଗଲ ଜମି)କୁ ଏକର ପିଛା ୫ ହଜାର ଟଙ୍କାରେ କିଣି ନେଇ ଫାର୍ମ ହାଉସ ତିଆରି ହୋଇଛି। ଯେଉଁ ଜମି ଆଦିବାସୀ, ଭୂମିହୀନଙ୍କୁ ସରକାର ଦେଇଥିଲେ ସେ ସବୁ ଜମିର ମାଲିକ ହୋଇ ଆଉ ସେମାନେ ରହି ନାହାନ୍ତି। ଅନ୍ୟପଟେ ଅଞ୍ଚଳର ପାହାଡ, ଝରଣା, ଜଳାଶୟ ‌ବି ଏବେ ଫାର୍ମ ହାଉସ ପାଚେରି ଭିତରେ ରହିଯାଇଛି। ଜଂଗଲ ଜମିରେ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠିଛି। ଜଂଗଲ ଜମିର କିସମ ଶାରଦ-୨, ଶାରଦ, ଗ୍ରାମ୍ୟ ଜଂଗଲ ଓ ଏପରିକି ସ୍ଥିତିବାନ ଘରବାରି ଜମି ବି ପାଲଟି ଯାଇଛି। ଯେଉଁ ଜମିରେ ନିର୍ମାଣ ମନା ସେଠାରେ ହୋଟେଲ ଗଢି ଉଠିଛି। ଅନ୍ୟପଟେ ଏ ସଂପର୍କ‌ରେ ଟାଙ୍ଗୀ ଚୌଦ୍ବାର ତହସିଲର ବର୍ତ୍ତମାନର ତହସିଲଦାର କୌଣସି ମତ ରଖିବାକୁ ମନା କରି ଦେଇଛନ୍ତି।

ତଥ୍ୟ ମୁତାବକ, କଂଗ୍ରେସ ସରକାର ଅମଳରେ ଲ୍ୟାଣ୍ଡ ଫର ଲ୍ୟାଣ୍ଡଲେସ( ଭୂମିହୀନଙ୍କ ପାଇଁ ଜମି) ଯୋଜନା‌ରେ ଭୂମିହୀନ ଆଦିବାସୀଙ୍କୁ ଚାଷ କରିବାକୁ ଜମି ଯୋଗାଇ ଦିଆଯାଇଥିଲା। ଭୂମିହୀନ ଆଦିବାସୀ ହରିଜନ ପରିବାରକୁ ଦୁଇ ଏକର ଲେଖାଏଁ ଜମି ଚାଷ କରିବାକୁ ବଣ୍ଟନ କରାଯାଇଥିଲା। ମାତ୍ର ନବେ ଦଶକରୁ ଆଦିବାସୀଙ୍କ ଜମିକୁ ହଡପ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ ହୋଇଥିଲା। ପ୍ରଭାବଶାଳୀ ବ୍ୟକ୍ତିମାନେ ଆଦିବାସୀଙ୍କ ଜମିକୁ କିଣି ନେଇ ବାଡ ଘେରାଇବା ଆରମ୍ଭ କରିଥିଲେ। ଏକର ପିଛା ୩ରୁ ୫ ହଜାର ଟଙ୍କାରେ ସେମାନେ ଜମି କିଣିବା ଆରମ୍ଭ କରିଥିଲେ। ଜଂଗଲ ଜମିକୁ ଦଖଲରେ ନେଇ ପରେ ଏହାର କିସମ ବଦଳା ଯାଇଥିଲା। ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଫାର୍ମ ହାଉସ ମୁଣ୍ଡ ଟେକି ଥିବା ବେଳେ ଏବେ ଅଞ୍ଚଳର ଆଦିବାସୀମାନେ ପୂର୍ବଭଳି ଭୂମିହୀନ ହୋଇ ରହିଯାଇଛନ୍ତି ବୋଲି ଟାଙ୍ଗୀ-ଚୌଦ୍ବାର ଅଞ୍ଚଳର ସିପିଆଇଏମ ନେତା ବଦ୍ରି ନାରାୟଣ ଦାସ କହିଛନ୍ତି। ଏ ସଂପର୍କରେ ପୂର୍ବତନ ମନ୍ତ୍ରୀ କାହ୍ନୁ ଲେଙ୍କା କହିଛନ୍ତି ଯେ ଅନେକ ଜଣାଶୁଣା ବ୍ୟକ୍ତବିଶେଷ ଏସବୁ ଜମି ବେଆଇନ ଭାବେ ଦଖଲ କରିଛନ୍ତି। ଟାଙ୍ଗୀ ଚୌଦ୍ବାର ତହସିଲର କିଛି ପୂର୍ବତନ ରାଜସ୍ବ ନିରୀକ୍ଷକ, ପୂର୍ବତନ ତହସିଲଦାର ଏହି ମହାଲୁଟ‌ରେ ସାମିଲ ଅଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ ଘଟଣାର ପର୍ଦ୍ଦାଫାସ ହୋଇ ପାରନ୍ତା ବୋଲି ଶ୍ରୀ ଲେଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର