ଅନ୍ଧାରରେ ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳା: କାମରେ ଲାଗୁନି ପରାଶ୍ରୟୀ କୀଟ, ରୋଗପୋକ ଦମନ ପାଇଁ ରାମବାଣ

ବାଲେଶ୍ବର : ଫସଲ କ୍ଷେତରେ ଫସଲକୁ କ୍ଷତି କରୁଥିବା କୀଟକୁ ଦମନ କରିବା ପାଇଁ ମିତ୍ର ବା ପରାଶ୍ରୟୀ କୀଟ ରହିଛନ୍ତି। କ୍ଷେତରେ ରାସାୟନିକ କୀଟନାଶକ ବିଷର ପ୍ରୟୋଗ ବିନା ସଫଳତାର ସହିତ ଶତ୍ରୁକୀଟର ବିନାଶ ଏହି ମିତ୍ର ବା ପରାଶ୍ରୟୀ କୀଟ ଜରିଆରେ ହୋଇପାରିବ। ତେବେ ଜିଲ୍ଲାର ହାତଗଣତି କେତେକ ଚାଷୀଙ୍କୁ ଛାଡ଼ିଦେଲେ ଅନେକ ଏହି ଯୋଜନା ବିଷୟରେ ଜାଣି ମଧ୍ୟ ନାହାନ୍ତି।

ବାଲେଶ୍ବର ବାଲିଆ ଅଞ୍ଚଳର ଥିବା ମୃତ୍ତିକା କାର୍ଯ୍ୟାଳୟ ପରିସରରେ ରହିଥିବା ଜୈବ ନିୟନ୍ତ୍ରଣ ପ୍ରୟୋଗଶାଳାରେ ଏହି ପରାଶ୍ରୟୀ କୀଟକୁ କୃତ୍ରିମ ଉପାୟରେ ବଂଶବିସ୍ତାର କରାଯାଇ ଚାଷୀମାନଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି। ସାଧାରଣତଃ ଏହି ପରାଶ୍ରୟୀ କୀଟ ଦୁଇ ପ୍ରଜାତିର।

ପ୍ରୟୋଗଶାଳାରେ ଦୁଇ ପ୍ରଜାତିରୁ ପ୍ରସ୍ତୁତ ହେଉଥିବା ଟ୍ରାଇକୋ କାର୍ଡ ଚାଷୀଙ୍କୁ ମାତ୍ର ୫ ଟଙ୍କାରେ ଦିଆଯାଉଛି। ଏହି କାର୍ଡକୁ କ୍ଷେତରେ ଲଗାଇବାର କିଛି ଘଣ୍ଟା ପରେ ଏଥିରୁ ଛୋଟ ଛୋଟ ପୋକ ବାହାରି ଶତ୍ରୁକୀଟ ଯଥା କାଣ୍ଡବିନ୍ଧା, ପତ୍ରପୋଡ଼ା, ନୀଳପୋକ, ବକରାବିନ୍ଧା ପୋକ ଅଣ୍ଡାକୁ ଖାଇ ନ‌ଷ୍ଟ କରିଥାନ୍ତି। ଆଉ ସେଠାରେ ନିଜର ଅଣ୍ଡା ଫୁଟାଇ କ୍ଷେତରେ ଧୀରେ ଧୀରେ ଶତ୍ରୁକୀଟକୁ ବିନାଶ କରିଥାନ୍ତି। ଗୋଟିଏ ଏକର ଫସଲରେ ୨/୩ଟି ଟ୍ରାଇକୋ କାର୍ଡ ପ୍ରୟୋଗ ଶତ୍ରୁକୀଟ ଦମନ ପାଇଁ ଯଥେଷ୍ଟ।

ତେବେ ଏହି ଯୋଜନାଟି ଚାଷୀଙ୍କ ହିତରେ ଲାଗୁନାହିଁ। ରେମୁଣା, ଜଳେଶ୍ବର ଓ ବାଲେଶ୍ବର ସଦର ବ୍ଲକର କାଁଭାଁ ଚାଷୀଙ୍କୁ ଛାଡ଼ିଦେଲେ ଏହି ଯୋଜନା ବାବଦରେ କେହି ଜାଣିନାହାନ୍ତି। ଏ ଦିଗରେ କୃଷି ବିଭାଗର ଆଖିଦୃଶିଆ ସଚେତନତା ମଧ୍ୟ ନାହିଁ। ରୋଗ ଦମନକାରୀ କୀଟ ପାଇଁ ବର୍ଷକୁ ସରକାରଙ୍କ ପକ୍ଷରୁ ୪ ହଜାର ଟାର୍ଗେଟ୍‌ ଆସୁଛି। କିନ୍ତୁ ସେତିକି ମଧ୍ୟ ପୂରଣ କରିବା ବିଭାଗ ପକ୍ଷରେ କାଠିକର ପାଠ ହୋଇଯାଉଛି। ଫଳରେ ବହୁ ସମୟରେ ଚାଷୀଙ୍କୁ ମାଗଣାରେ ଦିଆଯାଉଛି। ବ୍ଲକ୍‌ସ୍ତରରେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ଏହି ଯୋଜନା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଚାଷୀମାନେ ଜିଲ୍ଲା ଅଫିସ୍‌କୁ ଆସିବାକୁ ଇଛାପ୍ରକାଶ କରୁନାହାନ୍ତି। ଯେଉଁ ପ୍ରୟୋଗଶାଳା ରହିଛି ତାହା ବି ଦୟନୀୟ ଅବସ୍ଥାରେ ଚାଲିଛି। ମାତ୍ର ଜଣେ ଲାବ୍‌ ଆସିଷ୍ଟାଣ୍ଟ ରହିଥିବା ବେଳେ ଜଣେ ଅଧିକାରୀ ରହିଛନ୍ତି। ତେଣୁ ସମସ୍ତ ବ୍ଲକକୁ ଯାଇ ଏ ଦିଗରେ ଚାଷୀଙ୍କୁ ସଚେତନ କରିବା ସମ୍ଭବପର ହେଉନାହିଁ।

ପ୍ରୟୋଗଶାଳାରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) କାହିଁ କେଉଁ ଦିନରୁ ଅଚଳ ଅବସ୍ଥାରେ ରହିଛି। ଫଳରେ ଖରା ଦିନେ ଗରମ ସହିନପାରି ବାକ୍ସରେ ରହୁଥିବା ପରାଶ୍ରୟୀ କୀଟଗୁଡ଼ିକ ମରିଯାଉଛନ୍ତି। ସେହିପରି କୀଟ ପାଇଁ ଖାଦ୍ୟ (ମକା) ଆବଶ୍ୟକ ଥିବାବେଳେ ଏହାକୁ କିଣିବାକୁ ମଧ୍ୟ ପାଣ୍ଠି ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ବିଲଡିଂ ଅବସ୍ଥା ଶୋଚନୀୟ। ବିଭାଗକୁ ଆବଶ୍ୟକ ମୁତାବକ ପାଣ୍ଠି ଆସୁନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଛି। ସଚେତନତା ଅଭାବରୁ ଏହି ଯୋଜନା ଏକପ୍ରକାର ଲୁକ୍କାୟିତ ଅବସ୍ଥାରେ ରହିଛି। ଏହାର ପ୍ରଚାର ପ୍ରସାର କରାଯାଇପାରିଲେ ବାଲେଶ୍ବର ଭଳି ଏକ କୃଷିବହୁଳ ଜିଲ୍ଲାର ବହୁ ଚାଷୀ ଏଥିରୁ ଉପକୃତ ହୋଇପାରନ୍ତେ। ହେଲେ ବିଡ଼ମ୍ବନା, ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ।

ସମ୍ବନ୍ଧିତ ଖବର