ଆନନ୍ଦପୁରରେ ଦଧିବାମନଜିଉଙ୍କ ବାହୁଡ଼ାଯାତ୍ରା

ଆନନ୍ଦପୁର : ଆନନ୍ଦପୁରର ଆରାଧ୍ୟ ଦେବତା ଦଧିବାମନଜିଉଙ୍କ ବାହୁଡ଼ାଯାତ୍ରା ବିପୁଳ ଉତ୍ସାହ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସକାଳ ୬ଟା‌ରେ ଶୁଭ କଳସ ସ୍ଥାପନ କରାଯାଇଥିବାବେଳେ ମଙ୍ଗଳାର୍ପଣ ପରେ ଦିନ ସାଢେ ୧୦ଟାରେ ତିନିଠାକୁରଙ୍କ ପହଣ୍ଡି କରାଯାଇଥିଲା। ଘଣ୍ଟଘଣ୍ଟା, ଶଙ୍ଖ ହୁଳହୁଳି ମଧ୍ୟରେ ତିନିଠାକୁରଙ୍କ ପହଣ୍ଡି କରାଯାଇ ରଥାରୂଢ କରାଯାଇଥିଲା। ରାଜ ପ୍ରତିନିଧି ସୁଦର୍ଶନ ମିଶ୍ର ରଥରେ ଛେରାପହଁରା କରିଥିଲେ। ଅପରାହ୍ଣ ୫ଟାରେ ହଜାରହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା। ୫.୪୪ରେ ରଥ ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।

ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଆନନ୍ଦପୁର ଥାନା ଅଧିକାରୀ ଦେବକୀ ନାୟକ, ରାମଚନ୍ଦ୍ରପୁର ଥାନା ଅଧିକାରୀ ଅବିନାଶ ପରିଡ଼ା, ରଥ ଅଧିକାରୀ ଅରବିନ୍ଦ ପଟ୍ଟନାୟକ, ମନ୍ଦିର ପରିଚାଳକ ସୁରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ରାମାୟଣୀ ଅର୍ଜୁନ ମହାନ୍ତି, ରମାକାନ୍ତ ନାୟକ, ଗଦାଧର ମିଶ୍ର, ଉମାକାନ୍ତ ନାୟକ, ବିଜୟ କୁମାର ସାହୁ, ସରୋଜ କୁମାର ସାହୁ ପ୍ରମୁଖ ବାହୁଡ଼ା ଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ପୂଜ୍ୟପୂଜା ସାଂସ୍କୃତିକ ପରିଷଦ ଓ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ସଂଧ୍ୟାରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନସୀ ପାତ୍ର ଓ ସ‌ାଥୀ କଳାକାରଙ୍କ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।

ଆଜି(ଗୁରୁବାର) ସଂଧ୍ୟା ସାଢେ ୬ଟାରେ ରଥ ଉପରେ ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆନନ୍ଦପୁର ଉପଖଣ୍ଡର ଶାଳପଡ଼ା, ବସନ୍ତପୁରା, କେଶଦୁରାପାଳ, ବେଲବାହାଳି, ବୀରଗୋବିନ୍ଦପୁର, ତରୁଆଁ, ଶାଳବଣୀରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର