କେନ୍ଦ୍ରାପଡ଼ା ଇତିହାସକୁ ଉତ୍ତର ପିଢ଼ି ଜାଣନ୍ତୁ

କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପୌରପାଳିକା, ପ୍ରଥମ ଡାକଘର, ପ୍ରଥମ ବତୀଘର ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶାରେ ପଦଯାତ୍ରାରେ କେନ୍ଦ୍ରାପଡ଼ାର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ାର ରାଜାମାନେ ଏକାଠି ହୋଇ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରିଥିଲେ। ଏମିତି ବହୁତ କିଛି ଇତିହାସ କେନ୍ଦ୍ରାପଡ଼ା ମାଟିରେ ରହିଛି। ଜିଲ୍ଲାର ଏହି ସବୁ ଇତିହାସକୁ ଆମେ ମନେ ରଖିବା ସହିତ ଆମର ଉତ୍ତରପିଢ଼ିଙ୍କୁ ଜଣାଇବାର ଆବଶ୍ୟକତା ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଆଜି ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଶିକ୍ଷାବିତ୍ ତଥା ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର୍‌ କ୍ଷୀରୋଦ ପ୍ରସାଦ ମହାନ୍ତି।

ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତି କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ମନୋରଞ୍ଜନ କର ଯୋଗ ଦେଇ କହିଲେ, କେନ୍ଦ୍ରାପଡ଼ା ଜିଲ୍ଲାକୁ ବିକଶିତ କରିବାକୁ ହେଲେ ୪ଟି ଜିନିଷକୁ ଗୁରୁତ୍ବ ଦେବାକୁ ପଡ଼ିବ। କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକତାର ବିକାଶର ହେଲେ ଅଞ୍ଚଳର ବିକାଶ ହୋଇପାରିବ। କୃଷି କ୍ଷେତ୍ରକୁ ଅଧିକ ଚଳଚଞ୍ଚଳ କରିବା ପାଇଁ ଚିନ୍ତା କରିବାର ଆବଶ୍ୟକତା ରହିଛି। ଅନ୍ୟତମ ଅତିଥି ଭାବେ ଏନ୍‌ଏଲ୍‌ସି ଇଣ୍ଡିଆର ପୂର୍ବତନ ସିଏମ୍‌ଡି ଶରତ କୁମାର ଆଚାର୍ଯ୍ୟ କହିଲେ, ଜିଲ୍ଲାର ବିକାଶ ପାଇଁ ଉଭୟ ବ୍ୟକ୍ତିଗତ ଓ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି। ବିଶେଷ କରି ବୌଦ୍ଧିକ ବିକାଶ ହେଲେ ଆମ ଅଞ୍ଚଳର ବିକାଶ ହୋଇପାରିବ। ଆମ ଐତିହ୍ୟ, ସଂସ୍କୃତିକୁ ଆଗକୁ ନେବାକୁ ହେଲେ ଆମର ମାନବିକତା ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବାକୁ ପଡ଼ିବ।

ପରିଷଦର ଅଧ୍ୟକ୍ଷ ଡାକ୍ତର ମଧୁସୂଦନ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଅମ୍ବିକା ପ୍ରସାଦ ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଆବାହକ ଅମୀୟ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଚୌଧୁରୀ ଅମିତାଭ ଦାସ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉପଦେଷ୍ଟା ପ୍ରଫେସର ସରୋଜ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ କୋଷାଧ୍ୟକ୍ଷ ଧୀରେନ୍ଦ୍ର ସୁନ୍ଦର ଦାସ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯୁଗ୍ମ ସଂପାଦକ ପ୍ରଶାନ୍ତ କୁମାର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ବଳଦେବଜୀଉଙ୍କ ଉପରେ ସଂଗୀତ ପରିବେଷଣ କରାଯାଇଥିଲା। ଏଥିସହ ଓଡ଼ିଶୀ, ସମ୍ବଲପୁରୀ, କେନ୍ଦ୍ରାପଡ଼ାର ପାରମ୍ପରିକ କେନ୍ଦେରା ସଂଗୀତ ସହ ବ୍ୟଙ୍ଗ କବିତା ପାଠ କରାଯାଇଥିଲା। ପରିଷଦର ଯୁଗ୍ମ ସମ୍ପାଦକ ବୀରବର ଜେନା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର