ଆସନ୍ତାବର୍ଷ ରଥଯାତ୍ରାରେ କାର୍ଯ୍ୟକ୍ଷମ ହେବ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ୍‌

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡାକ୍ତର ଶ୍ରୀନାଥ

ଭୁବନେଶ୍ବର: ଆସନ୍ତାବର୍ଷ ରଥଯାତ୍ରାରେ କାର୍ଯ୍ୟକ୍ଷମ ହେବ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ। କୋଭିଡ ସତ୍ତ୍ବେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବେଙ୍ଗାଲୁରୁସ୍ଥିତ ଶ୍ରୀଶଙ୍କର କର୍କଟ ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ତଥା ଖ୍ୟାତାନାମା କର୍କଟରୋଗ ବିଶେଷଜ୍ଞ ଡା.ବି.ଏସ୍‌ ଶ୍ରୀନାଥ ଓ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକାରଣ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ହସ୍ପିଟାଲର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

ଆଲୋଚନା ପରେ ଶ୍ରୀ ବାଗ୍‌ଚୀ ଗଣମାଧ୍ୟମକୁ କହିଛନ୍ତି ଯେ ୭୫୦ ଶଯ୍ୟା ବିଶିଷ୍ଟ ଏହି କର୍କଟ ହସ୍ପିଟାଲର କାର୍ଯ୍ୟ ଆଗେଇ ଚାଲିଛି। ଏଠାରେ ଅତ୍ୟାଧୁନିକ ଯନ୍ତ୍ରପାତି ଲାଗିବା ସହିତ ଏକ ଷ୍ଟେଟ୍‌ ଅଫ୍‌ ଦି ଆର୍ଟ ହସ୍ପିଟାଲରେ ପରିଣତ କରାଯିବ। ଏଥିପାଇଁ ଆବଶ୍ୟକ ତାଲିମ୍ ଆରମ୍ଭ ହୋଇଗଲାଣି। ଆସନ୍ତାବର୍ଷ ରଥଯାତ୍ରାରେ ଏହାକୁ କାର୍ଯ୍ୟକ୍ଷମ କରିବାର ଲକ୍ଷ୍ୟ ରଖିଛି। ସେହିପରି ବାଗ୍‌ଚୀ-କରୁଣାଶ୍ରୟ ସଂସ୍ଥା ଦ୍ବାରା ପରିଚାଳିତ ହେବାକୁ ଥିବା ପାଲାଆଟିଭ୍ କେୟାର ମଧ୍ୟ ଆରମ୍ଭ ହୋଇଛି। ଏବେ କେବଳ ଭୁବନେଶ୍ବର ଓ କଟକରେ ୫ଶହରୁ ଅଧିକ ଗୃହ ପରିଦର୍ଶନ ହୋଇ ସାରିଲାଣି। କର୍କଟ ପାଇଁ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ୧୦୦ରୁ ଅଧିକ ଘରେ ଉପଶମ ସେବା ଯୋଗାଇ ଦିଆଗଲାଣି ବୋଲି ଶ୍ରୀ ବାଗ୍‌ଚୀ ସୂଚନା ଦେଇଛନ୍ତି। ସେହିପରି ଡା.ଶ୍ରୀନାଥ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ହସ୍ପିଟାଲର ଅଗ୍ରଗତି ଉପରେ ଏକ ରିପୋର୍ଟ ପ୍ରଦାନ କରିଛନ୍ତି।

ଉଲ୍ଲେଖ ଯେ ଗତବର୍ଷ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଗ୍‌ଚୀ-ଶ୍ରୀଶଙ୍କର କର୍କଟ ହସ୍ପିଟାଲ ଓ ବାଗ୍‌ଚୀ-କରୁଣାଶ୍ରୟ ପାଲିଆଟିଭ୍ କେୟାର ହସ୍ପିଟାଲର ଶିଳାନ୍ୟାସ କରିଥିଲେ। ଭୁବନେଶ୍ବର ଉପକଣ୍ଠ ଇନ୍‌ଫୋ ଭ୍ୟାଲି-୨ରେ ନିର୍ମାଣ ହେବାକୁ ଥିବା ଏହି ଦୁଇ କେନ୍ଦ୍ର ପାଇଁ ସୁବ୍ରତ ଓ ସୁସ୍ମିତା ବାଗ୍‌ଚୀ ୩୪୦ କୋଟି ଟଙ୍କା ଦାନ କରିଛନ୍ତି। ଏଥିରେ ହସ୍ପିଟାଲ ପାଇଁ ୨୧୦ କୋଟି ଓ ପାଲିଆଟିଭ୍ କେୟାର ପାଇଁ ୧୩୦ କୋଟି ଟଙ୍କା ଖର୍ଚ ହେବ। ବେଙ୍ଗାଲୁରୁସ୍ଥିତ ହସ୍‌ପିସ୍ ଟ୍ରଷ୍ଟ ସହାୟତାରେ ପାଲିଆଟିଭ୍ କେୟାର ସହାୟତାରେ ପାଲିଆଟିଭ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ।

ସମ୍ବନ୍ଧିତ ଖବର